ନିର୍ଦ୍ଦୋଷରେ ଏତେ ବର୍ଷ

ଆମେରିକାର ଏକ ବେସରକାରୀ ସଙ୍ଗଠନ ‘ଫ୍ରିଡମ୍‌ ହାଉସ୍‌’ ନିକଟରେ ଏକ ରିପୋର୍ଟରେ ଭାରତକୁ ସ୍ବାଧୀନ ସ୍ତରରୁ ଆଂଶିକ ସ୍ବାଧୀନ ସ୍ତରକୁ ଖସାଇଦେଇଛି। ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱର ରାଜନୈତିକ ଅଧିକାର ଓ ସ୍ବାଧୀନତା ସମ୍ପର୍କରେ ଏହି ସଂସ୍ଥା ତଥ୍ୟ ସଂଗ୍ରହ କରି ରିପୋର୍ଟ ପ୍ରସ୍ତୁତ କରିଥାଏ। ଭାରତରେ କିଛିବର୍ଷ ହେବ ରାଜନୈତିକ ଅଧିକାର ଓ ନାଗରିକଙ୍କ ସ୍ବାଧୀନତାକୁ ଦବାଇ ଦିଆଯାଉଥିବାରୁ ଅନ୍ତର୍ଜାତୀୟ ସ୍ତରରେ ଏହି ଦେଶର ଭାବମୂର୍ତ୍ତି ମଳିନ ହୋଇଯାଇଛି। ନିକଟରେ ଟୁଲ୍‌କିଟ୍‌ ଘଟଣାକୁ ନେଇ ପରିବେଶ କର୍ମୀ ଦିଶା ରବିଙ୍କୁ ଗିରଫ କରାଯିବା ଏବଂ କୃଷକ ଆନ୍ଦୋଳନରେ ଭାଗ ନେଇଥିବା ବେଳେ ସିଙ୍ଘୁ ସୀମାରେ ୨୪ ବର୍ଷୀୟା ଦଳିତ ଅଧିକାର କର୍ମୀ ନୋଦୀପ କୌରଙ୍କ ଗୁପ୍ତାଙ୍ଗରେ ପୁରୁଷ ପୋଲିସ ଲାଠି ପୂରାଇଦେବା ଭଳି ଲୋମଟାଙ୍କୁରା ଘଟଣା ଭାରତରେ ଅଭିବ୍ୟକ୍ତି ସ୍ବାଧୀନତାର ପ୍ରକୃତ ଚିତ୍ରକୁ ଦର୍ଶାଇଛି। ଦିଶା ଓ କୌରଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ପ୍ରମାଣିତ ନ ହେବାରୁ ଉଭୟ ଜେଲରୁ ମୁକୁଳିଛନ୍ତି। ଏବେ ଗୁଜରାଟର ସୁରଟସ୍ଥିତ ଏକ ଅଦାଲତ ୧୨୭ ଜଣ ମୁସଲମାନଙ୍କ ବିରୋଧରେ ୨୦ ବର୍ଷ ଧରି ଥିବା ମାମଲାରେ ସେମାନଙ୍କୁ ଦୋଷମୁକ୍ତ କରିଛନ୍ତି। ନିଷିଦ୍ଧ ଘୋଷିତ ଷ୍ଟୁଡେଣ୍ଟ୍‌ସ ଇସ୍‌ଲାମିକ୍‌ ମୁଭ୍‌ମେଣ୍ଟ ଅଫ୍‌ ଇଣ୍ଡିଆ (ସିମି) ସହ ଏମାନେ ସମ୍ପୃକ୍ତ ଥିଲେ ବୋଲି ପୋଲିସ କହିଥିଲା। ୨୦୦୧ରେ ଏକ କର୍ମଶାଳାରେ ଯୋଗଦେବାକୁ ଭାରତର ବିଭିନ୍ନ ପ୍ରାନ୍ତରୁ ମୁସଲମାନ ସମ୍ପ୍ରଦାୟର ଏହି ବ୍ୟକ୍ତିମାନେ ସୁରଟ ଯାଇଥିବା ବେଳେ କାର୍ଯ୍ୟକ୍ରମର ପୂର୍ବଦିନ ଗିରଫ ହୋଇଥିଲେ। ଇତିମଧ୍ୟରେ ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ଘଟିସାରିଛି। ସବୁଠାରୁ ବଡ଼ କଥା ଯେ, ସୁରଟର ସ୍ଥାନୀୟ ଅଦାଲତ ନ୍ୟାୟ ଅପେକ୍ଷାରେ ଥିବା ଏହି ବ୍ୟକ୍ତିଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ପ୍ରମାଣିତ ନ ହେବାରୁ ସେମାନଙ୍କୁ ଦୋଷମୁକ୍ତ କରିଛନ୍ତି। ଅନ୍ୟ ଏକ ଘଟଣାରେ ଉତ୍ତରପ୍ରଦେଶ ଆଗ୍ରାର ବିଷ୍ଣୁ ତିଓ୍ବାରୀ ନାମକ ଜଣେ ବ୍ୟକ୍ତି ୨୦ ବର୍ଷ ଜେଲ ଜୀବନ କଟାଇବା ପରେ ଆଲ୍ଲାହାବାଦ ହାଇକୋର୍ଟ ତାଙ୍କୁ ଗତ ଜାନୁୟାରୀରେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ନିଜ ଗାଁର ଜଣେ ମହିଳା ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିବା ପରେ ଏସ୍‌ସି/ଏସ୍‌ଟି ଅତ୍ୟାଚାର ଆଇନ ବଳରେ ତାଙ୍କୁ ଦଣ୍ଡିତ କରାଯାଇଥିଲା। ଅଭିଯୋଗ ଆସିବା ସମୟରେ ସମ୍ପୃକ୍ତ ଯୁବକଙ୍କୁ ମାତ୍ର ୨୩ ବର୍ଷ ହୋଇଥିଲା। ସେ ଏବେ ନିଜ ସାନ ଭାଇଙ୍କୁ ଛାଡ଼ିଦେଲେ ପରିବାରର ସମସ୍ତଙ୍କୁ ହରାଇଛନ୍ତି।
ସ୍ବାଧୀନ ଭାରତରେ ପୋଲିସ ଓ ନ୍ୟାୟ ବ୍ୟବସ୍ଥାକୁ ବିଦ୍ରୂପ କରିବା ଲାଗି ଉପରିଲିଖିତ ଘଟଣାଗୁଡ଼ିକ ଯଥେଷ୍ଟ ବୋଲି କୁହାଯାଇପାରିବ। ଦୋଷ ନ କରି ନ୍ୟାୟ ଅପେକ୍ଷାରେ ଥିବା ଏହିଭଳି ଅନେକ ବ୍ୟକ୍ତି ଜେଲର ଚାରିକାନ୍ଥ ମଧ୍ୟରେ ଶଢ଼ୁଛନ୍ତି। କିଛି ବର୍ଷ ହେବ ଦେଖାଯାଉଛି, ବ୍ୟବସ୍ଥାକୁ ବିରୋଧ ବା ସମାଲୋଚନା କରିବା ଯୋଗୁ ଅନେକଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ମାମଲା ରୁଜୁ କରି ଦିଆଯାଉଛି। ଏ କ୍ଷେତ୍ରରେ ସରକାରଙ୍କୁ ବହୁଳ ମାତ୍ରାରେ ପୋଲିସ ଓ ନ୍ୟାୟବ୍ୟବସ୍ଥାରୁ ସମର୍ଥନ ମିଳୁ ଥିବାରୁ ନିର୍ଦ୍ଦୋଷ ବ୍ୟକ୍ତିମାନେ ଯନ୍ତ୍ରଣା ଦେଇ ଗତି କରୁଛନ୍ତି। ଅଳ୍ପଦିନ ତଳେ ଜାମିନ ପାଇଥିବା ୮୧ ବର୍ଷୀୟ ଓ୍ବାରଓ୍ବାରା ରାଓଙ୍କ ବିଷୟ ଅନେକେ ଜାଣିଥିବେ।
୨୦୦୧ ମସିହାରେ ସୁରଟରେ ଏକ କର୍ମଶାଳାରେ ଯୋଗଦେବାକୁ ଯାଇଥିବା ମୁସଲମାନଙ୍କ ବିରୋଧରେ କୌଣସି ପ୍ରମାଣ ନ ଥାଇ ପୋଲିସ କିଭଳି ସେମାନଙ୍କୁ ଗିରଫ କଲା, ତାହାର ବିଧିବଦ୍ଧ ତଦନ୍ତ ହେବା ଦରକାର। କୋର୍ଟ ମଧ୍ୟ ଉପଯୁକ୍ତ ପ୍ରମାଣ ନ ପାଇ ସେମାନଙ୍କୁ ନ୍ୟାୟ ଦେବାରେ ଯେଉଁ ଘୋର ବିଳମ୍ବ କରିଛି ସେଥିପାଇଁ କିଏ ଦାୟୀ ରହିବେ ବିଚାର କରାଯିବା ଉଚିତ। ନ୍ୟାୟ ବ୍ୟବସ୍ଥାରେ ଅନ୍ୟାୟ ହେଉଥିଲେ ତାହାକୁ ଜଗିବାର ବ୍ୟବସ୍ଥା ସୃଷ୍ଟି କରାଯାଇ ନାହିଁ। ସାଧାରଣତଃ ଘର ନିର୍ମାଣ କ୍ଷେତ୍ରରେ ସ୍ଥିରୀକୃତ ଅବଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ନ ସରିଲେ ବିଳମ୍ବ ଲାଗି ଅର୍ଥଦଣ୍ଡର ବ୍ୟବସ୍ଥା ଥାଏ। ସେହିଭଳି ନ୍ୟାୟ ବ୍ୟବସ୍ଥାରେ ମଧ୍ୟ ଭିନ୍ନ ଭିନ୍ନ ଅପରାଧ ସକାଶେ ନିର୍ଦ୍ଦିଷ୍ଟ ସମୟ ଅତିକ୍ରମ କଲେ ତାହା ଫାଷ୍ଟ୍‌ ଟ୍ରାକ୍‌ ମୋଡ୍‌କୁ ଅଣାଯିବାର ବ୍ୟବସ୍ଥା ରଖାଯିବା ଆବଶ୍ୟକ।
କୁହାଯାଏ, ‘ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ’। ସୁରଟ ଓ ଆଗ୍ରା କଥାକୁ ଦେଖିଲେ ନିର୍ଦ୍ଦୋଷ ଥାଇ ୨୦ ବର୍ଷ ଧରି ଜେଲ ଜୀବନ କଟାଇବା ଦ୍ୱାରା ସେମାନଙ୍କ ବ୍ୟକ୍ତି ସ୍ବାଧୀନତା ସମ୍ପୂର୍ଣ୍ଣ ଭାବେ କ୍ଷୁଣ୍ଣ ହୋଇଛି। ଏବେ ନ୍ୟାୟାଳୟ ଅତି ସରଳ ଭାବେ କହିଦେଉଛନ୍ତି ଯେ, ଏମାନଙ୍କ ବିରୋଧରେ କୌଣସି ଦୋଷ ଥିବା ପ୍ରମାଣିତ ନ ହେବାରୁ ସେମାନଙ୍କୁ ମୁକ୍ତ କରିଦିଆଗଲା। ଏକ ସ୍ବାଧୀନ ଓ ଗଣତାନ୍ତ୍ରିକ ରାଷ୍ଟ୍ରରେ ନ୍ୟାୟପାଳିକା କିଭଳି କାର୍ଯ୍ୟ କରୁଛି ଏଥିରୁ ବୁଝାପଡ଼ିଯାଉଛି। ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀ ହୁଅନ୍ତୁ ବା କୌଣସି ବଡ଼ ଶିଳ୍ପପତିଙ୍କ ମାମଲାର ଶୁଣାଣି ଲାଗି ବିଚାରପତିମାନେ ରାତିଅଧିଆ କାମରେ ଲାଗିଯାଉଛନ୍ତି। କିନ୍ତୁ ସାଧାରଣ ଲୋକଙ୍କ ଜୀବନ ସେମାନଙ୍କ ପାଇଁ କୌଣସି ମାନେ ରଖୁ ନାହିଁ। ସୁରଟ ଓ ଆଗ୍ରା କଥା ଦେଖିଲେ ଏବେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବ୍ୟକ୍ତିଙ୍କ ଜେଲରେ କଟିଥିବା ଦୀର୍ଘ ବର୍ଷ ଫେରାଇବ କିଏ ?


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri