Categories: ରାଜ୍ୟ

ସ୍ନିଗ୍ଧା ମାଲବ୍ୟ ପିନ୍ଧିଲେ କିଟ୍‌ ନହ୍ନିପରୀ ମୁକୁଟ

ଭୁବନେଶ୍ୱର,୨୮।୧୨(ଶର୍ମିଷ୍ଠା ପାଣିଗ୍ରାହୀ)ଉତ୍ତରପ୍ରଦେଶର ସ୍ନିଗ୍ଧା ମାଲବ୍ୟ କିଟ୍‌ ନହ୍ନିପରୀ ଲିଟିଲ୍‌ ମିସ୍‌ ଇଣ୍ଡିଆ-୨୦୨୩ ଟାଇଟଲ ହାସଲ କରିଛନ୍ତି। କିଟ୍‌ ଫିଲ୍ମ ଆଣ୍ଡ୍‌ ଫେଶନ ପକ୍ଷରୁ ଆୟୋଜିତ ‘କିଟ୍‌ ନହ୍ନିପରୀ ଲିଟିଲ୍‌ ମିସ୍‌ ଇଣ୍ଡିଆ-୨୦୨୩’ର ଫାଇନାଲ ତଥା ମେଗା ରାଉଣ୍ଡ ବୁଧବାର ଶେଷ ହୋଇଛି। ଫାଇନାଲ ରାଉଣ୍ଡରେ ଦେଶର ୯ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ସ୍ନିଗ୍ଧା ନହ୍ନିପରୀ ମୁକୁଟ ସହ ୩ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ଲାଭ କରିଛନ୍ତି। ସେମିଫାଇନାଲକୁ ୨୭ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ଜଣ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଥିଲେ। ଓଡ଼ିଶାର ଚିରଶ୍ରୀ ସାଗରିକା ପ୍ରଥମ ରନର୍ସ ଅପ୍‌ ଏବଂ ଆସାମର ପରିଣିତା ଦାସ ଦ୍ୱିତୀୟ ରନର୍ସ ଅପ୍‌ ହୋଇଛନ୍ତି। ଏହି ଦୁଇ ରନର୍ସ ଅପ୍‌ଙ୍କୁ ଯଥାକ୍ରମେ ୧ ଲକ୍ଷ ଓ ୫୦ ହଜାର ଟଙ୍କା ଲେଖାଏ ନଗଦ ଅର୍ଥରାଶି ପୁରସ୍କାର ସ୍ବରୂପ ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତାର ୧୦ଟି ବିଭିନ୍ନ ବିଭାଗ ଯଥା-ମିସ୍‌ ରାପୁଞ୍ଜେଲ (ସୁନ୍ଦର କେଶ) ପାଇଁ ଶ୍ରୀ ଚତୁର୍ବେଦୀ, ଲିଟିଲ ମିସ୍‌ ଫଟୋଜେନିକ ଲାଗି ଶ୍ରୀ ଶତପଥୀ, ଲିଟିଲ ମିସ ସେଲ୍ଫି ସକାଶେ ପଲକ ରାୟ, ଲିଟିଲ ମିସ୍‌ ମୋନାଲିସା ପାଇଁ ପ୍ରକୃତି ଭୁଜେଲ, ଲିଟିଲ ମିସ୍‌ ଉଇଜକିଡ୍‌ ନିମନ୍ତେ ଅଲିସା ସାହୁ ପୁରସ୍କୃତ ହୋଇଥିଲେ। ସେହିପରି ମିସ ସିଣ୍ଡ୍ରେଲା ପାଇଁ ବେଦିକା ସୋଲାଙ୍କି, ମିସ୍‌ ଉର୍ବଶୀ ନିମନ୍ତେ ପରିଣିତା ଦାସ, ମିସ୍‌ ପର୍ସନାଲିଟି ସକାଶେ ସ୍ମିଗ୍ଧା ମାଲବ୍ୟ, ମିସ୍‌ ଫେଶନ ପାଇଁ ଦିବ୍ୟାଂଶୀ ସାଲ୍‌ଭି ଏବଂ ମିସ୍‌ ଆକ୍ଟିଭ ଲାଗି ଚିରଶ୍ରୀ ସାଗରିକା ପୁରସ୍କୃତ ହୋଇଥିଲେ।
ଏଥର ମୋଟ ୪୧ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଥିଲା। ଚଳିତବର୍ଷ ନହ୍ନିପରୀର ସ୍ବତନ୍ତ୍ର ଆକର୍ଷଣ ଥିଲେ ବଲିଉଡ୍‌ ଅଭିନେତ୍ରୀ ପୁନମ ଧିଲନ ଓ ଦୀପ୍‌ଶିଖା। ନବଭାରତ ଟାଇମ୍ସର ଫିଚର ଓ ଏଣ୍ଟରଟେନ୍‌ମେଣ୍ଟ ସମ୍ପାଦିକା ରେଖା ଖାନ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ କିଟ୍‌ ନହ୍ନିପରୀର ମୁଖ୍ୟ ପୃଷ୍ଠପୋଷକ ଅଚ୍ୟୁତ ସାମନ୍ତ, ପ୍ରତିଷ୍ଠାତା ମଳୟ ମହାପାତ୍ର, ନହ୍ନିପରୀ କୋର୍‌ କମିଟି ସଦସ୍ୟା ଡ. ଶ୍ରଦ୍ଧାଞ୍ଜଳି ନାୟକ ଓ ସୋମା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।