ବିନା ଭକ୍ତରେ ଶେଷ ହେଲା ବଳଦେବଜୀଉଙ୍କ ସ୍ନାନୋତ୍ସବ

କେନ୍ଦୁଝର,୨୪।୬(ସ୍ବ.ପ୍ର): କେନ୍ଦୁଝରର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ଦେବସ୍ନାନ ଉତ୍ସବ କୋଭିଡ କଟକଣା ମଧ୍ୟରେ ଗୁରୁବାର ପାଳିତ ହୋଇଯାଇଛି। ପ୍ରଥମେ ପାରମ୍ପରିକ ରୀତିନୀତିରେ ଶ୍ରୀ ଜିଉଙ୍କୁ ପହଣ୍ଡି କରି ସ୍ନାନ ବେଦୀକୁ ନିଆଯାଇଥିଲା। ସେଠାରେ ସୁଗନ୍ଧିତ ଜଳରେ ଶ୍ରୀ ଜିଉଙ୍କ ସ୍ନାନ କରାଯାଇ ପୂଜାର୍ଚ୍ଚନା କରାଯାଇଛି। ତେବେ ବିନା ଭକ୍ତରେ ଶ୍ରୀ ଜିଉ ଙ୍କ ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଛି। ତେବେ ଜିଲାଟି ବିଶେଷତଃ ଜଙ୍ଗଲିଆ ଅଞ୍ଚଳ ହୋଇଥିବାରୁ ପରମ୍ପରା ଅନୁସାରେ ଶାଳ ପତ୍ର ଉପରେ ତୁଳସୀ ପତ୍ର ଲଗାଇ ହାତୀ ବେଶ କରାଯାଇଥିବା ପହଣ୍ଡିଆ ସେବାୟତ ଦେବ ଦର୍ଶନ ଦାଶ କହିଛନ୍ତି। ଏହି ଉତ୍ସବରେ ୪୦ ପହଣ୍ଡିଆ ସେବାୟତ ନିୟୋଜିତ ହୋଇଥିବା ସୂଚନା ମିଳିଛି।