ହରଭଙ୍ଗା,୧।୬(ନରେନ୍ଦ୍ର ସାହୁ): ପୁରାଣରେ ସର୍ପ ବନ୍ଧନ କଥା ଶୁଣାଯାଏ କିନ୍ତୁ ବାସ୍ତବରେ କେହି ଦେଖି ନ ଥିବେ। ହେଲେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଆଡେଣିଗଡ଼ ଗାଁରେ ଶନିବାର ବିଳମ୍ବିତ ରାତିରେ ଏଭଳି କିଛି ଘଟଣା ଘଟିଛି, ଯାହାକି ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ପରି ଲାଗୁଛି। ପକ୍ଷାଘାତର ଶିକାର ହୋଇଥିବା କୃଷ୍ଣଚନ୍ଦ୍ର ସାହୁଙ୍କୁ ଏକ ସାପ ଦୁଇ ଘଣ୍ଟା ଧରି ଗୁଡାଇ ରଖିଥିଲା। ଜୀବନ ବଞ୍ଚାଇବା ପାଇଁ ରୋଗୀ ଜଣକ ନୀରବ ସଂଘର୍ଷ ଚଳାଇଥିଲେ। ଶେଷରେ ସାପଟି କିଛି କ୍ଷତି ନ କରି ଚାଲିଯିବା ଘଟଣା ପରିବାର ସଦସ୍ୟଙ୍କ ସମେତ ଅନ୍ୟମାନଙ୍କୁ ଚକିତ କରିଛି।
ସୂଚନା ମୁତାବକ, ହରଭଙ୍ଗା ବ୍ଲକ ଅନ୍ତର୍ଗତ ଆଡେଣିଗଡ଼ ଗାଁର କୃଷ୍ଣଚନ୍ଦ୍ର ଜଣେ ପକ୍ଷାଘାତ ରୋଗୀ। ଶନିବାର ବିଳମ୍ବିତ ରାତିରେ ସେ ଘରେ ଶୋଇଥିବା ବେଳେ ଘର ଝରକା ଖୋଲା ଥିଲା। ଏହି ସମୟରେ ଝରକା ଦେଇ ଏକ ଛୋଟ ଅଜଗର ସାପ ଘର ଭିତରକୁ ପଶି ଆସିଥିଲା ଏବଂ ଶୋଇଥିବା କୃଷ୍ଣଙ୍କ ଶରୀର ଉପରକୁ ଚଢ଼ିଯାଇଥିଲା। କୃଷ୍ଣ ଯେତେବେଳେ ଏହା ଜାଣିବାକୁ ପାଇଲେ, ସେତେବେଳେ ସେ ହଠାତ୍ ଉଠି ପାରି ନ ଥିଲେ କି କାହାକୁ ଡାକି ପାରି ନ ଥିଲେ। କାରଣ ସେ ପକ୍ଷାଘାତ ରୋଗରେ ପୀଡ଼ିତ ଥିବାରୁ ତାଙ୍କ ଶରୀରର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଅଚଳ ରହିଛି। କିଛି ସମୟ ପରେ କୃଷ୍ଣ ଉଠିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେତେବେଳକୁ ସାପଟି କୃଷ୍ଣଙ୍କ ହାତକୁ ଏକ ଚେୟାର ସହ ଜୋରରେ ଗୁଡ଼ାଇ ବାନ୍ଧି ସାରିଥିଲା। ପରେ କୃଷ୍ଣଙ୍କ ବିକଳ ପାଟି ଶୁଣି ଯେତେବେଳେ ପରିବାର ଲୋକେ ଏହା ଦେଖିଲେ ସେମାନେ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇପଡ଼ିଥିଲେ। ଶେଷରେ ପରିବାର ଲୋକଙ୍କ ପ୍ରାୟ ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସାପ କବଳରୁ କୃଷ୍ଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଏହାପରେ ସାପଟିକୁ ଘର ବାହାରକୁ ସୁରକ୍ଷିତ ଛାଡି ଦିଆଯାଇଥିଲା। ଏବେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।