ହାଟଡିହୀ/ଛେନାପଦୀ, ୧୩/୧୧ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି। ବ୍ଲକର ୨୬୧୨ ଜଣ ନୂତନ ହିତାଧିକାରୀଙ୍କ ଭତ୍ତା ଅନୁମୋଦନ ଓ ମଞ୍ଜୁର ହୋଇଛି।
ବିଡିଓ ରଞ୍ଜନ କୁମାର ପରିଡ଼ା ଏବଂ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏକ ସଭାରେ ୨୫୦ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା। ମରୈଗାଁ, ହାଟଡିହୀ, ସୁଲଣ, କଳିଙ୍ଗା ଓ ଇଞ୍ଚୋଳ ଆଦି ପଞ୍ଚାୟତର ହିତାଧିକାରୀଙ୍କୁ ଦୁଇ ମାସର ଭତ୍ତା ବାବଦକୁ ଜଣପିଛା ୪ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଅବଶିଷ୍ଟ ନୂତନ ହିତାଧିକାରୀଙ୍କୁ ସେମାନଙ୍କ ନିଜ ପଞ୍ଚାୟତରୁ ଭତ୍ତା ରାଶି ପ୍ରଦାନ କରାଯିବ ବୋଲି ବିଡିଓ ପରିଡ଼ା ସୂଚନା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନରଞ୍ଜନ ସାମନ୍ତସିଂହାର ଓ ହରମୋହନ ଶାସିନୀ, ଏବିଡିଓ ରଶ୍ମିରେଖା ନାଏକ ପ୍ରମୁଖ ଉପସ୍ଥିତ ରହି ଭତ୍ତା ବଣ୍ଟନ କରିଥିଲେ।
ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ୱାତୀଶ୍ରୀ ସିଂ, ପିଇଓ ମହେଶ୍ୱର ସାହୁ, ସୁଶ୍ରୀ ସଙ୍ଗୀତା ପାତ୍ର, ମଧୁସ୍ମିତା ମହାନ୍ତି, ରାଜେଶ ସାହୁ ଓ ସୁଦର୍ଶନ ଘଡ଼େଇଙ୍କ ସମେତ ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ନୂତନ ହିତାଧିକାରୀଙ୍କୁ ସରକାର ଭତ୍ତା ପ୍ରଦାନ କରିଥିବାରୁ ବିଧାୟକ ସେଠୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହ ଡିଏମଏଫ ପାଣ୍ଠିରୁ ଅର୍ଥ ବ୍ୟୟବରାଦ କରି କେନ୍ଦୁଝର ଜିଲ୍ଲାର ଭତ୍ତା ହିତାଧିକାରୀଙ୍କ ଅନୁଦାନ ରାଶି ବୃଦ୍ଧି କରିବାକୁ ସେ ସଭାରେ ମତ ପ୍ରକାଶ କରିଥିଲେ।