ସ୍ମାର୍ଟ ସ୍କୁଲ: ଶାରଦା ଏକାଡେମୀର କରୁଣ ସ୍ଥିତି

ଡେରାବିଶ,୨୪ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଇନ୍ଦାଳୋ ପଞ୍ଚାୟତ ଛକନାସ୍ଥିତ ଶାରଦା ଏକାଡେମୀ ସ୍ମାର୍ଟ ସ୍କୁଲରେ ରୁପାନ୍ତରିତ ହେବା ପରେ ତା’ର କରୁଣ ସ୍ଥିତି ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଡେରାବିଶ ବ୍ଲ୍ଳକରେ ଦ୍ୱିତୀୟ ପର୍ଯ୍ୟାୟରେ ୫-ଟି ଯୋଜନାରେ ଯେଉଁ ୯ଟି ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ କରାଗଲା ସେଥିରୁ ଛକନାସ୍ଥିତ ଶାରଦା ଏକାଡେମୀ ଅନ୍ୟତମ। ତେବେ ଏହି ଯୋଜନାରେ ବିଦ୍ୟାଳୟରେ ଥିବା ପୁରୁଣା ଶ୍ରେଣୀଗୃହକୁ ରଙ୍ଗ କରିବା, ଶ୍ରେଣୀଗୃହ ଚଟାଣ ଓ ଅଗଣାରେ ଟାଇଲି ବିଛାଯାଇଛି। ହେଲେ ଆବଶ୍ୟକ ଥିବା ନୂତନ ଶ୍ରେଣୀଗୃହ ନିର୍ମାଣ ପ୍ରତି ଦୃଷ୍ଟି ଦିଆଯାଇନାହିଁ। ୨ବର୍ଷ ତଳରୁ ଏହି ବିଦ୍ୟାଳୟ ନିକଟରେ ଛକନା ପ୍ରାଥମିକ ବିଦ୍ୟାଳୟକୁ ଏହି ବିଦ୍ୟାଳୟ ସହ ମିଶ୍ରଣ କରାଯାଇଛି। ହେଲେ ଆବଶ୍ୟକ ଶ୍ରେଣୀଗୃହ ନ ଥିବାରୁ ପ୍ରଥମରୁ ୫ମ ଯାଏ ୫ଟି ଶ୍ରେଣୀର ୬୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ଗୋଟିଏ ଶ୍ରେଣୀଗୃହର ଚଟାଣରେ ଜାକିଜୁକି ହୋଇ ବସିବାକୁ ପଡ଼ୁଛି। ଦୁଇଜଣ ଶିକ୍ଷୟିତ୍ରୀ ସେହି ଗୃହରେ ୫ ଟି ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଉଛନ୍ତି।
ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ନିଯୁକ୍ତ ଦୁଇଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ପଦୋନ୍ନତି ପାଇ ଅନ୍ୟତ୍ର ଚାଲିଯିବା ଓ ଅନ୍ୟଜଣେ ଅବସର ନେବା ପରେ ଏହି ଦୁଇଟି ଶିକ୍ଷକ ପଦବୀ ଖାଲିପଡ଼ିଛି ବୋଲି ବିଦ୍ୟାଳୟ ପରିଚାଳନା କମିଟି ପ୍ରକାଶ କରିଛି। ସ୍ମାର୍ଟ ସ୍କୁଲର ଛାତ୍ରୀଛାତ୍ରମାନଙ୍କ ପାଇଁ ସାଇକେଲ୍‌ ଷ୍ଟାଣ୍ଡ ନ ଥିବାରୁ ବିଦ୍ୟାଳୟ ପରିସରରେ ଏଣେତେଣେ ସାଇକେଲ୍‌ଗୁଡ଼ିକ ରଖାଯାଉଛି। ବର୍ଷା ଓ ଖରାରେ ସାଇକେଲଗୁଡ଼ିକ ରହୁଥିବା ବେଳେ ବିଦ୍ୟାଳୟ ପରିସରରେ ଥିବା ମହାମତ୍ା ଗାନ୍ଧୀ ଓ ଗୋପବନ୍ଧୁଙ୍କ ମୂର୍ତ୍ତି ସମ୍ମୁଖରେ ବି ଛାତ୍ରୀଛାତ୍ରମାନେ ସାଇକେଲ୍‌ ରଖିବାକୁ ବାଧ୍ୟ ହେଉଛନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ଅଗଣାଠାରୁ ୧ ଫୁଟ ତଳେ ଥିବା ଅବ୍ୟବହୃତ ପୁରୁଣା ଶ୍ରେଣୀ ଗୃହଗୁଡ଼ିକୁ ନ ଭାଙ୍ଗି ତାହା ପାଇଁ ଟଙ୍କା ଖର୍ଚ୍ଚ କରାଯାଇ ମରାମତି କରି ରଙ୍ଗ କରାଯାଇଛି। ପରେ ସେ ଗୃହରେ ବିଦ୍ୟାଳୟର ଭଙ୍ଗା ଟେବୁଲ୍‌, ଚେୟାର, ଡେସ୍କ, କାଠ, ବାଉଁଶ ଓ ଜାଳେଣୀ ରଖାଯାଉଥିବା ଦେଖିବାକୁ ମିଳିଛି। ଶ୍ରେଣୀଗୃହ ନିର୍ମାଣ ପ୍ରତି ଦୃଷ୍ଟି ଦିଆ ନ ଯାଇ ଅଯଥାରେ ଟଙ୍କା ବ୍ୟୟ କରାଯାଇ ଅଗଣାରେ ଘାସ ଗାଲିଚା ଓ ଭଲିବଲ୍‌ କୋର୍ଟ ନିମର୍ର୍ାଣ କରାଯାଇଛି। ସ୍ମାର୍ଟ ସ୍କୁଲର ୬୦ରୁ ଊର୍ଦ୍ଧ୍ୱ ଛୋଟ ପିଲାମାନଙ୍କୁ ଗୋଟିଏ ଘରେ ବସାଇ ଦୁଇଜଣ ଶିକ୍ଷୟିତ୍ରୀ କିଭଳି ଭାବେ ଶିକ୍ଷାଦାନ କରୁଛନ୍ତି ବୋଲି ପ୍ରଶ୍ନ କରିବାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ମହାନ୍ତି ଏ ସମ୍ପର୍କରେ ବିଡିଓଙ୍କୁ ଅବଗତ କରିଛନ୍ତି। ଏଥିସହ କାମଚଳା ପାଇଁ ଶ୍ରେଣୀଗୃହକୁ ପଟା ଦ୍ୱାରା ବିଭାଜିତ କରି ଅଧିକ ଦୁଇଟି ଶ୍ରେଣୀଗୃହ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି। ଯାହା ଅଳ୍ପଦିନ ମଧ୍ୟରେ ହେବ ବୋଲି ମହାନ୍ତି ପ୍ରକାଶ କରିଛନ୍ତି।