ବିଏମ୍‌ସି ନିୟମ ମାନୁ ନାହାନ୍ତି ସ୍ମାର୍ଟସିଟି ବାସିନ୍ଦା

ଭୁବନେଶ୍ୱର,୩।୧(ବ୍ୟୁରୋ):ସ୍ମାର୍ଟସିଟି ବାସିନ୍ଦାଙ୍କ ଜୀବନଶୈଳୀକୁ ସୁଗମ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଅନେକ ଯୋଜନା କରାଯାଉଛି। ସେପଟେ ଯୋଜନା କାର୍ଯ୍ୟକାରୀ କରିବାରେ ଖିଲାପ ହେଲେ ସହରବାସୀଙ୍କ ପକ୍ଷରୁ ମାଳମାଳ ଅଭିଯୋଗ ହେଉଛି। ତେବେ ଅନେକ ସମୟରେ ପ୍ରଶାସନ ତପତ୍ରତା ଦେଖାଉଥିଲେ ମଧ୍ୟ ସହରବାସୀଙ୍କ ବେପରୁଆ ମନୋଭାବ ସହରର ଖରାପ ଚିତ୍ର ସୃଷ୍ଟି କରିବାରେ ଲାଗୁଛି। ବିଏମ୍‌ସି ପକ୍ଷରୁ ‘ଏଠାରେ ଅଳିଆ ପକାନ୍ତୁ ନାହିଁ’ ଶୀର୍ଷକ ପୋଷ୍ଟର ଯେଉଁଠି ଲଗାଯାଉଛି, ସେହିଠାରେ ହିଁ ଅଳିଆ ଗଦା ହେଉଥିବା ଦେଖିବାକୁ ମିଳୁଛି। ସେହିପରି ‘ନୋ ପାର୍କିଂ’ ଅଞ୍ଚଳରେ ପାର୍କିଂ କରିବା ଅଭ୍ୟାସ ଛାଡ଼ିପାରୁନାହାନ୍ତି ରାଜଧାନୀବାସୀ।
ସହରରେ ପ୍ରତିଦିନ ସକାଳେ ବିଏମ୍‌ସିର ସଫେଇ ଗାଡ଼ିକୁ ବସ୍ତିବାସିନ୍ଦା ଅଳିଆ ପୃଥକ କରି ଦେଉଥିବା ବେଳେ ବିଭିନ୍ନ ଆପାର୍ଟମେଣ୍ଟ ଓ ଶିକ୍ଷିତ ପରିବାର ଏହି ନିୟମକୁ ଅବମାନନା କରୁଛନ୍ତି। ରାତି ଅଧରେ ଗଳି ମୁଣ୍ଡରେ ଅଳିଆ ପକାଉଛନ୍ତି। ଏପରି ଚିତ୍ର ଶହୀଦ ନଗର ଅଧିକାଂଶ ଗଳିରେ ଦେଖିବାକୁ ମିଳୁଛି। ବିଏମ୍‌ସି ପକ୍ଷରୁ ସ୍ବଚ୍ଛସାଥୀଙ୍କ ଯୋଗାଯୋଗ ନମ୍ବର ଥିବା ପୋଷ୍ଟର ମାଧ୍ୟମରେ ଅଳିଆ ନ ପକାଇବା ପାଇଁ ବାରଣ କରାଯାଉଥିଲେ ମଧ୍ୟ ଅଞ୍ଚଳବାସୀ ଏହାକୁ ଅଣଦେଖା କରୁଛନ୍ତି। ନିର୍ଦ୍ଦିଷ୍ଟ କେତେଜଣ ବ୍ୟକ୍ତିଙ୍କର ଏପରି ନିୟମିତ କାର୍ଯ୍ୟକଳାପ ପାଇଁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଦୁର୍ଗନ୍ଧରେ ସାହି ପଡ଼ିଶା ଅତିଷ୍ଠ ହେଉଛନ୍ତି। ସେହିପରି ବିଏମ୍‌ସି ଭବାନୀ ମଲ୍‌କୁ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ଲୋକଙ୍କ ପାଇଁ ପାର୍କିଂ ସ୍ଥଳ ରହିଥିଲେ ମଧ୍ୟ ‘ନୋ ପାର୍କିଂ’ ଅଞ୍ଚଳରେ ଶହ ଶହ ସଂଖ୍ୟାରେ ବାଇକ୍‌ ଏବଂ କାର୍‌ ପାର୍କିଂ କରାଯାଉଛି। ଫଳରେ ଅଧିକାଂଶ ସମୟରେ ଉକ୍ତ ଅଞ୍ଚଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଆବର୍ଜନା ନିଷିଦ୍ଧ ଅଞ୍ଚଳରେ ଆବର୍ଜନା ପକାଉଥିବା ଲୋକଙ୍କ ବିରୋଧରେ ବିଏମ୍‌ସି ପକ୍ଷରୁ ଫେବୃୟାରୀରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ହକି ବିଶ୍ୱକପ୍‌ ପରେ ଅଧିକ ସଂଖ୍ୟକ ଏନଫୋର୍ସମେଣ୍ଟ ଟିମ୍‌ ଗଠନ କରାଯାଇ ଚଢ଼ାଉ କରାଯିବ ବୋଲି ସେ କହିଛନ୍ତି।