ସ୍ମାର୍ଟ ସିଟି ଓ ବୁଲାକୁକୁର

ପ୍ରଭାତ କୁମାର ଦାସ

କିଛିଦିନ ତଳେ ଗୋଟିଏ ଖବର ପ୍ରକାଶ ପାଇଥିଲା, ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ କେହି ଜଣେ ଦୁଇଟି ବୁଲାକୁକୁରଙ୍କୁ ଗୁଳିକରି ହତ୍ୟା କରିବାର ଉଦ୍ୟମ କରିଥିଲେ। ସେଥିରୁ ଗୋଟିଏ ମୃତ୍ୟୁବରଣ କରିଥିଲା। କେହି ପଶୁପ୍ରେମୀ ଏହା ବିରୋଧରେ ଥାନାରେ ଏତଲା ଦେଇଥିଲେ। ପଶୁ ନୃଶଂସତା ପାଇଁ, ଗୁଳି କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ନିଆଯାଇପାରେ। ଖୁସିର କଥା, ପଶୁପ୍ରେମୀମାନେ ନିରୀହ ପଶୁମାନଙ୍କ ବଞ୍ଚତ୍ବାର ଅଧିକାର ସାବ୍ୟସ୍ତ କରିବା ପାଇଁ ଯତ୍ନବାନ ହେଲେଣି।
ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ। ଯେଉଁ ବ୍ୟକ୍ତି କୌଣସି କାରଣରୁ ନିଜର କ୍ରୋଧ ସମ୍ବରଣ କରି ନ ପାରି ଏଭଳି ନୃଶଂସ କାର୍ଯ୍ୟକଲେ, ସେ ସେପରି ନ କରିଥିଲେ ଭଲ ହୋଇଥା’ନ୍ତା। କିନ୍ତୁ ସେ କେଉଁ କାରଣ ପାଇଁ ଏଭଳି କ୍ରୋଧିତ ହେଲେ, ତାହା ମଧ୍ୟ ବିଚାର କରିବା କଥା। ବିକଳ୍ପ ଭାବରେ ସେ କିଭଳି ନିଜର କ୍ଷତି ଭରଣା କରିପାରିଥା’ନ୍ତେ, ତାହା ଅନ୍ୟମାନଙ୍କୁ ଜଣାଇ ଦେଇ ଦୃଷ୍ଟାନ୍ତ କରାଯିବା ଉଚିତ।
ଅନେକ ସମୟରେ ହାତୀମାନଙ୍କୁ ବି କିଛି ଲୋକ ବିଷଦେଇ ବା ବିଜୁଳି ଆଘାତ ଦେଇ ହତ୍ୟା କରୁଛନ୍ତି। ସରକାର ଏଥିପାଇଁ ବିଶେଷ ଭାବରେ ଚିନ୍ତିତ। କିନ୍ତୁ ଏହା ଯେତିକି ନୃଶଂସତା ଓ ଅମାନବିକତା, ସେତିକି ବି କ୍ରୋଧ ସମ୍ବରଣ କରିନପାରିବା ଭଳି ଅସହନୀୟତା। ହାତୀମାନେ ଯେଭଳି ଭାବରେ ଘରଦ୍ବାର, ଜନବସତି ଓ ଫସଲ କ୍ଷେତର ଅମାପ କ୍ଷତି ସାଧନ କରୁଛନ୍ତି, ମଣିଷ ଜୀବନକୁ ବିପନ୍ନ କରୁଛନ୍ତି, ତାକୁ ବ୍ୟକ୍ତିଗତ ଭାବରେ ସହ୍ୟ କରିବା ସାଧାରଣ ମଣିଷ ପକ୍ଷରେ ସମ୍ଭବ ହେଉନାହିଁ। ସରକାର ସେଥିପାଇଁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେଉଛନ୍ତି, କିନ୍ତୁ ସବୁ କ୍ଷତିକୁ ଅର୍ଥ ବିନିମୟରେ ସହିଯିବା ସହଜ ନୁହେଁ। ସବୁ ଆଚରଣ ସହିତ କ୍ରୋଧ ପ୍ରକାଶର ବି ଗୋଟିଏ ଅଦୃଶ୍ୟ, ଅଲିଖିତ ଲକ୍ଷ୍ମଣରେଖା ଅଛି। ତାକୁ ଯଥାସମ୍ଭବ ପାଳନ କରିବାକୁ ସବୁ ପକ୍ଷରୁ ଚିନ୍ତା କରାଯାଉ ଓ ସେଥିପାଇଁ ସବୁ ପ୍ରକାର ଉଦ୍ୟମ ହେଉ।
ଏବେ ଆମେ ମୂଳ ପ୍ରସଙ୍ଗକୁ ଆସିବା। ବୁଲାକୁକୁରଙ୍କ ନିରାପତ୍ତା ପାଇଁ ପଶୁପ୍ରେମୀମାନେ ସତର୍କ ଦୃଷ୍ଟି ରଖିଛନ୍ତି ଏହା ”ଜୀବେଦୟା“ ପାଇଁ ସୁଲକ୍ଷଣ। ସେଥିପାଇଁ କେହି ଗାଡ଼ି ଚଳାଇ କୁକୁର ଛୁଆକୁ ମାରିଦେଲେ ବା ଗୁଳିକରି ହତ୍ୟାକଲେ ଥାନାରେ ଏତଲା ଦିଆଯାଇ ପାରୁଛି। କିନ୍ତୁ ଗୋଟିଏ ପ୍ରସଙ୍ଗ ସମସ୍ତେ ଭୁଲି ଯାଉଛନ୍ତି। ବୁଲାକୁକୁରମାନେ ରାସ୍ତାଘାଟରେ ମଳତ୍ୟାଗ କରି ଯେଉଁ ଅସ୍ବାଭାବିକ, ଅସ୍ବାସ୍ଥ୍ୟକର, ଅସହନୀୟ, କଦର୍ଯ୍ୟ ପରିବେଶ ସୃଷ୍ଟି କରୁଛନ୍ତି, ତାକୁ କିଭଳି ଭାବରେ ନିୟନ୍ତ୍ରଣ କରାଯାଇ ପାରିବ ଓ ତାହା କାହାର ଦାୟିତ୍ୱ? ଭୁବନେଶ୍ୱର ସ୍ମାର୍ଟ ସିଟିର ଯେକୌଣସି ରାସ୍ତାରେ ଶହେ ମିଟର ଅତିକ୍ରମ କଲେ, ଅତିକମ୍‌ରେ ଦଶ ଜାଗାରେ ରାସ୍ତା କଡ଼ରେ କୁକୁରମଳ ଦେଖିବାକୁ ମିଳିବ। ଅବଶ୍ୟ ଯେଉଁମାନେ ଯାନବାହନରେ ଚଳପ୍ରଚଳ ହେଉଛନ୍ତି, ସେମାନଙ୍କୁ ଅସୁବିଧା ହୋଇ ନ ପାରେ, କିନ୍ତୁ ଯେଉଁମାନେ ପଦଯାତ୍ରୀ ବା ଯେଉଁମାନେ ପ୍ରାତଃଭ୍ରମଣ କରୁଛନ୍ତି, ସେମାନଙ୍କ ଅସୁବିଧା କିଏ ଦେଖୁଛି, କିଏ ବୁଝୁଛି? ସରକାର ଘରେଘରେ ପାଇଖାନା କରିବା ପାଇଁ ନିୟମ କଲେ, ଏପରିକି ପାଇଖାନା କରିବା ପାଇଁ ଯଥେଷ୍ଟ ଅର୍ଥ ସାହାଯ୍ୟ ବି କଲେ। ସେ ଯୋଜନାର ମୂଳଲକ୍ଷ୍ୟ ଥିଲା ଖୋଲାରେ କେହି ମଳତ୍ୟାଗ ନ କରନ୍ତୁ, ପରିବେଶ ଖରାପ ନ ହେଉ, ସାଧାରଣ ଜୀବନଯାତ୍ରା ସହଜ ଓ ନିର୍ମଳ ହେଉ। ସରକାରଙ୍କର ସେ ଯୋଜନା ପ୍ରାୟ ସଫଳ ହେଲା। ଏବେ ବାହାରେ ମଣିଷ ମଳତ୍ୟାଗ ନାହିଁ କହିଲେ ଚଳେ। କିନ୍ତୁ ଏ ସମସ୍ୟା ଯେତିକି ମାତ୍ରାରେ ଦୂରୀଭୂତ ହେଲା, ତା’ଠାରୁ ଅଧିକ ମାତ୍ରାରେ କୁକୁର ମଳରେ ରାସ୍ତା ପ୍ରଦୂଷିତ ହେଲା। ତାକୁ ଦେଖିବା ପାଇଁ ନା ସରକାରଙ୍କ ଆଖି ଅଛି ନା ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କର। ରାସ୍ତା ଉପରୁ ଏ କୁକୁରମଳ କିଏ ଉଠେଇବ, କିପରି ଉଠିବ, ତାହା ଏକ ଅସମାଧିତ ପ୍ରଶ୍ନ ହୋଇ ରହିଛି। ମହାନଗର ନିଗମ ରାସ୍ତା ଝାଡ଼ୁ କରିବା ପାଇଁ ଯେଉଁ ଠିକାଦାର ନିଯୁକ୍ତ କରିଛନ୍ତି ଓ ସେମାନେ ଯେଉଁ ଝାଡ଼ୁଦାର ନିଯୁକ୍ତ କରିଛନ୍ତି, ସେମାନେ କେହି ରାସ୍ତା ଉପର କୁକୁରମଳ ଉଠାନ୍ତି ନାହିଁ। ତାକୁ ଛାଡ଼ିଦେଇ ସେମାନେ ଝାଡ଼ୁ ମାରନ୍ତି। ଜନବସତି ଅଞ୍ଚଳରେ, ଘର ଆଗରେ, ନିଜ ଘରର ପ୍ରାଚୀରପରିଧି ଭିତରେ ବି ଏ ସମସ୍ୟା ଆହୁରି ଅଧିକ, ଯାହାକୁ ସହ୍ୟ କରିବା ସାଧାରଣ ମଣିଷ ପକ୍ଷରେ ସମ୍ଭବ ନୁହେଁ। କୁକୁର ପ୍ରକୃତି ମଲେ ତୁଟେ ବୋଲି ଗୋଟିଏ ପ୍ରବାଦ ଅଛି। କୌଣସି ବୁଲାକୁକୁର ଯଦି ଥରେ କାହାର କମ୍ପାଉଣ୍ଡ ଭିତରେ କି ଘର ଆଗରେ ମଳତ୍ୟାଗ କଲା, ତା’ ପରଦିନ ସେ ଖୋଜିଖୋଜି ଆସି ସେଇଠି ମଳତ୍ୟାଗ କରିବ। ବର୍ଷାଦିନେ ଏ ସମସ୍ୟା ଅଧିକ ଉତ୍କଟ, ଯାହାକୁ ସହ୍ୟ କରିବା ସହଜସାଧ୍ୟ ନୁହେଁ। ଏବେ ସବୁଠି କୁକୁରମଳ ସଫା କରିବା କାମ ବୟସ୍କମାନେ ହିଁ କରୁଛନ୍ତି। ମହାନଗର ନିଗମ ସଫେଇ ବ୍ୟବସ୍ଥା ଏହା କରୁନାହିଁ, ଘରର ଅନ୍ୟ କାହାପାଖେ ସମୟ ନାହିଁ। ଅବଶିଷ୍ଟ ରହିଲେ ବୃଦ୍ଧମାନେ- ଯେପରି ଶେଷ ଜୀବନରେ ସେହିକଥା କରିବାକୁ ସେମାନେ ବଞ୍ଚତ୍ଛନ୍ତି। କମ୍ପାଉଣ୍ଡ ଭିତରୁ ମଳ ସଫା କରି ସେମାନେ ଚିକ୍‌ଚିକ୍‌ ଟାଇଲପକା ଗାଧୁଆଘରେ ଧୁଆ ଧୋଇ ହୁଅନ୍ତି।
ପଶୁପ୍ରେମୀମାନଙ୍କୁ ଅନୁରୋଧ,ଏ ସମସ୍ୟା ପାଇଁ ସେମାନେ ସଚେତନ ହୁଅନ୍ତୁ- କିଭଳି ଏହାର ସମାଧାନ କରିହେବ, ସେକଥା ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ନିର୍ଣ୍ଣୟ କରନ୍ତୁ। କାରଣ ଏମିତିବି କେବେ ଘଟିପାରେ, କେହି କ୍ରୋଧ ସମ୍ବରଣ କରି ନ ପାରି, ଯଦି କେବେ ବୁଲାକୁକୁରକୁ ଆଘାତ କରିଦିଏ-ତାକୁ ପରଦିନ ଥାନାରୁ ଡାକରା ଆସିପାରେ।
ପୋଷା କୁକୁରଙ୍କ କଥା ମଧ୍ୟ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଏକାଧାରରେ ବିଚାର କରନ୍ତୁ। ଯେଉଁମାନେ କୁକୁର ପୋଷିଛନ୍ତି, ସେମାନେ ରାସ୍ତାରେ ସେମାନଙ୍କୁ ମଳତ୍ୟାଗ କରିବାର ସୁଯୋଗ ନ ଦିଅନ୍ତୁ। ନିଜ ଘରେ ସେମାନେ ତାହା କରାନ୍ତୁ, ନଚେତ୍‌ ଟିସୁ ପେପର ସାଙ୍ଗରେ ଧରି ଆସନ୍ତୁ। ବୁଲେଇଲା ବେଳେ ନିଜ କୁକୁର ମଳ ନିଜେ ସଫା କରନ୍ତୁ। ସାହେବଙ୍କ ଭଳି କୁକୁର ପାଳିବା ଯେମିତି ଆକର୍ଷଣୀୟ-ସେମାନଙ୍କୁ ଯତ୍ନର ସହିତ ପାଳିବା ମଧ୍ୟ ସେତିକି ପ୍ରୟୋଜନ। ଅନ୍ୟ କେହି ସେମାନଙ୍କ କୁକୁର ପାଇଁ ଅସୁବିଧାର ସମ୍ମୁଖୀନ ନ ହେଉ ସେକଥା ବି ସେମାନେ ଦେଖନ୍ତୁ। ପଶୁପ୍ରେମୀ ଓ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଉଭୟ ଏକଥା ଚିନ୍ତା କରନ୍ତୁ ଓ ଏଥିପାଇଁ ନୀତିଗତ ନିଷ୍ପତ୍ତି ଗ୍ରହଣ କରନ୍ତୁ।
ଏଥିସହିତ ବୁଲାକୁକୁରମାନଙ୍କ ପ୍ରସବ ସମୟରେ ପଶୁପ୍ରେମୀମାନେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଧ୍ୟାନ ରଖନ୍ତୁ। ଏଠିସେଠି, ୟା’ ତା’ କମ୍ପାଉଣ୍ଡ ଭିତରେ, ଗ୍ୟାରେଜରେ ଛୁଆ ଦେଇ କାହାକୁ ଅନ୍ତତଃ ସେମାନେ ଅସୁବିଧାରେ ନପକାନ୍ତୁ; କି ଛୁଆ ଆଖି ଖୋଲିଗଲାପରେ, ସାଲୁବାଲୁ ହୋଇ ରାସ୍ତାଯାକ ନ ବୁଲନ୍ତୁ। ସେ ସମୟରେ ସେମାନଙ୍କ ପାଳନ ଦାୟିତ୍ୱ ନିର୍ଦ୍ଦିଷ୍ଟ ଭାବରେ କେହି ନେଉ। ଏହା ସହିତ ମାଈ କୁକୁରମାନଙ୍କୁ ପ୍ରଜନନ ଅକ୍ଷମ କରାଯାଇ ସେମାନଙ୍କ ବଂଶବୃଦ୍ଧିରେ ରୋକ ଲଗାଯାଉ। ଆଶାକରୁ, ଏଥିପାଇଁ ମହାନଗର ନିଗମ, ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଓ ପଶୁପ୍ରେମୀମାନେ ନିର୍ଦ୍ଦିଷ୍ଟ ଭାବରେ ଚିନ୍ତା କରନ୍ତୁ ଓ ଯଥାସମ୍ଭବ ସେମାନଙ୍କ ପାଇଁ ଯତ୍ନବାନ ହୁଅନ୍ତୁ।
୫୮-ସ୍ବର୍ଣ୍ଣପୁରୀ, ଭୁବନେଶ୍ୱର-୨୪, ମୋ: ୯୪୩୭୦୧୫୨୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri