କୁଜି ସୁପରପାୱାର

କିଛିବର୍ଷ ଧରି ଭାରତ ସରକାର, ପ୍ରତ୍ୟେକ ରାଜ୍ୟ ସରକାର, ଦେଶର ବିଭିନ୍ନ ବଡ଼ କମ୍ପାନୀ ଏବଂ ଏପରିକି ବ୍ୟବସାୟ କିମ୍ବା ସରକାର ସହିତ ସମ୍ପୃକ୍ତ ଭାରତୀୟ ବ୍ୟକ୍ତିବିଶେଷମାନେ କେବଳ ଆମେରିକୀୟ ଡଲାରରେ କଥାବାର୍ତ୍ତା ହେଉଛନ୍ତି। ଅର୍ଥମନ୍ତ୍ରୀ ତାଙ୍କର ବାର୍ଷିକ ବଜେଟ ପଢ଼ିସାରିବା ପରେ ଯେତେ ଅଭିଜ୍ଞ ବ୍ୟକ୍ତି ଟେଲିଭିଜନରେ ଆସି ସେମାନଙ୍କ ମୂଲ୍ୟବାନ ପ୍ରତିକ୍ରିୟା ଦେଶବାସୀଙ୍କୁ ଜଣାଉଛନ୍ତି, ସେମାନଙ୍କ ମଧ୍ୟରୁ କ୍ୱଚିତ୍‌ ଭାରତୀୟ ଟଙ୍କା ଉଚ୍ଚାରଣ କରିଥାଆନ୍ତି। ଏଥିରୁ ବୁଝାପଡ଼େ ଯେ, ଭାରତୀୟ ଟଙ୍କାକୁ ତା’ର ସମ୍ମାନ ଦେବା ପରିବର୍ତ୍ତେ ସବୁ ବଡ଼ବଡ଼ିଆ ଭାରତୀୟ ଆମେରିକୀୟ ଡଲାରରେ ବ୍ୟବସାୟ ଓ ଅର୍ଥନୀତିର ଉତ୍ଥାନ ପତନ ସମ୍ପର୍କରେ ମତ ଦେଇଚାଲନ୍ତି। ଏହା ମଧ୍ୟ ବୁଝିବାକୁ ହେବ ଯେ ଭାରତୀୟମାନେ ଅନ୍ତର୍ଜାତୀୟ ବ୍ୟବସାୟିକ ଜଗତରେ ନିଜକୁ ଏକ ବଡ଼ ଦେଶର ନାଗରିକ ଭାବେ ପ୍ରତିପାଦନ କରିବାକୁ ଇଚ୍ଛୁକ ଅଛନ୍ତି। କିନ୍ତୁ ସେଥିରେ ଅନ୍ୟ ଏକ ନକାରାତ୍ମକ ଦିଗ ମଧ୍ୟ ଅଛି। ଯେତେବେଳେ ଗୋଟେ ଦେଶ ବିଶ୍ୱସ୍ତରରେ ତା’ର ଛାପ ପକାଇବାକୁ ଚେଷ୍ଟା କରୁଛି ସେତେବେଳେ ସେହି ଦେଶକୁ ଅନ୍ତର୍ଜାତୀୟ ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ିବ। ଗତ ଫେବୃୟାରୀ ୧୭ରେ ଜର୍ମାନୀର ମ୍ୟୁନିକ୍‌ ସହରରେ ଅନୁଷ୍ଠିତ ମ୍ୟୁନିକ୍‌ ସିକ୍ୟୁରିଟି କନ୍‌ଫରେନ୍ସ (ଏମ୍‌ଏସ୍‌ସି-୨୦୨୩)ରେ ଭାଗ ନେଇ ବିଶ୍ୱରେ ଜଣାଶୁଣା ବିଲିୟନେୟାର ପୁଞ୍ଜିପତି ତଥା ଅନ୍ୟତମ ବଦାନ୍ୟ ବ୍ୟକ୍ତି ୯୨ ବର୍ଷୀୟ ଜର୍ଜ ସୋରସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଶିଳ୍ପପତି ଗୌତମ ଆଦାନୀଙ୍କ ନିବିଡ଼ ସମ୍ପର୍କ ସମ୍ବନ୍ଧରେ ଟିପ୍ପଣୀ ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ ଆଦାନୀ କମ୍ପାନୀର ଠକାମି ଧରାପଡ଼ିବା ପରେ ଯେଉଁ ପ୍ରବଳ କ୍ଷତି ସହିବାକୁ ପଡ଼ିଛି ତାହାଦ୍ୱାରା ଭାରତୀୟ ଅର୍ଥନୀତି ଦୁର୍ବଳ ହେବା ସହିତ ମୋଦିଙ୍କର ଶକ୍ତିଶାଳୀ ଭାବମୂର୍ତ୍ତି ମାଡ଼ ଖାଇଛି। ତାଙ୍କେ ଏହା ମଧ୍ୟ କହିଛନ୍ତି ଯେ ଏହି ଘଟଣା ପରେ ଭାରତର ଗଣତନ୍ତ୍ର ସୁଦୃଢ଼ ହେବାର ସମ୍ଭାବନା ବୃଦ୍ଧି ପାଉଛି, କାରଣ ତା’ର ସାମ୍ବିଧାନିକ ସଂସ୍ଥାଗତ ସଂସ୍କାର ଘଟିପାରେ।
ସୋରସଙ୍କର ଏଭଳି ମନ୍ତବ୍ୟ ସ୍ବାଭାବିକ ଭାବେ ଭାରତରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଛି। ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, ଯିଏ ନିଜେ ଜଣେ ଅବସରପ୍ରାପ୍ତ ବୈଦେଶିକ ସେବା ଅଧିକାରୀ ସିଏ ସୋରସଙ୍କୁ ଜଣେ ଧନୀ, ଜିଦ୍‌ଖୋର ‘ବୁଢ଼ା’ର ଆଖ୍ୟା ଦେଇ କଟାକ୍ଷ କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ସୋରସ କେବଳ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିନାହାନ୍ତି, ବରଂ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ମଧ୍ୟ ଆକ୍ରମଣ କରିଛନ୍ତି। ତେବେ ଏଠାରେ ମନେପଡ଼େ ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୨୦୧୯ରେ ଆମେରିକାର ଟେକ୍ସାସ୍‌ ରାଜ୍ୟକୁ ଯାଇ ଭାରତୀୟମାନଙ୍କ ଏକ ସଭାକୁ ଉଦ୍‌ବୋଧନ ଦେବା ବେଳେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପସ୍ଥିତିରେ ଘୋଷଣା କରିଥିଲେ ‘ଅବ୍‌ କି ବାର୍‌ ଟ୍ରମ୍ପ ସରକାର’। ଏହା ସାଧାରଣ ବହିର୍ବ୍ୟାପାର ନୀତିର ସର୍ବନିମ୍ନ ଚାହିଦାକୁ କୁଠାରାଘାତ କରିଥିଲା। ଅନ୍ୟଦେଶର ଗଣତାନ୍ତ୍ରିକ ପଦ୍ଧତିରେ ଏଭଳି ହସ୍ତକ୍ଷେପ ଦରକାର ନ ଥିଲା। ଏକ ଦୃଷ୍ଟାନ୍ତ ଦେଖିଲେ, ଭାରତ ସରକାରଙ୍କ ଦ୍ୱାରା ଗୋଆଠାରେ ଆୟୋଜିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଇସ୍ରାଏଲ ସିନେମା ନିର୍ମାତା ତଥା ନିର୍ଦ୍ଦେଶକ ନାଦାଭ ଲାପିଡ୍‌ କଶ୍ମୀର ଫାଇଲ୍ସକୁ ଯେତେବେଳେ ପ୍ରଚାରଧର୍ମୀ ସିନେମା ବୋଲି କହିଥିଲେ ସମଗ୍ର ଭାରତୀୟ ଜନତା ପାର୍ଟିର ନେତା, କର୍ମୀ ଓ ସମର୍ଥକ ତାଙ୍କ ଉପରେ ବର୍ଷିଲେ। ଅନୁରୂପ ଭାବେ କୃଷକ ଆନ୍ଦୋଳନ ବେଳେ ଆମେରିକୀୟ ଗାୟିକା ରିହାନା ଯେତେବେଳେ ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇଥିଲେ ସେତେବେଳେ ଭାଜପା ଓ ତା’ର ଟ୍ରୋଲ୍‌ ସେନା ଛାଟିପିଟି ହୋଇପଡ଼ିଥିଲେ। ସେହିଭଳି ଭାରତର କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଯେତେବେଳେ ଟୁଲ୍‌କିଟ୍‌ ଘଟଣାରେ ବେଙ୍ଗାଲୁରୁ ଯୁବତୀ ଦିଶା ରବି ଗିରଫ ହୋଇଥିଲେ ସେତେବେଳେ ତାଙ୍କ ସମର୍ଥନରେ ଅନ୍ତର୍ଜାତୀୟ ଜଳବାୟୁ କର୍ମୀ ଗ୍ରେଟା ଥନ୍‌ବର୍ଗଙ୍କ ସମେତ ଅନେକ ବିଶ୍ୱସ୍ତରୀୟ ସୁପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଆଗକୁ ଆସିଥିଲେ। ସେମାନେ ଦିଶାଙ୍କ ଗିରଫକୁ ସମାଲୋଚନା କରିବାରୁ ସେମାନଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଥାନାରେ ମାମଲା ରୁଜୁ କରାଯିବା ସହିତ ପ୍ରବଳ ଅସହିଷ୍ଣୁତା ପ୍ରଦର୍ଶନ କରାଯାଇଥିଲା।
ଏବେ ହିଣ୍ଡେନବର୍ଗ ରିପୋର୍ଟ ସହିତ ବିବିସି ଡକ୍ୟୁମେଣ୍ଟାରି ଗୁଜରାଟ ଦଙ୍ଗା ସମ୍ପର୍କରେ ଭିଡିଓ ଭଳି ଯେତୋଟି ତଥ୍ୟଭିତ୍ତିକ ପ୍ରମାଣ ଥିବା ଖବର ଆସୁଛି, ସେସବୁକୁ ଔପନିବେଶିକ ଚିନ୍ତାଧାରା ଦ୍ୱାରା ଭାରତକୁ ଭାଗ ଭାଗ କରିଦେବାର ବିଦେଶୀ ଉଦ୍ୟମ କହି ଚାପିଦେବାକୁ ମନ୍ଦ ଚେଷ୍ଟା ହେଉଛି। ପୁଣି ମନେପଡ଼େ ଯେତେବେଳେ ଟୁଇଟରର ତତ୍କାଳୀନ ମାଲିକ ଜ୍ୟାକ୍‌ ଡୋର୍ସେ ଭାରତରେ କୋଭିଡ୍‌ ବେଳେ ଭାଜପା ନେତାଙ୍କ ଟୁଇଟ୍‌କୁ ଅଣପ୍ରମାଣସିଦ୍ଧ ବୋଲି ଦର୍ଶାଇଥିଲେ, ତା’ ପରେ ଟୁଇଟରର ଦିଲ୍ଲୀ ଓ ଗୁଡ୍‌ଗାଓଁ ଅଫିସ୍‌ ଉପରେ ପୋଲିସ ଚଢ଼ାଉ କରିଥିଲା। ଏବେ ବିବିସି ଅଫିସ ଉପରେ ସେଭଳି କରାଯାଇଛି। ଏହିଭଳି ପ୍ରତିଶୋଧମୂଳକ ପଦକ୍ଷେପ ଯୋଗୁ ଭାରତର ଅନ୍ତର୍ଜାତୀୟ ଭାବମୂର୍ତ୍ତି ଉପରେ ନିଶ୍ଚିତ ଆଞ୍ଚ ଆସୁଛି। କାରଣ ସମସ୍ତେ ଜାଣନ୍ତି ଭାରତୀୟ ପୋଲିସ କିମ୍ବା ଆଇଟି ବିଭାଗର ଏହି ବିରାଟକାୟ ବିଦେଶୀ ସଂସ୍ଥାଗୁଡ଼ିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କାଟୁ କରିବ ନାହିଁ।
ବାସ୍ତବରେ ଯେତେବେଳେ ଅନ୍ତର୍ଜାତୀୟ ସ୍ତରକୁ ଯିବାକୁ ଭାରତୀୟମାନଙ୍କ ଇଚ୍ଛା ରହୁଛି, ତାହା ବ୍ୟବସାୟଠାରୁ ସିନେମା ଦେଇ ବିଭିନ୍ନ କ୍ଷେତ୍ରରେ ବିଶ୍ୱସ୍ତରୀୟ ନିରୀକ୍ଷଣ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ଯେତେବେଳେ କୌଣସି ବିଦେଶୀ ସଂସ୍ଥା ବା ନେତା ମୋଦି ସରକାରଙ୍କୁ ସାଧାରଣ ପ୍ରଶଂସା କରନ୍ତି, ସେତେବେଳେ କାନଫଟା ପ୍ରଚାର ଆରମ୍ଭ ହୋଇଯାଉଛି। ବିପରୀତ ମତ ଆସିଲେ ସେଥିରେ କ୍ରୋଧିତ ହୋଇ ଅଭଦ୍ର ଭାଷାରେ ଗାଳିଗୁଲଜ କରାଯାଉଛି। ଆଉ ଯୁଗ ନାହିଁ ଯେ ଭାରତ ନିଜକୁ ଏକ ସୁପରପାଓ୍ବାର ଭାବେ ଦର୍ଶାଇବାକୁ ଚେଷ୍ଟା କରିବ, କିନ୍ତୁ ଏକ ‘କୁଜି ଦେଶ’ ଭାବେ ପ୍ରତିକ୍ରିୟାଶୀଳ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri