Posted inଫୁରସତ

ନିଜ ଦୁନିଆର ସେମାନେ ରାଜା: ଆକାରରେ ଛୋଟ ହେଲେ ବି କାମରେ ବଡ଼…

ସମାଜରେ ସେମାନେ ପରିଚିତ ବାମନଭାବେ। ଭିନ୍ନ ଦୃଷ୍ଟିର ଚାହାଣି ସହ ଅନେକ ସମୟରେ ତାଚ୍ଛଲ୍ୟଭରା ହସ ସତେ ଯେମିତି ତାଙ୍କ ଜୀବନର ଏକ ଅଂଶ। ହେଲେ ଏସବୁକୁ ଆଡ଼େଇ ସେମାନେ ଆଗକୁ ବଢ଼ିଛନ୍ତି। ନିଜ ଜୀବନର ନିୟମ ନିଜେ ଗଢ଼ିଛନ୍ତି, ନିଜ ହିସାବରେ ଜିଇଛନ୍ତି। ଆଉ ପ୍ରମାଣ କରିଦେଇଛନ୍ତି ଯେ, ଆକାରରେ ଛୋଟ ହେଲେ ବି କାମରେ ସେମାନେ ବଡ଼, କାହାଠାରୁ କମ୍‌ ନୁହନ୍ତି…

କଳାକାର କେବେ ନିଜ ଦୁଃଖ ପ୍ରକାଶ କରେନା: ସୁମନ ମହାରଣା, ହାସ୍ୟାଭିନେତା
ସମସ୍ତଙ୍କ ଜୀବନରେ ସଂଘର୍ଷ ଥାଏ। ମୁଁ ବି ସଂଘର୍ଷ କରିଛି। ତେବେ ମୋ ଶରୀରକୁ ନେଇ ଲୋକେ ଅନେକ ସମୟରେ କରୁଥିବା ଥଟ୍ଟା ପରିହାସ ସେଇ ସଂଘର୍ଷକୁ ଅଧିକ କଷ୍ଟକର କରିଦେଉଥିଲା। ହେଲେ କାହାରି କଥାରେ ମୁଁ ଭାଙ୍ଗି ପଡିନି କି ଅଟକି ଯାଇନି। କାହାକୁ ପ୍ରତି ଉତ୍ତର ଦେବାକୁ ବି ଚାହିଁନି। କାରଣ ମୁଁ ଭାବେ ଭଗବାନ ଯାହାକୁ ଯେମିତି ଗଢ଼ିବା କଥା ଗଢ଼ିଛନ୍ତି। ତାକୁ ନେଇ ପ୍ରତିକ୍ରିୟା ପ୍ରକାଶ କଲେ କି ରାଗିଲେ ସ୍ଥିତି ବଦଳି ଯିବନି। ମୁଁ ମୋ ସ୍ଥିତିକୁ ନେଇ ଜିଇବା ଶିଖିଯାଇଛି। ଛୋଟବେଳେ ଆମ ଘରର ଆର୍ଥିକସ୍ଥିତି ଏତେଟା ଭଲ ନ ଥିଲା। ବାପା ସେଣ୍ଟ୍ରାଲ ଓ୍ବାଟର କମିଶନ୍‌ରେ ପିଅନ ଥିଲେ। ବାପାମା’ ଦୁହେଁ ଆଉ ନାହାନ୍ତି। ଆମେ ତିନି ଭାଇ ତିନି ଭଉଣୀ। ମୁଁ ଓ ମୋ ସାନ ଭଉଣୀ ମିନତି ଘରେ କମ୍‌ ଉଚ୍ଚତାର। ଆମ ଗାଁ ଖୋର୍ଦ୍ଧା ଜିଲା, ଚିଲିକା ବ୍ଲକର ବିରିବାଡ଼ି। ଘରେ ଲାଇନ ନ ଥିଲା। ଡିବି ଆଲୁଅରେ ଚଳୁଥିଲୁ। ମୁଁ ମାତ୍ର ୮ମ ପର୍ଯ୍ୟନ୍ତ ପଢ଼ିଛି। ହେଲେ ଛୋଟବେଳୁ ମତେ ନାଚିବାକୁ ବହୁତ ଭଲ ଲାଗୁଥିଲା। ମୋର ମନେଅଛି ଆର୍ଥିକସ୍ଥିତି ଖରାପ ଥିବାରୁ ମୁଁ ଓ ମୋ ସାନ ଭଉଣୀ ଅନେକଥର ଭସାଣି ଯାତ୍ରାରେ ଟଙ୍କା ନେଇ ନାଚିଛୁ। ଆଉ ଏଇ ନାଚ ପାଇଁ ଶେଷରେ ମୁଁ ଅଭିନୟଜଗତକୁ ବି ଆସିପାରିଥିଲି। ଥରେ ଯାତ୍ରା ଦେଖିବାକୁ ଯାଇଥାଏ, ଷ୍ଟେଜ୍‌ରେ ଡ୍ୟାନ୍ସ ଆରମ୍ଭ ହେବା ପୂର୍ବରୁ ଅନ୍ଧାର ଥାଏ। ଏଣେ ଗୀତ ଲାଗିଥାଏ। ମୋ ପାଦ ଅଥୟ ହେଲା। ସେଇ ଅନ୍ଧାର ଷ୍ଟେଜ ଉପରକୁ ଦୌଡ଼ି ଯାଇ ନାଚିବା ଆରମ୍ଭ କରିଦେଲି। ହଠାତ୍‌ ଲାଇଟ୍‌ ଜଳି ଉଠିଲା। ଯାତ୍ରା ପାର୍ଟିର ଡ୍ୟାନ୍ସର ଷ୍ଟେଜ୍‌କୁ ଆସିବାବେଳକୁ ମୁଁ ଜମେଇକି ନାଚୁଥାଏ। ଆଉ ଦର୍ଶକ ପଇସା ଫିଙ୍ଗିବାରେ ଲାଗିଥାନ୍ତି। ଏ ଦୃଶ୍ୟ ଦେଖି ଯାତ୍ରାପାର୍ଟି ଡ୍ୟାନ୍ସର ଫେରି ଚାଲିଗଲେ। ନାଚ ସରିବାବେଳକୁ କଏନ୍‌ ଗଦା ହୋଇଯାଇଥାଏ। ମୋ ଦେହରେ ବି କଏନ୍‌ ଆସି ବାଜୁଥାଏ। ସେ କଏନ୍‌କୁ ସଂଗ୍ରହ କରି ଦୋକାନରେ ନୋଟ୍‌ କରେଇଥିଲି। ଏସବୁ ଦେଖି ଯାତ୍ରା ପାର୍ଟି ଲୋକ ମତେ ଯାତ୍ରାରେ କାମ କରିବାକୁ କହିଲେ। ସେତେବେଳେ ଯାତ୍ରା ପେଣ୍ଡାଲ ପାଖାପାଖି ଜାଗାରେ ‘ଯେତେ କହିଲେ ଭାଗବତ ତୋଷ ନୋହିଲା ମୋର ଚିତ୍ତ’ ସିରିଏଲର ଶୁଟିଂ ହେଉଥାଏ। ସେଇ ଗହଳି ଶୁଣି ହର ପଟ୍ଟନାୟକ, ପ୍ରଦ୍ୟୁମ୍ନ ଲେଙ୍କା ଶୁଟିଂ ସେଟ୍‌ରୁ ଯାତ୍ରା ପେଣ୍ଡାଲ ପାଖକୁ ଚାଲି ଆସି ପଚାରିଲେ ଏତେ ଗହଳି, ଏତେ ପାଟି କ’ଣ ପାଇଁ। ମୁଁ କହିଲି ମୁଁ ନାଚୁଥିଲି ତ ସେଥିପାଇଁ। ସେମାନେ କହିଲେ ତମେ ନାଚିପାର? ମୁଁ କହିଲି, ହଁ। ମତେ ସେମାନେ ନାଚିବାକୁ କହିଲେ, ମୁଁ ନାଚିଲି। ଡାଇଲଗ୍‌ କହିବାକୁ କହିଲେ, ମୁଁ କହିଲି। ଏସବୁ ଦେଖି ସେମାନେ ବହୁତ ଖୁସି ହେଲେ। ମୋ ଘର ଆଡ୍ରେସ୍‌ ମାଗି ରଖିଲେ। କହିଲେ, ଆବଶ୍ୟକବେଳେ ତୁମକୁ ଡାକିବୁ। ଏହାପରେ ମୁଁ କଳିଙ୍ଗ ଯାତ୍ରା ପାର୍ଟିରେ କାମ କଲି। ‘କଣ୍ଢେଇ ଆଖିରେ ଲୁହ’ ଚଳଚ୍ଚିତ୍ର ନିର୍ମାଣ ସମୟ କଥା। ଚଳଚ୍ଚିତ୍ରରେ କଣ୍ଢେଇ ମୁଖା ଭିତରେ ରହି ଅଭିନୟ କରିବା ଲାଗି ଛୋଟ ପିଲା ଦରକାର ଥିଲା। ସେତେବେଳେ ମୋ କଥା ମନେପକାଇ ସେମାନେ ମତେ ଗାଡ଼ି ପଠାଇ ଡକାଇଲେ। ମୁଁ ପହଞ୍ଚତ୍ବା ପରେ ମତେ କଣ୍ଢେଇ ପରି ଚାଲିବାକୁ କହିଥିଲେ। ମୁଁ ସୁନ୍ଦରଭାବେ ଚାଲିକି ଦେଖେଇ ଦେଲି। ଆଉ ମତେ ସେଇ କଣ୍ଢେଇ ଚରିତ୍ର ପାଇଁ ବଛାଗଲା। ପ୍ଲାଷ୍ଟିକ ମୁଖା, ପ୍ଲାଷ୍ଟିକ ଗୋଡ଼ ହାତ ପିନ୍ଧି କଣ୍ଢେଇ ଭିତରେ ଲୁଚି ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ କଲି। ସେତେବେଳେ ବହୁତ କଷ୍ଟ ପାଇଥିଲି। ମୁଖା ଥରେ ପିନ୍ଧିଲେ ଖୋଲା ହେଉ ନ ଥିଲା। ଗରମରେ ମୁହଁ ସିଝି ଯାଉଥିଲା। ଖାଇପାରୁ ନ ଥିଲି। କେବଳ ଷ୍ଟ୍ର ସାହାଯ୍ୟରେ ଜୁସ୍‌ ପିଇ ଅଭିନୟ କରୁଥିଲି। ଚଳଚ୍ଚିତ୍ରଟି ରିଲିଜ ହେବା ପରେ ବହୁ ସଫଳତା ପାଇଲା। ହେଲେ କଣ୍ଢେଇ ଭିତରେ କିଏ ଥିଲା କେହି ଜାଣିପାରି ନ ଥିଲେ। ଏହାପରେ ଅନେକ ଚଳଚ୍ଚିତ୍ରରେ କାମ କରିବାକୁ ସୁଯୋଗ ମିଳିଲା। ସ୍କୁଲରେ ପଢ଼ିବାଠୁ ଆରମ୍ଭ କରି ଅଭିନୟ କରିବା ପର୍ଯ୍ୟନ୍ତ ଅନେକ ଲୋକ ମୋ ଉଚ୍ଚତାକୁ ନେଇ ଅନେକ କଥା କହିଛନ୍ତି। କଷ୍ଟ ହୋଇଛି, କିନ୍ତୁ ମୁଁ ସେସବୁ ଖାତିର କରିନି। ଦୁଃଖ କାହା ଆଗରେ ପ୍ରକାଶ ବି କରିନି। କାରଣ ମତେ ଲାଗେ ଦୁଃଖ ବାଣ୍ଟିଲେ ବଢ଼େ। ଆଉ ଜଣେ କଳାକାର ସବୁ ଦୁଃଖକୁ ଚାପି ଅନ୍ୟ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରେ। ମୁଁ ସେଇୟା ହିଁ କରୁଛି। ପ୍ରଥମେ ପ୍ରଥମେ ସିନେମାରେ ଅଭିନୟ କଲାବେଳେ ପାଉଣା ବାବଦରେ ଅନେକ ଥର ଠକାମିରେ ପଡ଼ିଥିଲି। କାମ କରି ବି ଟଙ୍କା ପାଇ ନ ଥିଲି। ତଥାପି ପ୍ରତିବାଦ କରିପାରୁ ନ ଥିଲି। ଯାତ୍ରାରେ କାମ କଲାବେଳେ ସେଇଭଳି ହଇରାଣ ହୋଇଥିଲି। ତେଣୁ ଯାତ୍ରା ଛାଡିଥିଲି। ଏବେ ସିନେମା ପିଛା ପାଖାପାଖି ୩୦,୦୦୦ ଟଙ୍କା ମିଳୁଛି। ଏଯାବତ ପ୍ରାୟ ୪୦ଟି ଚଳଚ୍ଚିତ୍ରରେ କାମ କରିସାରିଲିଣି। ୪ଟି ଚଳଚ୍ଚିତ୍ର କରୋନା ପାଇଁ ରିଲିଜ୍‌ ହୋଇ ପାରିନି। ଆଗାମୀ ଦିନରେ ରିଲିଜ ହେବ। ମୋର ଦୁଇ ଭାଇ ଦୁଇ ଭଉଣୀ ବିବାହ କରିସାରିଛନ୍ତି। ସାନ ଭଉଣୀ ଓ ମୁଁ ବାହା ହୋଇନୁ। ମୁଁ ମୋ ଜୀବନକୁ ନେଇ ବେଶ୍‌ ସନ୍ତୁଷ୍ଟ। ଲୋକଙ୍କ ଅଜସ୍ର ଭଲ ପାଇବା ମିଳିଛି। ଆଉ ଅଧିକ କ’ଣ ଦରକାର।’ ସୁମନଙ୍କ ସାନ ଭଉଣୀ ମିନତି କହନ୍ତି, ‘ଭଗବାନ ଦେଇଥିବା ଏଇ ଜୀବନକୁ ନେଇ ମୁଁ ବେଶ୍‌ ଖୁସି ଅଛି। ଅବସୋସ କିଛି ନାହିଁ। ପ୍ରଥମେ ଯେଉଁମାନେ ମତେ ଚିଡ଼ଉଥିଲେ ପରେ ମୋର ନାଚ, ଗୀତ ପ୍ରତିଭା ଦେଖି ଭଲ ପାଇଛନ୍ତି। ଏବେ ଆଉ ସେମିତି କେହି ଆକ୍ଷେପ କରି କହୁ ନାହାନ୍ତି। ମୁଁ ଓଡ଼ିଆରେ ପିଜି କରିଛି। ଏହାବାଦ୍‌ କିଛି ମ୍ୟୁଜିକ ଭିଡିଓ, ଫିଲ୍ମ ଓ ସିରିୟଲରେ କାମ କରିଛି। ଯଦିଓ ଭାଇ ଭଳି ଏତେଟା ପରିଚିତି ପାଇପାରି ନାହିଁ। ହେଲେ ଆଗକୁ କିଛି କରିଦେଖେଇବାର ଝୁଙ୍କ ଅଛି। ତା’ସହ ଚାକିରି କରିବାକୁ ବି ଚାହେଁ। ସେଥିପାଇଁ ଚେଷ୍ଟା କରିବି।’

ସମାଜସେବା କରୁଛି, କରିବି: କେଦାରନାଥ ରାଉତ, ବୟସ ୨୨ ବର୍ଷ। ଘର କେନ୍ଦ୍ରପଡ଼ା, ପଟ୍ଟାମୁଣ୍ଡାଇରେ। ଭୁବନେଶ୍ୱର ବିଜେବୀ କଲେଜରେ +୨ ଛାତ୍ର। ବାପାଙ୍କ ଦେହାନ୍ତ ପରେ ଏବେ ସେ ତାଙ୍କ ମା’ ଓ ଦୁଇ ଭାଇଙ୍କ ସହ ରୁହନ୍ତି। ଘରେ ତାଙ୍କୁ ଛାଡ଼ିଦେଲେ ଅନ୍ୟ କେହି ବାମନ ନୁହନ୍ତି। କେଦାରନାଥ କୁହନ୍ତି, ‘ଆଜି ପର୍ଯ୍ୟନ୍ତ ମୁଁ ମୋ ଉଚ୍ଚତାକୁ ନେଇ କେବେ ବି ଖରାପ ଅନୁଭବ କରିନାହିଁ। କାରଣ ମତେ ଲାଗେ କର୍ମ ମଣିଷକୁ ଛୋଟ କି ବଡ଼ କରେ। ଶାରୀରିକ ବୈଶିଷ୍ଟ୍ୟ ନୁହେଁ। ଭଗବାନ ନିଜେ ବାମନ ଅବତାର ନେଇଥିଲେ। ତେଣୁ କେହି କିଛି କହିଲେ ତାକୁ ମୁଁ ଗୁରୁତ୍ୱ ଦିଏନା। ଆମ ପରିବାରର

ଆର୍ଥିକସ୍ଥିତି ଏତେଟା ଭଲ ନୁହେଁ। ଅନେକ ଅଭାବ ଅସୁବିଧା ସତ୍ତ୍ୱେ ବି ମତେ ସମାଜ ସେବା କରିବାକୁ ଭଲ ଲାଗେ। ତେଣୁ ”ରେ’ ଅଫ୍‌ ଫାଉଣ୍ଡେଶନ୍‌“ ନାମକ ସଂସ୍ଥା ସହ ଜଡ଼ିତ ହୋଇ ଗରିବ ପିଲାଙ୍କୁ ପଢ଼ାଇବା, ଆଇ କ୍ୟାମ୍ପ, ମୋତିଆ ବିନ୍ଦୁ ଅପରେଶନ୍‌, ରକ୍ତଦାନ କରାଇବା ଭଳି କାମ କରୁଛି। ୨୦୧୭ରୁ ଏଭଳି ସମାଜସେବା କରିଆସୁଛି। ଏହି କାମରେ ମତେ ଆତ୍ମସନ୍ତୋଷ ମିଳୁଛି। ଏହାଛଡ଼ା ଅଭିନୟ କରିବାକୁ ବି ମତେ ଭଲ ଲାଗେ। ଟିକ୍‌ଟକ୍‌ରେ ଅନେକ ଭିଡିଓ କରିଥିଲି। ୧୦ ମିଲିୟନ ଭ୍ୟୁ ହେଉଥିଲା। ଏବେ ରିଲ୍ସ କରୁଛି। ସୁଯୋଗ ମିଳିଲେ ସିରିୟଲ, ସିନେମାରେ ଅଭିନୟ କରିବାକୁ ଇଚ୍ଛା ଅଛି। ଅଭାବ ଅସୁବିଧା ଓ ବାପାଙ୍କ ଦେହାନ୍ତ ପାଇଁ +୨ ପଢ଼ା ବନ୍ଦ ହେଇଯାଇଥିଲା। ବଡ଼ ଭାଇ ବମ୍ବେ ଯାଇ ଚାକିରି କରିବା ପରେ ଘରର ସ୍ଥିତି ଟିକେ ସୁଧୁରିଛି। ଆଉ ତିନି ବର୍ଷ ପରେ ମୁଁ ପୁଣିଥରେ ପଢ଼ା ଆରମ୍ଭ କରିଛି। ସାନ ଭାଇ ବି ପଢ଼ା ଆରମ୍ଭ କରିଛି। ତେବେ ମୁଁ ଭବିଷ୍ୟତରେ ଯାହାବି କରେ ସମାଜ ସେବାକୁ ଛାଡ଼ିପାରିବି ନାହିଁ। ବରଂ ସମାଜସେବାକୁ ନେଇ ଆହୁରି ଆଗକୁ ଯିବାକୁ ଇଚ୍ଛା ଅଛି।

ଲିଲିପୁଟ୍‌ : ଏମ୍‌ ଏମ୍‌ ଫାରୁକି କହିଲେ ହୁଏତ କେହି ଜାଣିପାରିବେନି ସେ କିଏ। କାରଣ ସ୍କ୍ରିନ୍‌ ନେମ୍‌ ଲିଲିପୁଟ୍‌ରେ ସେ ବେଶ୍‌ ପରିଚିତ। ଉଭୟ ବଲିଉଡ୍‌ ଓ ହିନ୍ଦୀ ଟେଲିଜଗତରେ ସେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ସାଗର, ଆଣ୍ଟି ନଂ ୧, ବଣ୍ଟି ଔର ବବ୍‌ଲି ପରି ଚଳଚ୍ଚିତ୍ରରେ ଅଭିନୟ କରି ନିଜ ବଳିଷ୍ଠ ଅଭିନୟର ଛାପ ଛାଡ଼ିଛନ୍ତି। ସେହିଭଳି ୯୦ ଦଶକର ପପୁଲାର କମେଡିଭିତ୍ତିକ ଧାରାବାହିକ ‘ଦେଖ ଭାଇ ଦେଖ୍‌’, ‘ନଟ୍‌ ଖଟ୍‌’, ‘ମି.ଫଣ୍ଟୁସ୍‌’, ‘ବିକ୍ରମ ଔର ବେତାଲ’ ଓ ସର୍ବୋପରି ହରର୍‌ ଧାରାବାହିକ ‘ଓ୍ବହ’ରେ ଅଭିନୟ କରି ସେ ଦର୍ଶକଙ୍କ ମନରେ ଘର କରି ଯାଇଛନ୍ତି। ଦୂରଦର୍ଶନର ସାଇନ୍ସ ଫଇକ୍ସନ ସିରିଜ ‘ଇନ୍ଦ୍ରଧନୁଶ’ର ସେ ରାଇଟର୍‌ ବି ଥିଲେ। ‘ଓ୍ବହ’ରେ ସେ ଲୋକଙ୍କୁ ବେଶ୍‌ ଡରାଇ ପ୍ରଶଂସା ସାଉଁଟିଥିଲେ। ଏହାକୁ ଦେଖି ସେତେବେଳେ ଜଣେ ଟପ୍‌ ଷ୍ଟାର୍‌ ତାଙ୍କୁ ଆକ୍ଷେପ କରି କହିଥିଲେ ତମେ ସିରିୟସ୍‌ ରୋଲ୍‌ ବି କରିପାର। ଲିଲିପୁଟ୍‌ କହନ୍ତି, ‘ସେତେବେଳେ ମୁଁ ଭାବିଥିଲି ବାମନ କ’ଣ ଖାଲି କମେଡି ରୋଲ୍‌ ପାଇଁ ଫିଟ୍‌?’ ଏମିତି ଅନେକ ଲୋକ ତାଙ୍କୁ ଅନେକ ତାଚ୍ଛଲ୍ୟ କରି କହିଛନ୍ତି। ହେଲେ ଲିଲିପୁଟ୍‌ କେବେ କାହାରି କଟୁକ୍ତି, ଆକ୍ଷେପକୁ ନିଜ ସଫଳତା ପଥରେ ବାଧକ ହେବାକୁ ଦେଇ ନାହାନ୍ତି।

ସାରା ପୃଥିବୀରେ ଚର୍ଚ୍ଚିତା ଜ୍ୟୋତି
ଦେଖିଲେ ଭାବିବେ ୨ ବର୍ଷର କୁନି ଝିଅଟିଏ। ଲମ୍ବା ଲମ୍ବା କେଶ, କୁନି କୁନି ହାତ ଗୋଡ। ବହୁତ ସୁନ୍ଦର ଲାଗନ୍ତି ସେ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଶରୀର ତାଙ୍କର ସିନା ୨ ବର୍ଷର କୁନି ଝିଅ ପରି ହେଲେ ବୟସ ତାଙ୍କୁ ୨୮ ବର୍ଷ। ଆଉ ତାଙ୍କ ଉଚ୍ଚତା ଏତେ କମ୍‌ ଯେ, ସେ ପୃଥିବୀର ସବୁଠାରୁ କମ୍‌ ଉଚ୍ଚତା ଥିବା ମହିଳାଭାବେ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ତାଙ୍କ ନାମ ହେଉଛି ଜ୍ୟୋତି କିସାଙ୍ଗେ ଅମ୍‌ଗେ। ତାଙ୍କର ଉଚ୍ଚତା ୨ ଫୁଟ ୩.୪ ଇଞ୍ଚ। ଜ୍ୟୋତିଙ୍କ ଉଚ୍ଚତା ନ ବଢ଼ିବାର କାରଣ ହେଉଛି ସେ ଏକ ଜିନ୍‌ଗତ ରୋଗ ପ୍ରାଇମୋରଡିଆଲ୍‌ ଡ୍ବାର୍ଫିଜିମ୍‌ରେ ପୀଡ଼ିତ। ହେଲେ ସେ କେବେ ବି ବାମନ ହେବାକୁ ନେଇ ଦୁଃଖିତ ନୁହନ୍ତି। ବରଂ ସେ ନିଜ ଶରୀରକୁ ଭଗବାନଙ୍କ ବରଦାନ ଭାବନ୍ତି। ଆଉ ନିଜକୁ ଜଣେ ଅଭିନେତ୍ରୀଭାବେ ମଧ୍ୟ ପରିଚିତ କରାଇପାରିଛନ୍ତି। ୨୦୦୯ରେ ଜ୍ୟୋତିଙ୍କୁ ନେଇ ଡକୁମେଣ୍ଟାରି ଚଳଚ୍ଚିତ୍ର ‘ବଡି ସକ୍‌: ଟୁ ଫୁଟ୍‌ ଟଲ୍‌ ଟିନ୍‌’ ହୋଇଥିଲା। ବିଗ୍‌ ବସ୍‌ ୬ରେ ତାଙ୍କର ଗେଷ୍ଟ ଆପିୟରେନ୍ସ ବି ଥିଲା। ୨୦୧୪ ଅଗଷ୍ଟ ୧୩ରେ ଆମେରିକୀୟ ହରର୍‌ ଷ୍ଟୋରି: ଫ୍ରିକ୍‌ ଶୋ’ରେ ବି ସେ ଅଭିନୟ କରିଥିଲେ; ଯେଉଁଥିରେ ତାଙ୍କ ଚରିତ୍ରର ନାମ ଥିଲା ‘ମା ପେଟାଇଟ୍‌’। ତାଙ୍କର ଏକ ଓ୍ବାକ୍ସ ବା ମହମର ପ୍ରତିକୃତି ଲୋନାଭଲାର ସେଲିବ୍ରିଟି ଓ୍ବାକ୍ସ ମ୍ୟୁଜିୟମରେ ଅଛି।

ପ୍ରଥମ ବାମନ ଭାବେ ପାଇଲେ ଡ୍ରାଇଭିଂ ଲାଇସେନ୍ସ: ହାଇଦ୍ରାବାଦର ଗଟ୍ଟିପାଲି ଶିବପାଲଙ୍କ ଉଚ୍ଚତା ପାଖାପାଖି ୩ ଫୁଟ। ହେଲେ ବୟସ ୪୨ ବର୍ଷ। ସେ ଘରର ବଡ଼ ପୁଅ ଓ କେବଳ ସେ ହିଁ ପରିବାରରେ ବାମନଭାବେ ଜନ୍ମ ହୋଇଥିଲେ। କମ୍‌ ଉଚ୍ଚତା ପାଇଁ ସେ ବି ଅନେକ ଅସହ୍ୟ ଥଟ୍ଟା ମଜାର ଶିକାର ହୋଇଛନ୍ତି। ହେଲେ ଏଥିରେ ସେ ଅଟକି ନ ଯାଇ ନିଜ ଜିଲା କରିମନଗରର ପ୍ରଥମ ଭିନ୍ନକ୍ଷମ ଡିଗ୍ରୀଧାରୀ ହୋଇ ପାରିଥିଲେ। ତଥାପି ତାଙ୍କୁ କାମଟିଏ ପାଇବାକୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। କିଛିଦିନ ଚଳଚ୍ଚିତ୍ର ଓ ଡେଲି ସୋପ୍‌ରେ ଛୋଟ ମୋଟ କାମ କରିଥିଲେ। ପରେ ଜଣେ ସାଙ୍ଗଙ୍କ ସହାୟତାରେ ଏକ କମ୍ପାନୀରେ କାମଟିଏ ପାଇଲେ। ସେ କହନ୍ତି, ”ମୁଁ ଯେବେ ମୋ ସ୍ତ୍ରୀ ସହ ବୁଲିବାକୁ ବାହାରେ ଓ କ୍ୟାବ ବୁକ୍‌ କରେ ଆମକୁ ଦେଖିବା ପରେ କ୍ୟାବ୍‌ କ୍ୟାନ୍ସେଲ କରିଦେଉଥିଲେ। ଏମିତି କି ଲୋକେ ଖରାପ କଥା ବି କହୁଥିଲେ। ତେଣୁ ନିଷ୍ପତ୍ତି ନେଲି ଗାଡ଼ି କିଣିବି, ଚଳାଇବା ଶିଖିବି। ମୋ ପରି ବାମନ କିଭଳି ଗାଡ଼ି ଚଳାଇପାରିବେ ସେନେଇ ଇଣ୍ଟରନେଟ୍‌ ସର୍ଫ କରି ଅନେକ ଭିଡିଓ ଦେଖିଲି। ଏକ ଭିଡିଓରେ ସିଟ୍‌ ଉପରକୁ କରିବା ସହ କାର୍‌ରେ କିଛି ଜରୁରୀ ପରିବର୍ତ୍ତନ କରି ମୋ ଉଚ୍ଚତାର ମଣିଷ ଗାଡ଼ି ଚଳାଇବା ଦେଖିବାକୁ ପାଇଲି। ଏହାପରେ ମନରେ ସାହସ ହେଲା। ଆଉ ଗାଡ଼ିଟିଏ କିଣି ସେହିଭଳି ସବୁ ପରିବର୍ତ୍ତନ ଗାଡ଼ିରେ କରାଇଲି। ଜଣେ ସାଙ୍ଗ ସହାୟତାରେ ଗାଡ଼ି ଚଳାଇବା ଶିଖିଲି। ଗାଡ଼ି ସିନା ଶିଖିଗଲି, ହେଲେ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ଶେଷରେ ଡ୍ରାଇଭିଂ ଲାଇସେନ୍ସ ପାଇଥିବା ଭାରତର ପ୍ରଥମ ବାମନ ହେବାର ସୌଭାଗ୍ୟ ଅର୍ଜନ କଲି।“

ବାମନ ପରିବାର
ତେଲେଙ୍ଗାନାର ୫୨ ବର୍ଷୀୟ ରାମ ରାଜଙ୍କ ପରିବାରର ସଦସ୍ୟ ସଂଖ୍ୟା ୧୧। ଏହି ୧୧ ଜଣଙ୍କ ମଧ୍ୟରୁ ୯ଜଣ ବାମନ। ତେଣୁ ଘରୁ ବାହାରିବାମାନେ ଲୋକଙ୍କ ଅଜବ ଚାହାଣି, ଅଜବ ପ୍ରଶ୍ନର ବାଣ ସହ ଅନେକ ତାଚ୍ଛଲ୍ୟଭରା କଥା ସେମାନଙ୍କୁ ଶୁଣିବାକୁ ପଡ଼େ। ତଥାପି ସେମାନେ ସବୁ କଷ୍ଟକୁ ଚାପି ଆଗେଇ ଚାଲିଛନ୍ତି। ରାମ ରାଜ କହନ୍ତି, ”ଆମ ପରିବାରର ସଦସ୍ୟଙ୍କୁ ସହଜରେ କେହି କାମ ଦିଅନ୍ତି ନାହିଁ। କାରଣ ଲୋକଙ୍କ ମନରେ ଧାରଣା ରହିଛି ଯେ, ଆମେ କୌଣସି କାମ କରିବାକୁ ସମର୍ଥ ନୁହଁ। ସେଥିପାଇଁ ବହୁ କଷ୍ଟରେ ମୁଁ ମ୍ୟାରେଜ ଓ୍ବେଲକମର୍‌ କାମଟି ପାଇଲି। ହେଲେ ଯେବେ କୌଣସି ବିବାହ ନ ଥାଏ ରୋଜଗାର ବନ୍ଦ ହୋଇଯାଏ। ତେଣୁ ଜଣେ ସମ୍ପର୍କୀୟଙ୍କ ଗ୍ରୋସେରି ଦୋକାନରେ ବି କାମ କରୁଛି। ମୋ ଝିଅର ଆକାଉଣ୍ଟାଣ୍ଟ ହେବାକୁ ବହୁତ ଇଚ୍ଛା। କିନ୍ତୁ ଶିକ୍ଷାଗତ ଯୋଗ୍ୟତା ଥାଇ ବି ତାକୁ କେହି କାମ ଦେଉ ନାହାନ୍ତି। ଏହି କାରଣରୁ ଆମେ ବାଧ୍ୟ ହୋଇ ଛୋଟ ମୋଟ କାମ କରୁଛୁ। ତଥାପି ମୁହଁରେ ହସ ଫୁଟେଇ ବଞ୍ଚୁଛୁ। କାରଣ ମୋ ବାପା କହିଥିଲେ ଉଚ୍ଚତା ପାଇଁ କେବେ ବି ମନ ଦୁଃଖ କରିବ ନାହିଁ। କାରଣ ଭଗବାନ ବି ବାମନ ହୋଇ ଜନ୍ମ ହୋଇଥିଲେ। ତା’ସହ କେହି ଯଦି ତୁମକୁ ଦେଖି ହସୁଛନ୍ତି, ଭାବି ନେବ ଯେ ଭଗବାନ ଅନ୍ୟ ମୁହଁରେ ହସ ଫୁଟାଇବା ପାଇଁ ତୁମକୁ ଜନ୍ମ ଦେଇଛନ୍ତି।“

ବାମନ ଗାଁ
ଆସାମର ଉଦଲଗୁରି ଜିଲାରେ ଅଛି ‘ଅମାର ଗାଁ’। ଗୁଆହାଟିଠାରୁ ଏହା ୯୦ କି.ମି. ଦୂରରେ ଅବସ୍ଥିତ। ଏହି ଗାଁର ବିଶେଷତ୍ୱ ହେଉଛି ଯେ, ଏଠାରେ ୭୦ଜଣ ବାମନ ବସବାସ କରନ୍ତି। ସେଥିପାଇଁ ଏହା ‘ବାମନଙ୍କ ଗାଁ’ଭାବେ ବେଶ୍‌ ପରିଚିତ। ଏହି ଗାଁକୁ ଗଲେ ଲାଗେ ସତେ ଯେମିତି ଏହା ଏକ ଭିନ୍ନ ଦୁନିଆ। ତେବେ ଏହି ଗାଁକୁ ବସେଇଛନ୍ତି ପବିତ୍ର ରାଭା ନାମକ ଜଣେ ଆସାମୀୟ ଅଭିନେତା। ସେଥିପାଇଁ ସେ ଏହି ଗାଁର ସର୍ଦ୍ଦାର ବୋଲି ଅନେକେ କହନ୍ତି। ଏଠାକାର କୌଣସି ବ୍ୟକ୍ତିଙ୍କ ଉଚ୍ଚତା ସାଢ଼େ ତିନି ଫୁଟ୍‌ରୁ ଅଧିକ ନୁହେଁ। ଏହି ଗାଁକୁ କିଏ ନିଜ ଇଚ୍ଛାରେ ଆସି ରହୁଛନ୍ତି ତ କାହାକୁ ତା’ର ପରିବାର ଲୋକେ ଏଠାରେ ଛାଡ଼ି ଦେଇଯାଇଛନ୍ତି। ଏଠାକାର ସମସ୍ତଙ୍କ ଉଚ୍ଚତା କମ୍‌ କିନ୍ତୁ ମନରେ ଦମ୍ଭ ବହୁତ। ଏମାନେ ଦିନତମାମ କ୍ଷେତରେ ଚାଷବାସ କରନ୍ତି। ଆଉ ସନ୍ଧ୍ୟା ହେଲେ ରଙ୍ଗମଞ୍ଚରେ କଳାକାର ଭାବେ ନଜର ଆସନ୍ତି। କାରଣ ଏଠି ରହୁଥିବା ସବୁ ବାମନ ଜଣେ ଜଣେ କଳାକାର। ତେବେ ଏହି ଗାଁ ବସେଇବା ପଛରେ ରହିଛି ଏକ ରୋଚକ କଥା। ପବିତ୍ର ରାଭା ନ୍ୟାଶନାଲ ସ୍କୁଲ ଅଫ୍‌ ଡ୍ରାମାର ଜଣେ ରଙ୍ଗମଞ୍ଚ କଳାକାର। ସେ ଏନ୍‌ଏସ୍‌ଡିରୁ ବାହାରିବା ପରେ ଅବହେଳାର ଶିକାର ହେଉଥିବା ବାମନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ସେମାନଙ୍କୁ ଅଭିନୟର କଳା ଶିଖାଇବାକୁ ନିଷ୍ପତ୍ତି ନେଇଥିଲେ। ଆଉ ୨୦୧୧ରେ ଏଇ ବାମନ ଗାଁକୁ ସ୍ଥାପନ କଲେ। ପ୍ରଥମେ ଏହି ପଦକ୍ଷେପ ପାଇଁ ତାଙ୍କୁ ଅନେକ ଲୋକ ଅନେକ ତାଚ୍ଛଲ୍ୟଭରା କଥା କହିଥିଲେ। କିଏ ତାଙ୍କର ଏଇ ଗାଁକୁ ‘ବାମନଙ୍କ ଦେଶ’ କହୁଥିଲା ତ କିଏ ‘ବାମନ ମଣ୍ଡଳୀ’ କହୁଥିଲା। ହେଲେ ଏସବୁକୁ ଖାତିର ନ କରି ସେ ବାମନଙ୍କୁ ସ୍ବାଭିମାନର ସହ ବଞ୍ଚିବାର ସୁଯୋଗ ଦେଲେ। ଆଉ ଅଭିନୟର ତାଲିମ ଦେଇ ସେମାନଙ୍କୁ କଳାକାରର ପରିଚୟ ବି ଦେଲେ। ଭାରତର ଏଇ ବାମନ ଗାଁ ପରି ଚାଇନା ସିଚୁଆନ ପ୍ରାନ୍ତସ୍ଥ ୟାଙ୍ଗସୀ ନାମକ ଗାଁ ବି ସାରା ପୃଥିବୀରେ ବାମନଙ୍କ ଗାଁ ଭାବେ ପରିଚିତ। କାରଣ ଏଠାକାର ଅଧିକାଂଶ ଅଧିବାସୀଙ୍କ ଉଚ୍ଚତା ୨ ଫୁଟ ୧ ଇଞ୍ଚରୁ ୩ ଫୁଟ ୧୦ ଇଞ୍ଚ ମଧ୍ୟରେ ହୋଇଥାଏ। ଏହି ଗାଁ ଅନେକ ସମୟ ଧରି ଲୋକଲୋଚନରୁ ଦୂରରେ ଥିଲା। ୧୯୧୧ରେ ପ୍ରଥମେ ଏହା ଲୋକଲୋଚନକୁ ଆସିଥିଲା। ଆଉ ୧୯୫୧ରେ ସରକାରୀ ସ୍ତରରେ ଏହା ପରିଚୟ ପାଇଲା। ଏହି ଗାଁରେ ବାମନଙ୍କ ସଂଖ୍ୟା ଏତେ ଅଧିକ କାହିଁକି ସେଥିଲାଗି ଅନେକ ଗବେଷଣା ହୋଇଛି। ହେଲେ ଏଯାବତ୍‌ କିଛି ନିଷ୍କର୍ଷ ବାହାରି ପାରିନି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିର ବାଳିକା: ସୁରକ୍ଷିତ ଜୀବନ ଓ ଅଧିକାର ଅପେକ୍ଷାରେ

କନ୍ୟାରତ୍ନ , କହିବା ଯେତିକି ସହଜ ତାହାକୁ ରତ୍ନ ଭଳି ଆଦର କରିବା ସେତିକି କଷ୍ଟ ମନେକରୁଛି ଆଜିର ସମାଜ। ଝିଅ-ପୁଅ ସମାନ ସ୍ଲୋଗାନ୍‌କୁ ନେଇ...

ଦୁନିଆର ସବୁଠୁ ବଡ଼ ହୋଟେଲ, ଏହା ଉପରେ ରହିଛି ୪ ହେଲିପ୍ୟାଡ୍‌

ସମଗ୍ର ବିଶ୍ୱରେ ଏକାଧିକ ହୋଟେଲ ଅଛି। କେତେକ ବହୁତ ବଡ଼ ଏବଂ ଆଉ କେତେକ ବିଳାସପୂର୍ଣ୍ଣ। ପ୍ରତ୍ୟେକ ହୋଟେଲର ନିଜସ୍ବ ବିଶେଷତା ବି ରହିଛି। ଆପଣଙ୍କ...

ମନପସନ୍ଦର ସ୍ବାମୀ ପାଇବା ପାଇଁ ୧୦୦ ଜଣଙ୍କୁ ଡେଟ୍‌ କରିସାରିଲେଣି ଯୁବତୀ, ଥରକେ ଖର୍ଚ୍ଚ କରନ୍ତି ଏତିକି ଟଙ୍କା…

ଲୋକେ ସଫଳତା ପାଇବା ପାଇଁ ଅଦ୍ଭୁତ କାର୍ଯ୍ୟ କରିଥାନ୍ତି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଏହି ଯେମିତି ଜଣେ ଯୁବତୀ ବିବାହ ପୂର୍ବରୁ ଅନେକ ଡେଟିଂ...

ପାରା ପରରେ ତିଆରି ହେଲା ସ୍ବୟଂଚାଳିତ ରୋବୋଟିକ୍‌ ବିମାନ…

କାଲିଫର୍ନିଆ, ୧୮।୧: ପ୍ରତିଦିନ ବୈଜ୍ଞାନିକମାନେ ନୂଆ ନୂଆ ଗବେଷଣା କରୁଛନ୍ତି। ସମ୍ପ୍ରତି ଆମେରିକାର କାଲିଫର୍ନିଆ ସ୍ଥିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକ ୪୦ଟି ପାରା ପରରେ ସ୍ବୟଂଚାଳିତ...

ଏହି ପ୍ରାଣିକୁ ଡରିଲା ବାଘ, ଜଙ୍ଗଲରେ ଦୌଡ଼ିଲା ଜୀବନ ନେଇ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ଭାରତର ଏହି ସ୍ଥାନକୁ ଆଜି ବି ଯିବାଆସିବା କରିଥାନ୍ତି ଏଲିଏନ୍ସ

ଆଜି ମଧ୍ୟ ଏଲିଏନ୍ସମାନେ ପୃଥିବୀର କୌଣସି ନା କୌଣସି ସ୍ଥାନକୁ ଯିବାଆସିବା କରୁଛନ୍ତି। ଏହାକୁ ନେଇ ଅନେକ ଫିଲ୍ମ ମଧ୍ୟ ନିର୍ମିତ ହୋଇସାରିଛି। କିନ୍ତୁ ଏହା...

୫ ଥର ଝିଅ ଦେଖିବା ପରେ ଯୁବକ କଲେ ନାପସନ୍ଦ, ନିର୍ଧୂମ ଖାଇଲେ ଛେଚା, ଭିଡିଓ ଭାଇରାଲ

ମୁମ୍ବାଇ,୨୫।୪: ଜଣେ ଯୁବକ ୫ ଥର ଝିଅ ଦେଖିବା ପରେ ନାପସନ୍ଦ କରିବାରୁ ଝିଅ ଘର ଲୋକେ ସଂପୃକ୍ତ ଯୁବକଙ୍କୁ ଏକ ବନ୍ଦ କୋଠରିରେ ପ୍ରବଳ...

ଅଛି କି ନଖ କାମୁଡ଼ା ଅଭ୍ୟାସ…

ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟ ଅନେକଙ୍କୁ ନଖ କାମୁଡୁଥିବା ଦେଖିବାକୁ ମିଳେ। ଏକ ଗବେଷଣା ତଥ୍ୟ ଅନୁଯାୟୀ, ଭୟରେ କିମ୍ବା ମାନସିକ ଚାପରେ ଥିବା ବେଳେ...

Advertisement
Archives

Model This Week