ଗାଡ଼ିର ମାଇଲେଜ କମିବ କିନ୍ତୁ ଇଞ୍ଜିନ ଖରାପ ହେବନାହିଁ, E୨୦ ପେଟ୍ରୋଲ ନେଇ ମିଥ୍ୟା ପ୍ରଚାର ଉପରେ ବର୍ଷିଲେ ଗଡ଼କରୀ

ନୂଆଦିଲ୍ଲୀ,୯।୭: E୨୦ ପେଟ୍ରୋଲ (୨୦% ଏଥାନଲ ଏବଂ ୮୦% ପେଟ୍ରୋଲ) ବ୍ୟବହାର ଦ୍ୱାରା ଗାଡ଼ିର ଇଞ୍ଜିନ ଖରାପ ହେଉଥିବା ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ। ତେବେ ଏହା ଦ୍ୱାରା ଗାଡ଼ିର ମାଇଲେଜ୍‌ରେ ସାମାନ୍ୟ ହ୍ରାସ ଘଟିବା କଥାକୁ ସେ ସ୍ବୀକାର କରିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଗଡ଼କରୀ କହିଛନ୍ତି ଯେ, ସୋସିଆଲ ମିଡିଆରେ ଇଞ୍ଜିନ ଖରାପ ହେବା ନେଇ ଯେଉଁ ସବୁ ଖବର ସାମ୍ନାକୁ ଆସୁଛି, ତାହା ସମ୍ପୂର୍ଣ୍ଣ ଗୁଜବ ଏବଂ ଏକ ମନଗଢ଼ା କାହାଣୀର  ଅଂଶବିଶେଷ।
କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁଯାୟୀ, ପେଟ୍ରୋଲ ତୁଳନାରେ ଏଥାନଲ୍‌ର କ୍ୟାଲୋରିଫିକ ଭାଲ୍ୟୁ (ଉଷ୍ମୀୟ କ୍ଷମତା) କମ୍‌। ତେଣୁ ଇନ୍ଧନରେ ଏଥାନଲ୍‌ର ମାତ୍ରା ବଢ଼ିଲେ ଗାଡ଼ିର ହାରାହାରି ମାଇଲେଜ ସାମାନ୍ୟ କମିଯାଇପାରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମାଇଲେଜ କେବଳ ଇନ୍ଧନ ଉପରେ ନୁହେଁ, ବରଂ ଟ୍ରାଫିକ ଏବଂ ଗାଡ଼ି ଚାଲୁଥିବା ପରିସ୍ଥିତି ଉପରେ ନିର୍ଭର କରେ। ଉଦାହରଣ ସ୍ବରୂପ, ଦିଲ୍ଲୀ-ମୁମ୍ବାଇ ଭଳି ବ୍ୟସ୍ତବହୁଳ ସହରରେ ଗାଡ଼ିଗୁଡ଼ିକ ଅଧିକ ସମୟ କମ ଗିୟରରେ ଚାଲିଥାଏ, ଯାହା ମାଇଲେଜ୍‌କୁ ପ୍ରଭାବିତ କରେ।
ଗଡ଼କରୀ ଚ୍ୟାଲେଞ୍ଜ କରି କହିଛନ୍ତି, “ମୋତେ ଏମିତି ଗୋଟିଏ ବି କାର୍‌ ଦେଖାନ୍ତୁ, ଯାହା E୨୦ ଇନ୍ଧନ ଯୋଗୁ ନଷ୍ଟ ହୋଇଛି।” ସେ ସ୍ପଷ୍ଟ କରିଛନ୍ତି ଯେ ପୁଣେସ୍ଥିତ ’ଅଟୋମୋଟିଭ ରିସର୍ଚ୍ଚ ଆସୋସିଏଶନ ଅଫ୍‌ ଇଣ୍ଡିଆ’ (ARAI) ପକ୍ଷରୁ ଅନେକ ପରୀକ୍ଷଣ ଓ ସବୁଜ ସଙ୍କେତ ମିଳିବା ପରେ ହିଁ ଗତବର୍ଷ ଏହି ଇନ୍ଧନ ଲାଗୁ କରାଯାଇଛି। ବାହନ ନିର୍ମାତା କମ୍ପାନୀଗୁଡ଼ିକ ଦ୍ୱାରା କରାଯାଇଥିବା ଯାଞ୍ଚରୁ ଜଣାପଡ଼ିଛି ଯେ, ଇଞ୍ଜିନ ସମସ୍ୟା ପାଇଁ E୨୦ ନୁହେଁ, ବରଂ ପେଟ୍ରୋଲ ପମ୍ପରେ ମିଳୁଥିବା ମିଶ୍ରିତ ବା ଭେଜାଲ ଇନ୍ଧନ ହିଁ ଦାୟୀ।
ପୁରୁଣା ଗାଡ଼ିଗୁଡ଼ିକର ସୁରକ୍ଷା ପାଇଁ ଗାଡ଼ି ର୍ନିମାତା କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସର୍ଭିସିଂ ସମୟରେ ଯଦି କୌଣସି ପାର୍ଟସ ଉପରେ ସାମାନ୍ୟ ପ୍ରଭାବ ପଡ଼ିବାର ଆଶଙ୍କା ଥାଏ, ତେବେ ତାହାକୁ ବଦଳାଇ ଦିଆଯାଉ। ବର୍ତ୍ତମାନ ସରକାର ଦେଶରେ ‘ଫ୍ଲେକ୍ସ-ଫ୍ୟୁଲ’ ଇଞ୍ଜିନ ଟେକ୍ନୋଲୋଜିକୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି, ଯେଉଁଥିରେ ମାଇଲେଜ୍‌ର କୌଣସି ସମସ୍ୟା ରହିବ ନାହିଁ।
Dharitri – Odisha’s No.1 Odia Daily

Share