କର୍ନାଟକରେ କମାଲ କଲେ ସାଇପ୍ରକାଶ

ଭଦ୍ରକ ଅଫିସ,୯।୯: ବୟସ ମାତ୍ର ୮ ବର୍ଷ। ୩୦ରୁ ଊର୍ଦ୍ଧ୍ୱ ଯୋଗାସନରେ ମାହିର୍‌। ଆଖି ପିଛୁଳାକେ କରି ଦେଖାନ୍ତି କଷ୍ଟସାଧ୍ୟ ଯୋଗାସନ। ଯେଉଁ ଆସନ କରିବା ଯୋଗ ଗୁୁରୁମାନଙ୍କ ପକ୍ଷେ କଷ୍ଟସାଧ୍ୟ, ସେହି ଆସନ ଅତି ସହଜରେ ସେ କରିପାରନ୍ତି। ଯୋଗରେ କମାଲ ଦେଖାଇ ଏବେ କର୍ନାଟକରେ ସ୍ବର୍ଣ୍ଣପଦକ ଜିତି ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ବିସ୍ମୟ ବାଳକ ସାଇପ୍ରକାଶ ନାୟକ। ତାଙ୍କ ଘର ଭଦ୍ରକ ଜିଲା ବନ୍ତ ନିକଟସ୍ଥ ସଢ଼ା ପଞ୍ଚାୟତର ନାହା ଗ୍ରାମରେ। କଳ୍ପନା ମହାପାତ୍ର ଓ ପ୍ରଶାନ୍ତ କୁମାର ନାୟକଙ୍କ ପୁଅ ସାଇପ୍ରକାଶ। ଇଣ୍ଡିଆନ ହଟ୍‌ ଯୋଗ ଫେଡେରେଶନ, ଇଣ୍ଟରନ୍ୟାଶନାଲ ଯୋଗ ସ୍ପୋଟର୍‌ସ ଫେଡେରେଶନ ଏବଂ ସାଉଥ୍‌ ଏସିଆ ଯୋଗ ସ୍ପୋଟର୍‌ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ହାମ୍ପିସ୍ଥିତ ଡିପାର୍ଟମେଣ୍ଟ ଅଫ୍‌ ଯୋଗ ଷ୍ଟଡିଜ୍‌ କାନାଡ଼ା ୟୁନିଭର୍ସିଟିଠାରେ ଅନୁଷ୍ଠିତ ଅଲ୍‌ ଇଣ୍ଡିଆ ଯୋଗାସନ ଅଫ୍‌ ସ୍ପୋଟର୍‌ସ ଚାମ୍ପିୟନଶିପ୍‌ରେ ସେ ଏହି ସଫଳତା ହାସଲ କରିଛନ୍ତି। ଗତ ୨ରୁ ୪ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ୧୫ ରାଜ୍ୟର ୫ ଶହରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ। ଗ୍ରାଣ୍ଡ ଫିନାଲେରେ ଗୁଜରାଟର ଟିମ୍‌ ପ୍ରଥମ ହୋଇଥିବା ବେଳେ ଓଡ଼ିଶା ଟିମ୍‌ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଏହାସହ ଅନ୍‌ଲାଇନରେ ଏକ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଦୁଇଟିଯାକ ପ୍ରତିଯୋଗିତାରେ ସାଇପ୍ରକାଶ ୨ଟି ସ୍ବର୍ଣ୍ଣପଦକ ପାଇଛନ୍ତି। ପ୍ରତିଯୋଗିତା ସାରି ମା’ କଳ୍ପନାଙ୍କ ସହ ସେ ଗତ ମଙ୍ଗଳବାର ଭୁବନେଶ୍ୱର ରେଳ ଷ୍ଟେଶନରେ ପହଞ୍ଚିବା ପରେ ଓଡ଼ିଶା ଯୋଗ କୋଚ୍‌ ଦେବାଶିଷ ହରଦଲଙ୍କ ନେତୃତ୍ୱରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାଇପ୍ରକାଶଙ୍କ ବାପା ପ୍ରଶାନ୍ତ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି। ହାଇଦ୍ରାବାଦରେ ପରିବାର ସହ ରହୁଥିବା ବେଳେ ମାତ୍ର ୪ ବର୍ଷ ବୟସରୁ ସାଇପ୍ରକାଶ ଟେଲିଭିଜନରେ ସୋନି ଆର୍ଯ୍ୟାଙ୍କ ଯୋଗ ଉପରେ ପର୍ଯ୍ୟବସିତ ଏକ ନୃତ୍ୟ ଦେଖିବା ପରେ ଅନୁକରଣ କରିଥିଲେ। ପରେ ତାଙ୍କର ଆଗ୍ରହ ଦେଖି ମା’ କଳ୍ପନା ମୋବାଇଲରୁ ୟୁଟ୍ୟୁବରେ ବିଭିନ୍ନ ଯୋଗାସନ ଦେଖାଇ ଶିଖିବାରେ ତାଙ୍କୁ ସହଯୋଗ କରିଥିଲେ। ଜେଜେ କବି କୀର୍ତ୍ତନ ନାୟକ ଓ ଜେଜେମା’ ଚନ୍ଦନା ନାୟକ ଯୋଗାଭ୍ୟାସ ପାଇଁ ତାଙ୍କୁ ସବୁବେଳେ ପ୍ରେରଣା ଯୋଗାଇ ଆସୁଛନ୍ତି ବୋଲି ସାଇପ୍ରକାଶ କହିଛନ୍ତି।

ସନାତନ ରାଉତ