୬ ମାସ ପରେ ଖୋଲିଲା ସୂର୍ଯ୍ୟମନ୍ଦିର

କୋଣାର୍କ,୨।୯(ଡି.ଏନ୍‌.ଏ.): ମହାମାରୀ କରୋନା ଯୋଗୁ ଦୀର୍ଘ ୬ମାସ ଧରି ବନ୍ଦ ରହିଥିବା ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟମନ୍ଦିର ମଙ୍ଗଳବାର ଖୋଲିଛି। ଏହା କେନ୍ଦ୍ର ସରକାରଙ୍କ ଅନଲକ ୪.୦ ଗାଇଡ୍‌ଲାଇନ ଅନୁଯାୟୀ ପର୍ଯ୍ୟଟକ ପରିଦର୍ଶନ ପାଇଁ ଖୋଲାଯାଇଛି। ସୂଚନା ଥାଉ କି, ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ଉଗ୍ରରୂପ ନେଉଥିବାରୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ଓ କେନ୍ଦ୍ର ସରକାର ଏହି ଐତିହ୍ୟ ସ୍ଥଳକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଦୀର୍ଘଦିନ ଧରି ସୂର୍ଯ୍ୟମନ୍ଦିରକୁ ପାଥେୟ କରି ଜୀବନ ଜୀବିକା ନିର୍ବାହ କରୁଥିବା ଶତାଧିକ ଫଟୋଗ୍ରାଫର, ଗାଇଡ୍‌, ବ୍ୟବସାୟୀଙ୍କ ସମେତ ସୂର୍ଯ୍ୟମନ୍ଦିର ପାର୍ଶ୍ୱରେ ହସ୍ତଶିଳ୍ପ ବ୍ୟବସାୟ କରୁଥିବା ବ୍ୟବସାୟୀମାନଙ୍କ ଜୀବିକା ଠପ୍‌ ହୋଇଯାଇଥିଲା।
ମାତ୍ର ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଅନ୍‌ଲକ ୪.୦ ଗାଇଡଲାଇନ ଅନୁଯାୟୀ ସୂର୍ଯ୍ୟମନ୍ଦିର ଖୋଲାଯାଇଥିବାବେଳେ ପ୍ରଥମ ଦିନରେ ଅନଲାଇନରେ ଟିକେଟ କାଟିଥିବା ୩୩ଜଣ ପର୍ଯ୍ୟଟକ ପରିଦର୍ଶନ କରିଥିବା ଏଏସ୍‌ଆଇ ଅଧିକାରୀ ନିରୋଜ କୁମାର ସିଂ ପ୍ରକାଶ କରିଛନ୍ତି। ମନ୍ଦିର ପ୍ରବେଶକୁ ନେଇ କେନ୍ଦ୍ର ସରକାର ଗାଇଡ୍‌ଲାଇନ ଜାରି କରିଥିବାବେଳେ କେବଳ ଅନ୍‌ଲାଇନ ଟିକେଟ ଦ୍ୱାରା ହିଁ ପର୍ଯ୍ୟଟକ ମନ୍ଦିର ପ୍ରବେଶ କରିପାରିବେ। ଏହାସହ ପର୍ଯ୍ୟଟକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିବାବେଳେ ଏକକାଳୀନ ୧୦୦ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ। ସେହିପରି ସକାଳ ୮ଟାରୁ ଅପରାହ୍ନ ୧ଟା ଭିତରେ ସର୍ବାଧିକ ୧୫୦୦ ଓ ଅପହାହ୍ନ ୧ଟା ପରେ ୧ ହଜାର ପର୍ଯ୍ୟଟକଙ୍କୁ ସୂର୍ଯ୍ୟମନ୍ଦିର ପରିଦର୍ଶନ ପାଇଁ ସୁଯୋଗ ମିଳିବ ବୋଲି ମନ୍ଦିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅନ୍ୟପଟେ ମନ୍ଦିର ମଧ୍ୟକୁ ଫଟୋଗ୍ରାଫର, ଗାଇଡ, ବ୍ୟବସାୟୀ ସମେତ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ ଉପରେ ଏଏସ୍‌ଆଇ କର୍ତ୍ତୃପକ୍ଷ କଟକଣା ଜାରି କରିଛନ୍ତି। ଫଳରେ ଜୀବିକା ହରାଇଥିବା ଫଟୋଗ୍ରାଫର, ଗାଇଡ ଓ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।