ସ୍ଥିତି ଅଣାୟତ୍ତ ମୁହାଁ, ଦୈନିକ ସଂକ୍ରମଣ ୧୩ ହଜାର ଟପିଲା…

ନୂଆଦିଲ୍ଲୀ, ୨୩।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି। ଏହା ୧୩ ହଜାର ୩୧୩ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧୨ ହଜାର ୨୪୯ ରହିଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୮ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧୩ ଥିଲା। ଏହି ସମୟରେ ସକ୍ରିୟ ମାମଲା ପୁଣି ୮୩ ହଜାର ଟପିଛି। ଏଭଳି ଜାରି ରହିଲେ ଚଳିତ ସପ୍ତାହରେ ଏହା ୯୦ ହଜାର ଟପିବାର ଆଶଙ୍କା ରହିଛି।

ଗତ ୨୪ ଘଣ୍ଟାରେ ଏହା ୮୩ ହଜାର ୯୯୦ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୧୦ ହଜାର ୯୭୨ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହି ସଂଖ୍ୟା ୯ ହଜାର ୮୬୨ ଥିଲା। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୩,୨୬୦ ଜଣ, କେରଳରେ ୪,୨୨୪ଜଣ, ଦିଲ୍ଲୀରେ ୯୨୮ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ତାମିଲନାଡୁରେ ୭୭୧ ଜଣ, କର୍ନାଟକରେ ୬୭୬ ଜଣ, ଉତ୍ତରପ୍ରଦେଶରେ ୬୭୮ ଜଣ, ହରିୟାଣାରେ ୫୨୭ ଜଣ, ପଶ୍ଚିମବଙ୍ଗରେ ୨୯୫, ଗୁଜରାଟରେ ୪୦୭, ତେଲେଙ୍ଗାନାରେ ୪୦୩, ଛତିଶଗଡ଼ ୧୩୧, ପଞ୍ଜାବ ୧୦୫, ଗୋଆରେ ୧୫୬ ଜଣ ରାଜସ୍ଥାନ ୧୦୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୯୪୧ ଛୁଇଁଛି।

ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୩ ଲକ୍ଷ ୪୪ ହଜାର ୯୫୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୭ ଲକ୍ଷ ୩୬ ହଜାର ୨୭ ଜଣ ସୁସ୍ଥ ହୋଇ ସାରିଛନ୍ତି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୬ କୋଟି ୬୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୭୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୪ କୋଟିରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।

Share