ସ୍ଥିତି ସଙ୍କଟ ଜନକ, ବଢୁଛି ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୩।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୬ ହଜାର ୧୦୩ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୧ ରେ ପହଞ୍ଚିଛି।

ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ୧୦ ହଜାର ଟପିଛି। ଗତ ୨୪ ଘଣ୍ଟାରେ ଏହା ୧ ଲକ୍ଷ ୧୧ ହଜାର ୭୧୧ ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୧୩ ହଜାର ୯୨୯ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୫ ହଜାର ୧୯୯ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୫ ଲକ୍ଷ ୨ ହଜାର ୪୨୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୮ ଲକ୍ଷ ୬୫ ହଜାର ୫୧୯ ଜଣ ସୁସ୍ଥ ହୋଇ ସାରିଛନ୍ତି।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨,୯୭୧ଜଣ, କେରଳରେ ୩,୫୯୯ ଜଣ, ଦିଲ୍ଲୀରେ ୬୭୮ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ତାମିଲନାଡୁରେ ୨,୫୩୩ ଜଣ, ହରିୟାଣାରେ ୪୧୨ ଜଣ, କର୍ନାଟକରେ ୯୭୫ ଜଣ, ପଶ୍ଚିମବଙ୍ଗରେ ୧,୪୯୯, ଉତ୍ତରପ୍ରଦେଶରେ ୩୭୨ ଜଣ, ତେଲେଙ୍ଗାନାରେ ୫୧୬, ଗୁଜରାଟରେ ୫୮୦, ଗୋଆରେ ୧୫୩ ଜଣ, ରାଜସ୍ଥାନରେ ୧୩୩ ଜଣ, ବିହାରରେ ୨୨୬ ଜଣ, ଛତିଶଗଡ଼ରେ ୧୬୧, ପଞ୍ଜାବରେ ୧୩୦ ଜଣ, ଆନ୍ଧ୍ରପ୍ରଦେଶରେ ୧୬୦ ଜଣ, ଓଡ଼ିଶାରେ ୩୪୬ ଜଣ, ମଧ୍ୟପ୍ରଦେଶରେ ୧୦୭ ଜଣ, ଆସାମରେ ୧୧୦ ଜଣ,ହିମାଚଳପ୍ରଦେଶରେ ୧୧୦ ଜଣ, ପୁଡୁଚେରୀରେ ୧୦୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୮ କୋଟିରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୮୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୪ କୋଟି ୪୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।

Share