ଭଞ୍ଜନଗର,୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଚଢ଼େୟାପଲ୍ଲୀ ଗ୍ରାମର ବିଜୟାଲକ୍ଷ୍ମୀ ତ୍ରିପାଠୀ (ଆଶା କର୍ମୀ)ଙ୍କୁ ଗୁରୁବାର ସକାଳେ ହତ୍ୟା କରାଯାଇଛ। ଜମିଜମା ବିବାଦରୁ ତାଙ୍କ ଭିଣୋଇ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ଭଞ୍ଜନଗର ଏସ୍ଡିପିଓ ସୁଜିତ୍ କୁମାର ନାୟକ ସୂଚନା ଦେଇଛନ୍ତି। ଖବର ପାଇ ଜଗନ୍ନାଥପ୍ରସାଦ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇବା ବ୍ୟବସ୍ଥା କରାଯାଇଛି।
ଘଟଣାରୁ ପ୍ରକାଶ ଯେ, ବିଜୟା ଏବଂ ତାଙ୍କ ଭିଣୋଇଙ୍କ ଘର ହେଉଛି ଚଢ଼େୟାପଲ୍ଲୀ ଗ୍ରାମରେ। ଏକ ଜମିକୁ ନେଇ ଶାଳୀ ଓ ଭିଣୋଇଙ୍କ ମଧ୍ୟରେ ଆଜକୁ ବହୁଦିନ ହେବ ବିବାଦ ଥିଲା। ଆଜି ସକାଳେ ବିଜୟା ସହ ଭିଣୋଇ ରାମଚନ୍ଦ୍ର ତ୍ରୀପାଠୀ ମଧ୍ୟରେ ଉକ୍ତ ଜମିକୁ ନେଇ ବିବାଦ ଦେଖାଦେଇଥିଲା। ଏହାପରେ ଭିଣୋଇ ଏକ ଧାରୁଆ ଅସ୍ତ୍ରରେ ବିଜୟାଙ୍କୁ ଗାଁ ଦାଣ୍ଡରେ ହିଁ ହାଣି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ବିଜୟାଙ୍କ ମୃତ୍ୟୁ ଘଟିଛି।


