ରାଖୀ ବାନ୍ଧିବା ପୂର୍ବରୁ ଚାଲିଗଲା ଭଉଣୀର ଜୀବନ

ରାଇରଙ୍ଗପୁର,୨୨ା୮(ଡି.ଏନ.ଏ.): ଗାଧୋଇ ସାରି ଘରକୁ ଫେରିଥିଲେ ବଡ଼ ଭାଇ ହାତରେ ରାଖୀ ବାନ୍ଧି ଥାଆନ୍ତେ। ହେଲେ ନିୟତିର ନିଷ୍ଠୁର ନିୟମ ତାଙ୍କୁ ପରିବାରଠାରୁ ସବୁଦିନ ପାଇଁ ଦୁରେଇ ଦେଲା । ରାଖୀ ବାନ୍ଧିବା ଆଗରୁ ନଈରେ ବୁଡ଼ି ଚାଲିଗଲା ସାନ ଭଉଣୀର ଜୀବନ। ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ କୁଡୁନ୍ଦା ଗ୍ରାମରେ ରବିବାର ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଶିଶୁ କନ୍ୟା ଜଣକ ହେଲେ ପ୍ରାଣବନ୍ଧୁ ଟୁଡ଼ୁଙ୍କ ସାଢ଼େ ତିନିବର୍ଷର ଝିଅ ସାଉଁରୀ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୨୪/୨୧) ରୁଜୁ ହୋଇଛି।
ସୂଚନା ଅନୁଯାୟୀ, ସକାଳେ ମା’ ଓ ବଡ଼ ଭାଇ ଚିତ୍ତରଞ୍ଜନଙ୍କ ସହ ସାଉଁରୀ ଘର ପାଖ ଖଡ଼ଖାଇ ନଦୀକୁ ଗାଧୋଇବା ସକାଶେ ଯାଇଥିଲେ। ଏହି ସମୟରେ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ। ମା’ ଓ ବଡ଼ ଭାଇ ଚେଷ୍ଟା କରି ମଧ୍ୟ ତାଙ୍କୁ ଉଦ୍ଧାର କରି ପାରି ନ ଥିଲେ। ଖବରପାଇ ଗ୍ରାମବାସୀ ପହଞ୍ଚି ନଦୀଜଳରୁ ସାଉଁରୀକୁ ଉଦ୍ଧାର କରି ରାଇରଙ୍ଗପୁର ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।