ଭାଲୁ ଆକ୍ରମଣରେ ଭଉଣୀଭାଇ ମୃତ: ମୃତଦେହ ପାଖରେ ଜଗି ରହିଲା ଭାଲୁ

ଉମରକୋଟ,୭।୮(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ସୀମାନ୍ତ ଛତିଶଗଡ଼ ରାଜ୍ୟ କାଙ୍କେର ଜିଲା ମରକାଟୋଲା ଗାଁରେ ଏକ ହିଂସ୍ର ମାଈ ଭାଲୁ ଆକ୍ରମଣରେ ଗୋଟିଏ ପରିବାରର ଦୁଇ ଭଉଣୀଭାଇଙ୍କର ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଭଉଣୀ ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଘଟଣାସ୍ଥଳରେ ହିଁ ମରକାଟୋଲା ଗ୍ରାମର ହଲାଲଖୋର ଜୁରୀ, ତାଙ୍କ ଭଉଣୀ ଚମାରୋନ୍‌ ବାଈଙ୍କ ମୃତ୍ୟୁ ହୋଇଯାଇଛି। ଭାଲୁ ଆକ୍ରମଣରେ ସେମାନଙ୍କ ଭଉଣୀ ଖୋରୀନ୍ବାଈ ଗୁରୁତର ଅଛନ୍ତି। ଭାଲୁଟି ମୃତଦେହ ଜଗି ରହିଥିବାରୁ ମୃତଦେହ ଉଦ୍ଧାର କରିବା ବନ ବିଭାଗ ଓ ପୋଲିସ ପାଇଁ କାଠିକର ପାଠ ହୋଇପଡ଼ିଥିଲା। ଦୀର୍ଘ ୪ ଘଣ୍ଟା ପରେ ରାୟପୁରରୁ ଆସିଥିବା ବିଶେଷଜ୍ଞ ଟିମ୍‌ ଟ୍ରାଙ୍କୁଲାଇଜର ଗନ୍‌ ସାହାଯ୍ୟରେ ଭାଲୁଟିକୁ ଅଚେତ କରି କାବୁ କରିଥିଲେ। ଏହାପରେ ମୃତଦେହ ଉଦ୍ଧାର କରାଯାଇଥିଲା। ବୁଧବାର ମାଈଭାଲୁ ଛୁଆର କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ବନ ବିଭାଗ ସେହି ଛୁଆର ମୃତଦେହ ଜବତ କରିନେବା ପରେ ମାଈଭାଲୁଟି ଅଧିକ ହିଂସ୍ର ହୋଇ ଏହି ଆକ୍ରମଣ କରିଥିବା ଆଲୋଚନା ହେଉଛି।
ସୂଚନାନୁଯାୟୀ ହଲାଲଖୋର ଜୁରୀ ନିଜ ବିଲ ପାଖରେ ବସିଥିବା ସମୟରେ ହଠାତ୍‌ ଏକ ମାଈଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ହଲାଲଙ୍କ ଚିତ୍କାର ଶୁଣି ନିକଟସ୍ଥ ସ୍କୁଲରେ ରୋଷେୟାଭାବେ କାମ କରୁଥିବା ତାଙ୍କ ଭଉଣୀ ଚମାରୋନ୍‌ ଦୌଡ଼ି ଆସି ଭାଇଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଭାଲୁଟି ଚମାରୋନଙ୍କ ଉପରକୁ ବି ଝାମ୍ପିପଡ଼ି ତାଙ୍କୁ ଲହୁଲୁହାଣ କରିପକାଇଥିଲା। ଉଭୟଙ୍କ ଚିତ୍କାର ଶୁଣି ପାଖ ବିଲରେ କାମ କରୁଥିବା ଖୋରୀନ୍ବାଈ ସେଠାରେ ପହଞ୍ଚତ୍ଥିଲେ ହେଁ ଭାଲୁଟି ତାଙ୍କୁ ବି ଛାଡ଼ିନଥିଲା। ଭାଲୁ ଆକ୍ରମଣରେ ଘଟଣାସ୍ଥଳରେ ହିଁ ହଲାଲଖୋର ଓ ଚମାରୋନଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକେ ଓ ବନ ବିଭାଗ କୌଣସି ପ୍ରକାରେ ଖାରୀନ୍ବାଈଙ୍କୁ ଉଦ୍ଧାର କରି କାଙ୍କେର ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି।

Odisha’s No.1 Odia Daily