ସାର୍‌ ଠିକ୍‌ କହିଲେ

ଡ. ଗଣେଶ ଚନ୍ଦ୍ର କୁଣ୍ଡ

ଏକ ଅନୁସନ୍ଧାନଭିତ୍ତିକ ପ୍ରବନ୍ଧ ଲେଖିବା ପାଇଁ, କିଛି ତଥ୍ୟ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଦିନେ ମୋତେ ବାରିପଦା ଯାତ୍ରା କରିବାକୁ ପଡ଼ିଲା। ଭୁବନେଶ୍ୱରରୁ ବାରିପଦା ଯିବା ପାଇଁ ବରମୁଣ୍ଡା ଷ୍ଟାଣ୍ଡରୁ ଭଲ ଶୀତତାପ ନିୟନ୍ତ୍ରିତ ବସ୍‌ଟି ମିଳିଗଲା। ଆଜିକାଲି ବସ୍‌ ହଉ କି ଟ୍ରେନ, ଯାତ୍ରା କଲାବେଳେ, ପାଖ ସିଟ୍‌ରେ ବସିଥିବା ଅଜଣା ବ୍ୟକ୍ତିଙ୍କ ସହିତ କଥା ହେବାକୁ ବି ଭୟ ଲାଗୁଛି। କଥା ହେଉ ହେଉ ଯଦି ଭୁଲ୍‌ବଶତଃ ନିଜର କିଛି ବ୍ୟକ୍ତିଗତ ସୂଚନା ପାଟିରୁ ବାହାରି ଯାଏ, ତେବେ କିଏ ତାକୁ ଅପବ୍ୟବହାର କରିବାର ଯଥେଷ୍ଟ ସମ୍ଭାବନା ଅଛି । ବେଳକାଳ ଯାହା ହେଲାଣି ଅତି ସତର୍କତାର ସହିତ ଚଳିବାକୁ ପଡୁଛି, ତେଣୁ ହାତେ ମାପି ଚାଖଣ୍ଡେ ଚାଲିଲେ ଭଲ। ପାଖ ସିଟ୍‌ରେ ବସିଥିବା ବାବୁ ଜଣକ ଅତି ଭଦ୍ର ଓ ଶିକ୍ଷିତ ସ୍ବଭାବର ବୋଲି ଜଣାପଡୁଥିଲେ। ଭଦ୍ରବ୍ୟକ୍ତି ଜଣକ ମୋତେ ପଚାରିଲେ, ଆପଣ କେତେ ବାଟ ଯିବେ ? ମୁଁ କହିଲି ବାରିପଦା, ସେ ବାଲେଶ୍ୱର ଯିବେ ବୋଲି କହିବା ସହିତ ନିଜର ପରିଚୟ ଦେଲେ, ସେ ଜଣେ ଅବସରପ୍ରାପ୍ତ ଶିକ୍ଷକ। ଭାବିଥିଲି ଗାଡ଼ିରେ ଶୋଇ ଶୋଇ ପଳେଇବି କିନ୍ତୁ ବାବୁଙ୍କ କଥା ଶୁଣି ମୋର ବି ତାଙ୍କସହ ଗପିବାକୁ ଇଚ୍ଛା ହେଲା।
କିଛି ସମୟ ପରେ, ସେ କହିଲେ ଶିକ୍ଷାନୁଷ୍ଠାନରେ ଏତେ ଦିନ କାମ କଲା ପରେ ଅବସର ନେଲି। ଏବେ ଯେଉଁ ଯେଉଁ ସ୍ଥାନକୁ ଯାଉଛି କିଛି କିଛି ଛାତ୍ରୀଛାତ୍ର ଦେଖା ହୁଅନ୍ତି, ସେମାନଙ୍କର ମୋ ପ୍ରତି ସମ୍ମାନ, ଆଦର ଆଉ ବ୍ୟବହାର ଦେଖି ବହୁତ ଖୁସି ଲାଗେ, ଭାବୁଛି ମୋ ଚାକିରି ଜୀବନ ସାର୍ଥକ ହୋଇଛି। କିନ୍ତୁ ପରିବର୍ତ୍ତିତ ଅବସ୍ଥାରେ କିଛି ହାତଗଣତି ଶିକ୍ଷକଙ୍କ ପାଇଁ, ଶିକ୍ଷକ ସମାଜ ବଦ୍‌ନାମ ହେଉଛି । ଆମ ସମୟରେ ଏଗୁଡ଼ା ଏତେ ମାତ୍ରାରେ ନ ଥିଲା, ଏବେ ବେଶି ବେଶି ହେଲାଣି। ମୁଁ କହିଲି ସାର୍‌, କ’ଣ ସବୁ ବେଶି ବେଶି ହଉଛି କି ? ସେ କହିଲେ, ଆପଣ କ’ଣ କିଛି ଜାଣିପାରୁ ନାହାନ୍ତି ?
ଖବରକାଗଜ, ଟିଭି ଆଉ ସାମାଜିକ ଗଣମାଧ୍ୟମ ଜରିଆରେ ଜାଣିବାକୁ ମିଳେ, କେଉଁଠି ଶିକ୍ଷକ ଟ୍ୟୁଶନ କରୁ କରୁ ଛାତ୍ରୀଙ୍କୁ ଧରି ଫେରାର ହୋଇଯାଉଛି ତ କେଉଁଠି ଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଶିକ୍ଷକ ଅସଦାଚରଣ କରୁଥିବା ଅଭିଯୋଗ ହେଉଛି। ଏହା ଦୁଃଖଦାୟକ ଘଟଣା, ଏମାନେ ସବୁ ସୀମା ଟପିଗଲେଣି ।
ଏମାନେ ଭୁଲିଗଲେଣି, ଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ଥିବା ପବିତ୍ର ସମ୍ପର୍କକୁ। ଘରେ ବାପା ଆଉ ମାଆଙ୍କ ପରେ ସମାଜରେ ଶିକ୍ଷକଙ୍କ ଦାୟିତ୍ୱ ଅଧିକ ରହିଥାଏ। ପିଲାଙ୍କ ପାଇଁ ଶିକ୍ଷକ ହିଁ ମାର୍ଗଦର୍ଶକ ସାଜନ୍ତି, ମାର୍ଜିତ କରନ୍ତି ଏବଂ ଅନୁଶାସନ ଭିତରେ ରହିବାକୁ ଶିକ୍ଷା ଦିଅନ୍ତି। ଏହାଦ୍ୱାରା ଛାତ୍ରୀଛାତ୍ରମାନେ ସଫଳତା ପାଇଥାନ୍ତି। ଯଦି ସେ ଗୁରୁତ୍ୱପୂର୍ଣ୍ଣ ମଣିଷଟି ଅମଣିଷ ପରି କାର୍ଯ୍ୟ କରେ, ଆମେ କାହାକୁ କହିବା? ଅବଶ୍ୟ, ଅମାନୁଷିକ କାର୍ଯ୍ୟ କରି ଜେଲ ବି ଯାଉଛନ୍ତି। ଏମିତିକା ଶିକ୍ଷକଙ୍କ ପାଖରୁ ଛାତ୍ରୀଛାତ୍ରମାନେ କି ଶିକ୍ଷା ପାଇବେ? ଏମିତିକା କାର୍ଯ୍ୟ କରି ଏମାନେ ସମାଜକୁ କି ପ୍ରକାର ବାର୍ତ୍ତା ଦେବାକୁ ଚାହାନ୍ତି? ଛାତ୍ରୀଛାତ୍ରମାନଙ୍କର ଅଜ୍ଞାନକୁ ଦୂର କରି ଶିକ୍ଷକମାନେ ଜ୍ଞାନାଲୋକ ପ୍ରଦାନ କରିଥାନ୍ତି କିନ୍ତୁ ଏପରି ଶିକ୍ଷକ କି ଆଲୁଅ ଦେଖେଇବେ?
ଏମାନେ ନିଜେ ତ ଅନ୍ଧାରରେ ଅଛନ୍ତି।
ଏପ୍ରକାର ବିଶ୍ଳେଷଣ ଶୁଣିଲା ପରେ ମୁଁ କହିଲି ସାର୍‌, ଅନେକ ଭଲ ଶିକ୍ଷକ ଅଛନ୍ତି, ସେମାନଙ୍କର ଅବଦାନକୁ ଭୁଲି ହେବନି, ସେମାନଙ୍କୁ ପୂଜା କରାଯାଏ। କିନ୍ତୁ କିଛି ହାତଗଣତି ଶିକ୍ଷକଙ୍କ ପାଇଁ ଆଜି ଅବସ୍ଥା ଏମିତି। ତା’ପରେ ସାର୍‌ କହିଲେ, ଆପଣ ଯାହା କହୁଛନ୍ତି ମୁଁ ସେଥିରେ ଏକମତ, ଅନେକ ଭଲ ଶିକ୍ଷକ ଅଛନ୍ତି ସେହିମାନଙ୍କ ପାଖରେ ଆଦର୍ଶ, ନୀତିନିଷ୍ଠ, ସଚ୍ଚୋଟ, କର୍ତ୍ତବ୍ୟପରାୟଣ, ସମୟାନୁବର୍ତ୍ତୀ, ସମଦର୍ଶୀ ପରି ଅନେକ ଭଲ ଗୁଣ ଅଛି। ଭଲ ଶିକ୍ଷକମାନେ ନିଜ ଜୀବନକୁ ଜଳାଞ୍ଜଳି ଦେଇ ଛାତ୍ରୀଛାତ୍ରମାନଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚେଇବା ପାଇଁ କାର୍ଯ୍ୟ କରିଥାନ୍ତି। ମହମବତି ଭଳି ଜଳିଜଳି ଅନ୍ୟକୁ ଆଲୋକିତ କରନ୍ତି ଆଉ ଜୀବନକାଳ ଭିତରେ ବହୁ ମଣିଷ ତିଆରି କରିଥାନ୍ତି। ସେହି ଭଲ ଶିକ୍ଷକମାନେ ହେଉଛନ୍ତି ମଣିଷ ତିଆରି କାରଖାନାର କର୍ଣ୍ଣଧାର। ଛାତ୍ରୀଛାତ୍ରମାନଙ୍କର ଭବିଷ୍ୟତ ଗଢ଼ିବାରେ ଏମାନେ ବିଶ୍ୱକର୍ମାଙ୍କ ଭଳି ଭୂମିକା ଗ୍ରହଣ କରିଥାନ୍ତି। ବିଶ୍ୱକର୍ମାଙ୍କ ବିନା ଯେପରି ସୁନ୍ଦର ନିର୍ମାଣ ଅସମ୍ଭବ, ସେହିପରି ଜଣେ ଭଲ ଶିକ୍ଷକ ବିନା ସଫଳ ଛାତ୍ରୀଛାତ୍ର ସୃଷ୍ଟି ହେବା ଅସମ୍ଭବ। ଡ. ଏ.ପି.ଜେ. ଅବଦୁଲ କଲାମ କହୁଥିଲେ, ସମାଜରୁ ଦୁର୍ନୀତି ହଟେଇବା କେବଳ ତିନି ଜଣଙ୍କ ଦ୍ୱାରା ସମ୍ଭବ ହେବ, ସେମାନେ ହେଲେ ମାତା, ପିତା ଓ ଶିକ୍ଷକ। ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଶିକ୍ଷକମାନଙ୍କର। ଶିକ୍ଷକମାନେ ତାଙ୍କର ମହନୀୟ ବ୍ୟକ୍ତିତ୍ୱକୁ ବଜାୟ ରଖିବା ଦରକାର। ହଉ ଆଜ୍ଞା, ବାଲେଶ୍ୱର ଆସିଗଲା, ରହୁଛି, ପୁଣି କେବେ ଦେଖା ହୋଇପାରେ। ସାର୍‌ଙ୍କ କଥାକୁ ମୁଁ ଏକାଗ୍ରତାର ସହିତ ଶୁଣୁଥିଲି ଓ ସେ ସବୁ ଠିକ୍‌ କଥା କହୁଥିଲେ। ସାର୍‌ ଶିକ୍ଷକତାକୁ ବୃତ୍ତି ନୁହେଁ ବରଂ ବ୍ରତ ବୋଲି ମନେକରନ୍ତି। ଶିକ୍ଷା ପ୍ରତି ସମର୍ପିତ ଭାବନା ହିଁ ତାଙ୍କୁ ମହାନ୍‌ କରିଛି।
ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ : ୯୯୩୮୦୬୦୮୮୬


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri