ବରଗଡ଼,୩୦ା୫(ପ୍ରେମାନନ୍ଦ ଖମାରୀ): ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଓଡ଼ିଶାର ସମସ୍ତ ଯୋଗ୍ୟ ଭୋଟରଙ୍କ ନାମକୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ ବାଦ ଦେବା ସହ ଭୋଟର ତାଲିକାର ସଠିକତା ସୁନିଶ୍ଚିତ କରି ଏକ ସ୍ବଚ୍ଛ, ସତ୍ୟାପିତ ତଥା ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ରାଜ୍ୟରେ ‘ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ଅଭିଯାନ ଶନିବାର ଆରମ୍ଭ ହୋଇଛି। ଏହି କ୍ରମରେ ବରଗଡ଼ ଜିଲାର ମଧ୍ୟ SIR କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଛି।
ସୂଚନାଯୋଗ୍ୟ, ଜିଲାର ସମୁଦାୟ ୫ଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୩୯୭ଟି ବୁଥ୍ରେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ୫ ଜଣ ଇଆର୍ଓ, ୨୭ ଜଣ ଏଇଆର୍ଓ, ଏବଂ ୧୪୦ ଜଣ ବିଏଲଓ ସୁପରଭାଇଜରଙ୍କ ସମେତ ୧୩୯୭ ଜଣ ବିଏଲ୍ଓ ନିୟୋଜିତ ହୋଇଛନ୍ତି। ଜୁନ୍ ୨୮ ପର୍ଯ୍ୟନ୍ତ ବିଏଲଓମାନେ ସମସ୍ତ ଭୋଟରଙ୍କ ଘରକୁ ଘର ବୁଲି ତଥ୍ୟ ଯାଞ୍ଚ କରି ଦୁଇଟି ଲେଖାଏ ପରିଗଣନା ଫର୍ମ ପ୍ରଦାନ କରିବା ସହ ଫର୍ମଟିକୁ ସଠିକ ଭାବରେ ପୂରଣ କରିବାରେ ସମସ୍ତଙ୍କୁ ସମ୍ପୂର୍ଣ୍ଣ ସହାୟତା ଓ ମାର୍ଗଦର୍ଶନ ପ୍ରଦାନ କରିବେ। ଏଥିସହ ମତଦାତାଙ୍କ ଦ୍ୱାରା ଆବଶ୍ୟକୀୟ ସୂଚନା ପୂରଣ ହେବା ପରେ ସେଗୁଡିକୁ ସଂଗ୍ରହ କରି ଏହାର ପ୍ରମାଣ ସ୍ବରୂପ ଦ୍ୱିତୀୟ ନକଲରେ ନିଜେ ଦସ୍ତଖତ କରି ଭୋଟରଙ୍କୁ ସ୍ବୀକୃତି ପତ୍ର ଭାବେ ଫେରସ୍ତ କରିବେ। ଏହାପରେ ଆଗାମୀ ୨୮ ଜୁନ୍ ୨୦୨୬ ସୁଦ୍ଧା ସମସ୍ତ ମତଦାନ କେନ୍ଦ୍ରର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ କରାଯିବା ସହିତ ୫ ଜୁଲାଇ ୨୦୨୬ରେ ଚିଠା ଭୋଟର ତାଲିକା ବା ଡ୍ରାଫ୍ଟ ଇଲେକ୍ଟ୍ରାଲ ରୋଲ ପ୍ରକାଶ ପାଇବ। ମତଦାତାଙ୍କ କୌଣସି ଦାବି/ଆପତ୍ତି ଥିଲେ ୫ ଜୁଲାଇରୁ ୪ ଅଗଷ୍ଟ ୨୦୨୬ ସୁଦ୍ଧା ଦାଖଲ କରିପାରିବେ। ପ୍ରାପ୍ତ ହୋଇଥିବା ସମସ୍ତ ଦାବି/ଆପତ୍ତିର ସତ୍ୟାସତ୍ୟର ଯାଞ୍ଚ ତଥା ପରିଗଣନା ଫର୍ମରେ ଭୋଟରମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ପୂର୍ବ ଏସ୍ଆଇ୍ଆର୍-୨୦୦୨ ଭୋଟର ତାଲିକାର ବିବରଣୀ/ଡାଟାବେସ୍ ସହ ମେଳ ଖାଉନଥିଲେ କିମ୍ବା ଉପଲବ୍ଧ ନ ଥିଲେ ନିର୍ବାଚକ ପଞ୍ଜୀକରଣ ଅଧିକାରୀ/ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ଇଆର୍ଓ/ଏଇଆର୍ଓ) ସେହି ଭୋଟରମାନଙ୍କୁ ନୋଟିସ ଜାରି କରିବେ। ନୋଟିସ ପାଇବା ପରେ, ଭୋଟରମାନେ ଉପଯୁକ୍ତ ଦସ୍ତାବିଜ ଇଆର୍ଓ/ଏଇଆର୍ଓମାନଙ୍କୁ ପ୍ରଦାନ କରି ସଂଶୋଧନ କରିପାରିବେ। ୨ ସେପ୍ଟେମ୍ବର ୨୦୨୬ ସୁଦ୍ଧା ଏହି ଯାଞ୍ଚ ସରିବା ପରେ ୬ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।