SIR: କିଛି ଲୋକଙ୍କୁ ନେଇ ଦ୍ୱନ୍ଦ,୧୦୪ ବର୍ଷ ବୟସ୍କା ଭୋଟରଙ୍କୁ ଭେଟିଲେ ଉପ ଜିଲାପାଳ

ଭଞ୍ଜନଗର,୭।୬(ବାବୁଲା ପ୍ରଧାନ): ରାଜ୍ୟରେ ବର୍ତ୍ତମାନ ସ୍ଵତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମ ଚାଲିଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ମଧ୍ୟ ଚାଲିଛି। ପରିଗଣନା ଫର୍ମ ଭଞ୍ଜନଗର ଉପଖଣ୍ଡରେ ରବିବାର ସୁଦ୍ଧା ଶତପ୍ରତିଶତ ବଣ୍ଟନ ଲକ୍ଷ୍ୟ ରଖାଯାଇଛି। ତାହା ଶେଷ ପର୍ଯାୟରେ ପହଞ୍ଚିଥିବା ଜଣାପଡ଼ିଛି। ଏଥିସହ ଚଳିତ ମାସ ୨୮ ତାରିଖ ସୁଦ୍ଧା ଫର୍ମ ପୂରଣ ପ୍ରକ୍ରିୟା ଶେଷ କରିବା ଲକ୍ଷ୍ୟ ରଖାଯାଇଛି। ତେଣୁ ଭଞ୍ଜନଗର ଉପ ଜିଲାପାଳ ଉମା ଶଙ୍କର ବେହେରା ଉପଖଣ୍ଡର ବିଭିନ୍ନ ଅଞ୍ଚଳ ଗସ୍ତ କରି ଫର୍ମ ବଣ୍ଟନ ପ୍ରକ୍ରିୟା ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ଏଥିସହ ଭଞ୍ଜନଗର ବ୍ଲକ କୁଲାଡୟର ୧୦୪ ବର୍ଷ ବୟସ୍କା ଜଣେ ଭୋଟରଙ୍କୁ ଉପ ଜିଲ୍ଲାପାଳ ଭେଟି ପରିଗଣନା ଫର୍ମ ପ୍ରଦାନ କରିଥିଲେ। ଏଥିସହ ଏସ ଆଇ ଆର ଉପରେ ବୁଝାଇଥିଲେ। ଏହି ସମୟରେ ବିଡିଓ ଭାରତୀ ଦେବୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଅନ୍ୟ ଦେଶର କିଛି ନାଗରିକ ଭଞ୍ଜନଗର ଅଞ୍ଚଳରେ ବହୁବର୍ଷ ହେବ ବସବାସ କରୁଛନ୍ତି । କିନ୍ତୁ ବର୍ତ୍ତମାନ ଏସ ଆଇ ଆର ସମୟରେ ଉକ୍ତ ନାଗରିକ ମାନେ ପାସପୋର୍ଟ ଦେଖାଇ ପାରୁନାହାନ୍ତି। ଏଥିସହ କିଛି ଉକ୍ତ ବିଦେଶୀ ନାଗରିକ ଏଠି ବିବାହ ମଧ୍ୟ କରିଛନ୍ତି। ଏନେଇ ଜଣେ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ ଏଠି ନାଗରିକତା ପାଇବାକୁ ହେଲେ ପାସପୋର୍ଟ ଦେଖାଇବାକୁ ପଡ଼ିବ। ଆପତ୍ତି ଅଭିଯୋଗ ପରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଶତ ପ୍ରତିଶତ ନିର୍ଭୂଲ ଭୋଟର ତାଲିକା ପ୍ରସ୍ତୁତ କରିବା ହେଉଛି ଏସ ଆଇ ଆରର ଲକ୍ଷ୍ୟ।

Dharitri – Odisha’s No.1 Odia Daily

Share