ଅଗଷ୍ଟ ୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ସମସ୍ତ ୟୁଜି ଫାଇନାଲ ସେମିଷ୍ଟର ପରୀକ୍ଷା (ବ୍ୟାକ୍‌ ପେପରକୁ ଛାଡ଼ି) ଅଗଷ୍ଟ ୧୯ ସୁଦ୍ଧା ଶେଷ ହେବ। ୟୁଜିର ବ୍ୟାକ୍‌ ପେପର ସମେତ ଫାଇନାଲ ସେମିଷ୍ଟର ପରୀକ୍ଷା ଫଳ ସେପ୍ଟେମ୍ବର ୨୭ ମଧ୍ୟରେ ପ୍ରକାଶ ପାଇବ। ସମସ୍ତ ପିଜି ଫାଇନାଲ ସେମିଷ୍ଟର ପରୀକ୍ଷା ଅଗଷ୍ଟ ୩୧ ସୁଦ୍ଧା ଶେଷହୋଇ ପରୀକ୍ଷା ଫଳ ସେପ୍ଟେମ୍ବର ୨୦ ସୁଦ୍ଧା ପ୍ରକାଶ ପାଇବ। ଏଥିସହିତ ୨୦୨୧ ବର୍ଷର ଏକକ ପିଜି ପ୍ରବେଶିକା ପରୀକ୍ଷା ଅଗଷ୍ଟ ୨୩ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧ ମଧ୍ୟରେ ଶେଷ କରାଯିବ। ଅକ୍ଟୋବର ୧୫ରୁ ପିଜି ଶ୍ରେଣୀରେ ନାମଲେଖା ଆରମ୍ଭ ହେବ। ଶୁକ୍ରବାର ଅନୁଷ୍ଠିତ ରାଜ୍ୟ ବିଶ୍ୱବିଦ୍ୟାଳୟ କୁଳପତି ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି।
ଲୋକସେବା ଭବନ କନ୍‌ଭେନ୍‌ଶନ ସେଣ୍ଟରଠାରେ ଆୟୋଜିତ ଏହି ସମ୍ମିଳନୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି, ଉଚ୍ଚଶିକ୍ଷାର ଗୁଣାତ୍ମକ ଅଭିବୃଦ୍ଧି ନିମନ୍ତେ ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାର ସଫଳ ରୂପାୟନ ନିମନ୍ତେ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କର ଦୃଢ଼ ନେତୃତ୍ୱ ଆବଶ୍ୟକ। କୁଳପତିମାନେ କାର୍ଯ୍ୟକ୍ଷେତ୍ରରେ ଉଦାହରଣ ସୃଷ୍ଟି କରି ବିଶ୍ୱବିଦ୍ୟାଳୟଗୁଡ଼ିକୁ ଗୋଟିଏ ଗୋଟିଏ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କରୋନା ଯୋଗୁ ଶିକ୍ଷା ବ୍ୟବସ୍ଥା ବ୍ୟାପକ ଭାବରେ ପ୍ରଭାବିତ ହୋଇଥିଲେ ମଧ୍ୟ ଗତବର୍ଷ ୟୁଜି ଓ ପିଜିରେ ଶେଷ ବର୍ଷ ଫାଇନାଲ ସେମିଷ୍ଟର ପରୀକ୍ଷା କରାଯାଇଥିଲା। ଚଳିତବର୍ଷ ମଧ୍ୟ ଅନ୍‌ଲାଇନ୍‌ରେ ଏସବୁ ପରୀକ୍ଷା ସୁରୁଖୁରୁରେ ସମ୍ପନ୍ନ ହେବ। ଏଥିସହିତ କୁଳପତିମାନଙ୍କ ପରାମର୍ଶରେ ୨୦୨୧ର ଏକକ ପିଜି ପ୍ରବେଶିକା ପରୀକ୍ଷା କରାଯିବ। ସେହିଭଳି ପିଏଚ୍‌ଡି ପ୍ରୋଗ୍ରାମରେ ଅହେତୁକ ବିଳମ୍ବକୁ ହ୍ରାସ କରିବା ନିମନ୍ତେ ପିଏଚ୍‌ଡି ରେଜିଷ୍ଟ୍ରେଶନ୍‌, ପରୀକ୍ଷା ଫଳ ପ୍ରକାଶନ ଏବଂ ମୌଖିକ ପରୀକ୍ଷା ଆଦି କ୍ଷେତ୍ରରେ ସର୍ବାଧିକ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ରହିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି।
ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ ଓ କୁଳପତିମାନେ ଯୋଗଦେଇ ୟୁଜି ଓ ପିଜି ଶେଷବର୍ଷ ଫାଇନାଲ ସେମିଷ୍ଟର ପରୀକ୍ଷା ପରିଚାଳନା ବିଷୟରେ ବିଶଦ ଆଲୋଚନା କରିଥିଲେ। ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର, ପରୀକ୍ଷା ନିୟନ୍ତ୍ରକ, ବିତ୍ତ ନିୟନ୍ତ୍ରକଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।