ଖୋଲିଲା ଶିମିଳିପାଳ

ବାରିପଦା, ୧୫ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଜୈବମଣ୍ଡଳ ଶିମିଳିପାଳ ଅଭୟାରଣ୍ୟ ଶନିବାରଠାରୁ ଖୋଲାଯାଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବାରିପଦାର ପିଠାବଟା ଓ ଯଶିପୁର କାଳିଆଣି ତନଖି ଫାଟକରେ ପର୍ଯ୍ୟଟକଙ୍କୁ ଆଦିବାସୀ ନୃତ୍ୟଗୀତରେ ସ୍ବାଗତ କରାଯାଇଛି। ସକାଳ ୬ଟାରୁ ୯ଟା ମଧ୍ୟରେ ପର୍ଯ୍ୟଟକମାନେ ଅଭୟାରଣ୍ୟକୁ ପ୍ରବେଶ କରିଥିଲେ। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣର ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ା ଉପସ୍ଥିତ ରହି ପର୍ଯ୍ୟଟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି। ପର୍ଯ୍ୟଟକଙ୍କ ସୁରକ୍ଷା, ଆମୋଦ ପ୍ରମୋଦ ଓ ରହଣି ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ା ପ୍ରଥମ ଦିବସରେ ପିଠାବଟା ଦେଇ ୪ଟି ଓ କାଳିଆଣି ଦେଇ ୯ଟି ଗାଡ଼ି ଶିମିଳିପାଳ ମଧ୍ୟକୁ ପ୍ରବେଶ କରିଥିଲା। ଉଭୟ ଗେଟ୍‌ ଦେଇ ମୋଟ ୭୩ ପର୍ଯ୍ୟଟକ ପ୍ରବେଶ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫୦ଜଣ ଓଡ଼ିଶାର ହୋଇଥିବା ବେଳେ ୨୩ଜଣ ରାଜ୍ୟ ବାହାର। ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ ସହ ଗାଇଡ୍‌ ବ୍ୟବସ୍ଥା କରାଯାଇଛି। ଜାମୁଆଣି, କୁମାରୀ, ଗୁଡୁଗୁଡିଆ, ମୁକ୍ତାପୁର, ବରେହିପାଣି ଓ ରାମତୀର୍ଥଠାରେ ପର୍ଯ୍ୟଟକଙ୍କ ଲାଗି ରାତ୍ରିଯାପନ ଓ ରେଷ୍ଟୁରାଣ୍ଟ ବ୍ୟବସ୍ଥା ହୋଇଛି। ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ନିମନ୍ତେ ସାନ୍ତାଳୀ ସମ୍ପ୍ରଦାୟର କୁଟୀର, ଆଦିବାସୀ କୁଟୀର, ବାଉଁଶ କୁଟୀର ଓ ଟ୍ରି ହାଉସ ଭଳି ବ୍ୟବସ୍ଥା ରହିଛି। ସେହିପରି ପଲିଥିନ, ଅଗ୍ନି ସଂଯୋଗକାରୀ ସାମଗ୍ରୀ, ଆମିଷ ଓ ମାଦକ ଦ୍ରବ୍ୟ ବ୍ୟବହାର ଉପରେ କଟକଣା କରାଯାଇଛି। ଚଳିତବର୍ଷ ଶୀଘ୍ର ଅଭୟାରଣ୍ୟ ଖୋଲିଥିବାରୁ ବନ୍ୟପ୍ରାଣୀକୁ ଦେଖିବାର ସୁଯୋଗ ମିଳିବ ବୋଲି ବାରିପଦାର ପୀୟୁଷ ରଞ୍ଜନ କଲିଆ କହିଛନ୍ତି। ସେହିପରି ପଶ୍ଚିମବଙ୍ଗରୁ ଆସିଥିବା ପର୍ଯ୍ୟଟକ ରାଜଶ୍ରୀ କୁହନ୍ତି, ଶିମିଳିପାଳ ବୁଲିବାର ମଜା ନିଆରା। ଚଳିତବର୍ଷ ଆଦିବାସୀମାନେ ପାରମ୍ପରିକ ବେଶଭୂଷାରେ ନୃତ୍ୟ ଗୀତ ଗାଇ ପାଛୋଟି ନେଉଥିବାରୁ ବହୁତ ଖୁସି ଲାଗୁଛି। ଉପ ନିର୍ଦ୍ଦେଶକ ଗୌଡ଼ା କହିଛନ୍ତି, ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଅନ୍‌ଲାଇନ ପୋର୍ଟାଲ ଖୋଲାଯାଇଛି। ଚଳିତବର୍ଷ ନୂତନ ଭାବେ ଖଇରୀ ବାଘୁଣୀ ସମ୍ପର୍କିତ ମ୍ୟୁଜିୟମ ଖୋଲିଛି। ଅପରାହ୍ନ ୩ଟା ପୂର୍ବରୁ ପର୍ଯ୍ୟଟକମାନେ ଯୋରନ୍ଦା, ବରେହିପାଣି ଜଳପ୍ରପାତ ଏବଂ ଅପରାହ୍ନ ୪ଟା ପୂର୍ବରୁ ସମସ୍ତେ ଚହଲା ସ୍ଥାନକୁ ଛାଡ଼ିବା ପାଇଁ ବାଧ୍ୟତାମୂଳକ କରାଯାଇଛି। କୌଣସି କାରଣ ବଶତଃ ଗାଡ଼ି ଖରାପ ହେଲେ ପର୍ଯ୍ୟଟକମାନଙ୍କୁ ବାରିପଦା ଓ ଯଶୀପୁର ବସ୍‌ଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି।