ବାରିପଦା,୨ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ଅପେକ୍ଷାର ଅନ୍ତ ଘଟିଛି। ରବିବାରଠାରୁ ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଖୋଲିଛି ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ। ପ୍ରଥମ ଦିନରେ ପର୍ଯ୍ୟଟକଙ୍କ ମଧ୍ୟରେ ଶିମିଳିପାଳ ଭ୍ରମଣକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ସବୁଜିମାଭରା ଜଙ୍ଗଲ, ମନୋରମ ଜଳପ୍ରପାତ ଓ ବନ୍ୟପ୍ରାଣୀଙ୍କ ସମେତ ଶିମିଳିପାଳର ଆକର୍ଷଣୀୟ କଳାବାଘକୁ ଦେଖିବା ପାଇଁ ପର୍ଯ୍ୟଟକ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା।
ଚଳିତ ବର୍ଷ ପର୍ଯ୍ୟଟକଙ୍କ ସୁବିଧା ଓ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଦୈନିକ ସର୍ବାଧିକ ୬୦ଟି ଚାରିଚକିଆ ଯାନକୁ ପ୍ରବେଶ ଅନୁମତି ଦିଆଯିବ। ଏଥିମଧ୍ୟରୁ ଯଶୀପୁର କାଳିଆମୀ ଫାଟକ ଦେଇ ୩୫ଟି ଏବଂ ବାରିପଦା ପଟୁ ପିଠାବଟା (ଲୁଲୁଙ୍ଗ) ଫାଟକ ଦେଇ ୨୫ଟି ଗାଡ଼ି ପ୍ରବେଶ କରିପାରିବ। ପିଠାବଟା ଫାଟକରେ ସକାଳ ୮ଟାରୁ ୯ଟା ଏବଂ ଯଶୀପୁର ଫାଟକରେ ସକାଳ ୫ଟାରୁ ୯ଟା ମଧ୍ୟରେ ପ୍ରବେଶ କରିବାକୁ ହେବ। ସା ୬ଟା ପୂର୍ବରୁ ସମସ୍ତ ପର୍ଯ୍ୟଟକଙ୍କୁ ଜଙ୍ଗଲରୁ ବାହାରିବା ବାଧ୍ୟତାମୂଳକ। ଶିମିଳିପାଳ ଭ୍ରମଣ ପାଇଁ www.similipal.org ମାଧ୍ୟମରେ ଆଗୁଆ ଅନ୍ଲାଇନ ଏଣ୍ଟ୍ରି ପରମିଟ୍ ବୁକିଂ କରିବାକୁ ପଡ଼ିବ। ପ୍ରତ୍ୟେକ ଗାଡ଼ି ସହ ଜଣେ ପ୍ରଶିକ୍ଷିତ ଗାଇଡ୍ ରହିବା ବାଧ୍ୟତାମୂଳକ କରାଯାଇଛି। ଜୋରନ୍ଦା ଓ ବରେହିପାଣି ଜଳପ୍ରପାତ ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କୁ ଅପରାହ୍ନ ୪ଟା ସୁଦ୍ଧା ସେଠାରୁ ଫେରିବାକୁ ହେବ। ପର୍ଯ୍ୟଟକଙ୍କ ରାତ୍ରିଯାପନ ପାଇଁ କୁମାରୀ, ଗୁଡ଼ଗୁଡ଼ିଆ, ତାଳବନ୍ଧ, ବରେହିପାଣି ଓ ଜାମୁଆଣିଠାରେ କଟେଜ୍ ବ୍ୟବସ୍ଥା ରହିଛି। ଏଥିପାଇଁ www.ecotourodisha.comରେ ଆଗୁଆ ବୁକିଂ କରିବାକୁ ପଡ଼ିବ ବୋଲି ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।