ଜୁନ ୨୯ରୁ ଶିମିଳିପାଳ ବନ୍ଦ: ଜାଣନ୍ତୁ କାହିଁକି

ବାରିପଦା,୨୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କ ନିମନ୍ତେ ଜୁନ ୨୯ରୁ ବନ୍ଦ ରହିବ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡ.ପ୍ରକାଶ ଚାନ୍ଦ ଗୋଗିନେନୀ ବିଭାଗୀୟ ବିଜ୍ଞପ୍ତି ଜାରି କରିଛନ୍ତି। ପୁନଃଖୋଲା ପୂର୍ବରୁ ଖବରକାଗଜ ମାଧ୍ୟମରେ ପ୍ରକାଶ ପାଇବ। ତେବେ ତାଳବନ୍ଧ ଓ ଜାମୁଆଣି ଇକୋ ଟୁରିଜମ କମ୍ପଲେକ୍ସ ଭ୍ରମଣକାରୀଙ୍କ ପାଇଁ ଖୋଲା ରହିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଜୈବମଣ୍ଡଳ ଓ କଳାବାଘକୁ ନେଇ ଶିମିଳିପାଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ପ୍ରତିବର୍ଷ ବର୍ଷାଋତୁ ଆଗମନ ପୂର୍ବରୁ ପର୍ଯ୍ୟଟକମାନଙ୍କୁ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ ବନ୍ଦ କରାଯାଇଥାଏ। ତେବେ ଚଳିତ ବର୍ଷ ମୌସୁମୀର ଆଗମନ ହେବା ସୂଚନା ପାଇ ଜୁନ ୧୫ ପରିବର୍ତ୍ତେ ୨୯ରୁ ଶିମିଳିପାଳ ବନ୍ଦ କରାଯିବ ବୋଲି ବିଭାଗୀୟ ଚିଠି ନଂ ୧୬୯/୨୨ ଜୁନ ୨୦୨୬ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ଷା ଯୋଗୁ ଶିମିଳିପାଳ ମଧ୍ୟରେ ଥିବା ରାସ୍ତାଗୁଡିକ ଧୋଇଯାଇ ବିପଦସଙ୍କୁଳ ହୋଇପଡିଥାଏ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ସାମୟିକ ଭାବେ ପ୍ରବେଶ ନିଷେଧ କରାଯାଇଥାଏ। ଏହି ସମୟ ମଧ୍ୟରେ ଅଭୟାରଣ୍ୟରେ ଥିବା ରାସ୍ତାର ମରାମତି କରାଯାଇଥାଏ।

 

Dharitri – Odisha’s No.1 Odia Daily

 

Share