ସୁବିଧାରେ ନୀରବ

କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଭାରତ ସମେତ ବିଶ୍ୱର ୧୦୮ ଦେଶରେ ତା’ର କାୟା ବିସ୍ତାର କରିଛି। ଏହା ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇ ନ ଥିଲେ ମଧ୍ୟ ସଂକ୍ରମଣ ହାର ବଢ଼ିଚାଲିଛି। ଏହି ଭାରିଆଣ୍ଟରେ ସବୁ ବର୍ଗ ଆକ୍ରାନ୍ତ ହେଉଥିବାରୁ ପିଲାମାନଙ୍କୁ କୋଭିଡ୍‌ ଟିକା ଦିଆଯିବା ଆବଶ୍ୟକ ହୋଇପଡ଼ିଛି। ଏସବୁକୁ ଦୃଷ୍ଟିରେ ରଖି ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଜାନୁୟାରୀ ୩ ତାରିଖ ଏବଂ ସମ୍ମୁଖ ଯୋଦ୍ଧାଙ୍କ ସହ ୬୦ ବର୍ଷରୁ ଊର୍ଦ୍ଧ୍ୱ ବିବିଧ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଜାନୁୟାରୀ ୧୦ରେ ବୁଷ୍ଟର ଡୋଜ୍‌ ଦିଆଯିବା ବିଷୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ଡିସେମ୍ବର ରାତି ପ୍ରାୟ ୧୦ଟା ବେଳେ ଘୋଷଣା କରିଛନ୍ତି।
ମୋଦିଙ୍କ ଉଦ୍‌ବୋଧନର ବିଷୟବସ୍ତୁକୁ ତର୍ଜମା କଲେ ସେ ଦେଇଥିବା ତଥ୍ୟ ଜନସଂଖ୍ୟାବହୁଳ ଭାରତରେ ଅତ୍ୟନ୍ତ ନଗଣ୍ୟ ଲାଗୁଛି। ସେ କହିଛନ୍ତି, ଓମିକ୍ରନ୍‌କୁ ନେଇ ଭୟଭୀତ ହେବାର ନାହିଁ। ଦେଶରେ ୧୮ ଲକ୍ଷ ଆଇସୋଲେଶନ ବେଡ୍‌ ଥିବାବେଳେ ୫ ଲକ୍ଷ ଅମ୍ଳଜାନ ଶଯ୍ୟା, ୧ ଲକ୍ଷ ୪୦ ହଜାର ଆଇସିୟୁ ଓ ୯୦ ହଜାର ଶିଶୁ ଆଇସିୟୁ ଓ ଅଣ-ଆଇସିୟୁ ବେଡ୍‌ ରହିଛି। ଏଭଳି ସଂଖ୍ୟାତ୍ମକ ତଥ୍ୟ କୌଣସି ଏକ ଅଳ୍ପ ଜନସଂଖ୍ୟାବିଶିଷ୍ଟ ରାଜ୍ୟର ମୁଖ୍ୟମନ୍ତ୍ରୀ କହିଥିଲେ ହୁଏତ ଆଶ୍ୱସ୍ତି ମିଳିଥାଆନ୍ତା। ଭାରତ ଭଳି ଏକ ବିରାଟକାୟ ଦେଶର ପ୍ରଧାନମନ୍ତ୍ରୀ ଏଭଳି ସଂଖ୍ୟା ଦର୍ଶାଇ ନିଜର ଭାବମୂର୍ତ୍ତିକୁ କ୍ଷୁଣ୍ଣ କଲାଭଳି ମନେହେଉଛି। ବିଶେଷକରି ଦୀର୍ଘ ପ୍ରାୟ ଦୁଇ ବର୍ଷ ସମୟ ମିଳିଥିବା ସତ୍ତ୍ୱେ ଭାରତ ସରକାର ନିଜର ସବୁ ଶକ୍ତି ଖଟାଇ ଏହି ମହାମାରୀକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହୋଇପାରିଥାଆନ୍ତେ। ସେଭଳି ମହତ୍‌ ପ୍ରଚେଷ୍ଟା ଆଦୌ କରାଯାଇ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ପରିସଂଖ୍ୟାନରୁ ସ୍ପଷ୍ଟ ବୁଝାପଡ଼ୁଛି। ୨୦୧୧ ମସିହାର ଜନଗଣନା ଉପରେ ସବୁ ସରକାରଙ୍କ ପ୍ରତ୍ୟେକ ଯୋଜନା ଓ ନୀତି ଆଧାରିତ। ପରବର୍ତ୍ତୀ ଜନଗଣନା ୨୦୨୧ରେ ହେବା କଥା। କୋଭିଡ୍‌ ପାଇଁ ତାହା ସ୍ଥଗିତ ରହିଛି। କିନ୍ତୁ ଭାରତର ଜନସଂଖ୍ୟା ବୃଦ୍ଧି ଉପରେ ପୂର୍ଣ୍ଣଚ୍ଛେଦ ଲାଗି ନାହିଁ। ସେଥିପାଇଁ ଠାସୁକୁ ମାରି କିଏ କହୁଛି ୧୩୦ କୋଟି ଆଉ କିଏ କହେ ୧୫୦ କୋଟି ଲୋକସଂଖ୍ୟା। ବାସ୍ତବ ସଂଖ୍ୟା ସରକାରଙ୍କ ପାଖରେ ନାହିଁ। ଏଭଳି ବିରାଟକାୟ ଜନସଂଖ୍ୟା ପାଇଁ ହଜାରେ କିମ୍ବା ଲକ୍ଷରେ ଗଣାଯାଉଥିବା ତଥ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ ମନେହେଉଛି।
ଆଜିର ଶାସନ ବ୍ୟବସ୍ଥାକୁ ଦେଖିଲେ ଶୀର୍ଷ ନେତୃତ୍ୱ ଦେଶରେ ଘଟୁଥିବା ସବୁ ଭଲ କାର୍ଯ୍ୟ ଲାଗି ବାହାବା ସାଉଁଟିବାକୁ ଜୋରଦାର ପ୍ରୟାସ କରୁଛନ୍ତି। ସେଥିପାଇଁ ଲୋକଙ୍କୁ ଛୁଇଁଲା ଭଳି ଗୋଟେ ବିଷୟ ପାଇଗଲେ ତାହାକୁ ଗଣମାଧ୍ୟମ ଜରିଆରେ ବାଣ୍ଟିବାକୁ ଚେଷ୍ଟା କରୁଛନ୍ତି। ବିଗତ ଦଶନ୍ଧିଗୁଡ଼ିକୁ ଦେଖିଲେ ସାଧାରଣତଃ ପ୍ରଧାନମନ୍ତ୍ରୀ ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେବେ ବୋଲି ପୂର୍ବରୁ ଘୋଷଣା ହୋଇଥିଲେ ଲୋକେ ତାହାକୁ ଶୁଣିବା ପାଇଁ ଚାହିଁ ରହୁଥିଲେ। କିନ୍ତୁ ସବୁଠାରୁ ଅଧିକ ଭୟ ସୃଷ୍ଟି କରିଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ୮ ନଭେମ୍ବର ୨୦୧୬ ରାତି ୮ଟାରେ ବିମୁଦ୍ରୀକରଣ ଘୋଷଣା। ତାହା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟେକଟି ଉଦ୍‌ବୋଧନ ବେଳକୁ ଲୋକଙ୍କ ମନରେ ଶଙ୍କା ପଶୁଥିଲା। କିନ୍ତୁ ଭାରତ ହେଉଛି ଭାରତ। ଏଠାରେ ଅଧା ଲୋକ ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଭାଷଣକୁ ବୁଝିପାରନ୍ତି ନାହିଁ। ଅନୁବାଦ ମାଧ୍ୟମରେ ଭୟ ସୃଷ୍ଟି କରିବା କଷ୍ଟକର। ଏହାବ୍ୟତୀତ ସମଗ୍ର ଦେଶ ଯେଉଁ କେତେକ ସମୟରେ ବ୍ୟସ୍ତ ହୋଇ ପ୍ରଧାନମନ୍ତ୍ରୀଙ୍କଠାରୁ ବାର୍ତ୍ତା ଶୁଣିବାକୁ ଚାହୁଁଥିଲା, ସେତେବେଳେ ମୋଦି ନିଜର ମତ ଲୋକଙ୍କ ସମ୍ମୁଖରେ ଥୋଇବାକୁ ଉଚିତ ମଣିଲେ ନାହିଁ। ଉଦାହରଣ ସ୍ବରୂପ ଗଲ୍‌ଓ୍ବାନଠାରେ ୨୦ ଭାରତୀୟ ଯବାନଙ୍କ ମୃତ୍ୟୁ ପରେ କୌଣସି ସରକାରୀ ପ୍ରତିକ୍ରିୟା ପ୍ରକାଶ ପାଇଲା ନାହିଁ। ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣରେ ଚାଇନା ନାମ ଉଚ୍ଚାରଣ କରୁନାହାନ୍ତି। ଅନୁରୂପ ଭାବେ ୨୦୨୧ ମସିହା ପ୍ରାରମ୍ଭରେ କରୋନା ଭାଇରସ୍‌ର ଉଗ୍ର ରୂପ ଭାରତରେ ଦେଖାଦେଇ ଅନେକ ଲକ୍ଷ ଲୋକଙ୍କୁ ମାରିଦେବା ବେଳେ ପ୍ରଧାନମନ୍ତ୍ରୀଙ୍କ ନୀରବତା ଅନେକ ନିରପେକ୍ଷ ନାଗରିକଙ୍କର ଏବେ ମଧ୍ୟ ମନେଅଛି। ସ୍ବାଭାବିକ ଭାବେ ସମର୍ଥକମାନେ ଏହିଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଘଡ଼ିସନ୍ଧିମୂଳକ ଘଟଣାକୁ ନୂ୍ୟନ କରି ଭୁଲିଯିବାକୁ ପସନ୍ଦ କରନ୍ତି।
ରାଷ୍ଟ୍ରର ନେତୃତ୍ୱ ନେଉଥିବା ବ୍ୟକ୍ତି ସାଧାରଣ କଥାକୁ ବଡ଼ ଆକାରରେ ଦର୍ଶାଇ ନିଜର ଏକ ସ୍ବତନ୍ତ୍ର ଭାବମୂର୍ତ୍ତି ସୃଷ୍ଟି କରିବାକୁ ଚାହିଁ ଆସିଛନ୍ତି। ଅନ୍ୟପକ୍ଷରେ ବିଶେଷକରି ପ୍ରଧାନମନ୍ତ୍ରୀ ମୋଦି ଯେଉଁ ପରାମର୍ଶ ଦେଇଥାଆନ୍ତି, ପରବର୍ତ୍ତୀ ସମୟରେ ତାହାକୁ ଭାଙ୍ଗିଥିବାର ନଜିର ରହିଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ବିଭିନ୍ନ ସଭାରେ କହିଥିବା ଦେଖିବାକୁ ମିଳିଛି ଯେ ଏତେସଂଖ୍ୟକ ଲୋକ ସେ କେବେ ଦେଖି ନ ଥିଲେ। ଏହାର କିଛିଦିନ ପରେ ବିହାର ଓ ଉତ୍ତରପ୍ରଦେଶର ଗଙ୍ଗାକୂଳରେ ଅନେକ ହଜାର ଶବ ବାଲିରେ ପୋତା ହୋଇଥିବା ଦେଖିବାକୁ ମିଳିଥିଲା। ସେତେବେଳେ ମଧ୍ୟ ପ୍ରଧାନମନ୍ତ୍ରୀ ନୀରବ ରହିଥିଲେ। ଏବେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଶୁଣିବାକୁ ପୂର୍ବଭଳି ସେହି ଆଗ୍ରହ ଦେଖିବାକୁ ମିଳୁନାହିଁ। ଭାରତର ପ୍ରଧାନମନ୍ତ୍ରୀ ହେଉଛନ୍ତି ଆମ ସମସ୍ତଙ୍କର। ତାଙ୍କ ବାର୍ତ୍ତା ପ୍ରତି ହେୟଜ୍ଞାନ ପ୍ରଦର୍ଶନ କରିବା ଦେଶ ସକାଶେ କ୍ଷତିକାରକ ହୋଇପାରେ। ସେଥିପାଇଁ ପଦବୀର ମର୍ଯ୍ୟାଦା ରକ୍ଷା ସହ ଦେଶର ମଙ୍ଗଳ କାମନା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri