ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ ଆଇନଗତ ଉଲ୍ଲଂଘନ ବା ପ୍ରଶାସନିକ ତ୍ରୁଟି ନୁହେଁ, ବରଂ ରାଜ୍ୟର ଅର୍ଥନୀତି, ପରିବେଶ, ପ୍ରଶାସନିକ ବ୍ୟବସ୍ଥା, ନୈତିକ ଅଧୋଗତି ଓ ସାମାଜିକ ନ୍ୟାୟର ମୂଳଦୁଆକୁ ଅନ୍ତଃସାରଶୂନ୍ୟ କରୁଥିବା ଏକ ବିକଟାଳ ବ୍ୟାଧି। ସ୍ବାଧୀନତାର ସପ୍ତଦଶକ ପରେ ମଧ୍ୟ ଏହି ଅନୈତିକ, ଅବୈଧ ଓ ଅସାମ୍ବିଧାନିକ ଅଭ୍ୟାସ ଏକ ଲେଲିହାନ ଅଗ୍ନିଶିଖା ପରି ରାଜ୍ୟର ଭୂ-ସମ୍ପଦକୁ ଗ୍ରାସ କରିଚାଲିଛି; ଯାହାର ପରିଣାମ ସ୍ବରୂପ ଗଣତନ୍ତ୍ରର ପ୍ରାଣଭୂମିରେ ଅରାଜକତା, ଅବିଶ୍ୱାସ ଓ ଅବକ୍ଷୟର ବିଷବୃକ୍ଷ ମୂଳମାଡି ବସିଲାଣି। ଏହା ଏକ ନୀରବ ଆକ୍ରମଣ, ଯାହା ଧୀରେ ଧୀରେ ରାଜ୍ୟର ଭବିଷ୍ୟତକୁ ଅନ୍ଧକାରାଚ୍ଛନ୍ନ କରୁଛି।
ଜବରଦଖଲର ପ୍ରକୋପ ଆଜି ସର୍ବବ୍ୟାପୀ, ସର୍ବଗ୍ରାସୀ ଓ ସର୍ବନାଶୀ। ନଗରାଞ୍ଚଳରେ ସରକାରୀ ଜମି, ଜଳାଶୟ, ଗୋଚର, ଶ୍ମଶାନ, ଖେଳପଡ଼ିଆ, ପାର୍କ, ରାସ୍ତାକଡ଼ ଜାଗା ଓ ନାଳ ଉପରେ ପ୍ରଭାବଶାଳୀ ବ୍ୟକ୍ତିବିଶେଷ, ଭୂ-ମାଫିଆ ଓ ବାହୁବଳୀଙ୍କ ଗୃଧ୍ରଦୃଷ୍ଟି ପଡ଼ିଛି । ଭୁବନେଶ୍ୱର-କଟକ-ପୁରୀ-ରାଉରକେଲା-ବ୍ରହ୍ମପୁର ଯାଆଁଳା ନଗରୀଠାରୁ ଆରମ୍ଭ କରି ଉପାନ୍ତ ଗ୍ରାମାଞ୍ଚଳ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପର୍ଯ୍ୟନ୍ତ, ଭୂ-ମାଫିଆଙ୍କ ଅପରିମିତ ଲୋଭ, ରାଜନୈତିକ ଛତ୍ରଛାୟା, ପ୍ରଶାସନିକ ଔଦାସୀନ୍ୟ ଓ ଆଇନର ଶିଥିଳ ପ୍ରୟୋଗର ଯୁଗଳବନ୍ଦୀରେ ସରକାରୀ ଜମିର ଅବାଧ, ଅବିରତ ଲୁଣ୍ଠନ ଚାଲିଛି। ବିଶେଷକରି ଜଙ୍ଗଲ ଜମି, ଜଳଛାୟା ଅଞ୍ଚଳ, ନଦୀକୂଳ, ପାହାଡ଼, ଖଣି ଅଞ୍ଚଳ ଓ ଉପକୂଳବର୍ତ୍ତୀ ଭୂମିର ଅବୈଧ ଅଧିଗ୍ରହଣ ଯୋଗୁ ପରିବେଶଗତ ଭାରସାମ୍ୟ ସମ୍ପୂର୍ଣ୍ଣ ବିନଷ୍ଟ ହୋଇସାରିଲାଣି। ଫଳସ୍ବରୂପ ପ୍ରତିବର୍ଷ ବନ୍ୟା-ବାତ୍ୟା-ମରୁଡ଼ି-ଭୂସ୍ଖଳନର ପ୍ରଳୟଙ୍କରୀ ତାଣ୍ଡବ ବଢ଼ିଚାଲିଛି। ବିଗିରିର ଶ୍ୟାମଳିମା ନିଶ୍ଚିହ୍ନ ହେଉଛି, ଚିଲିକାର ଜୀବବୈଚିତ୍ର୍ୟ ବିପନ୍ନ ହେଉଛି, ମହାନଦୀ-ବ୍ରାହ୍ମଣୀ-ବୈତରଣୀର ଗର୍ଭ ଶୁଖିଯାଉଛି, ଭିତରକନିକାର ହେନ୍ତାଳବଣ ହ୍ରାସ ପାଉଛି – ଏ ସବୁର ମୂଳରେ ରହିଛି ଜବରଦଖଲର ଅସୁରିକ ପ୍ରବୃତ୍ତି ଓ ମଣିଷର ଅନିୟନ୍ତ୍ରିତ ଲାଳସା।
ଏହାର ଅର୍ଥନୈତିକ, ସାମାଜିକ ଓ ନୈତିକ କୁପରିଣାମ ଅତ୍ୟନ୍ତ ମର୍ମନ୍ତୁଦ ଓ ସୁଦୂରପ୍ରସାରୀ। ହଜାର ହଜାର ଏକର ସରକାରୀ ଜମି ଜବରଦଖଲରେ ରହିବା ଫଳରେ ରାଜ୍ୟ କୋଷାଗାର ପ୍ରତିବର୍ଷ ଶହ କୋଟି ଟଙ୍କାର ରାଜସ୍ବରୁ ବଞ୍ଚିତ ହେଉଛି। ଏହି ବିପୁଳ ଅର୍ଥରେ ଅନେକ ବିଦ୍ୟାଳୟ, ମହାବିଦ୍ୟାଳୟ, ଚିକିତ୍ସାଳୟ, ସଡକ, ସେତୁ, ଜଳସେଚନ ପ୍ରକଳ୍ପ ଓ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହୋଇପାରନ୍ତା, ଲକ୍ଷ ଲକ୍ଷ ଯୁବକଙ୍କୁ ରୋଜଗାର ମିଳନ୍ତା। ଜବରଦଖଲଜନିତ ମାମଲାର ପାହାଡ଼ ନ୍ୟାୟପାଳିକା ଉପରେ ଦୁଃସହ ବୋଝ ସୃଷ୍ଟି କରିଛି। ବର୍ଷ ବର୍ଷ ଧରି, ପିଢ଼ି ପରେ ପିଢ଼ି ମାମଲା ବିଚାରାଧୀନ ରହିବା ଫଳରେ ନ୍ୟାୟ ପ୍ରଦାନ ପ୍ରକ୍ରିୟା ଶମ୍ବୁକ ଗତିରେ ପରିଣତ ହୋଇଛି, ଯାହା ଫଳରେ ନ୍ୟାୟ ବିଳମ୍ବ ନ୍ୟାୟ ଅସ୍ବୀକାର ଉକ୍ତିଟି ଏକ ନିର୍ମମ ସତ୍ୟ ଭାବେ ପ୍ରତିଷ୍ଠିତ ହୋଇସାରିଛି। ସାମାଜିକ ଦୃଷ୍ଟିକୋଣରୁ ଦେଖିଲେ, ପ୍ରଭାବଶାଳୀ ମୁଷ୍ଟିମେୟ ବ୍ୟକ୍ତି, ରାଜନେତା ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ସରକାରୀ ଜମିକୁ ଆତ୍ମସାତ କରାଯାଉଥିବା ବେଳେ ପ୍ରକୃତ ଭୂମିହୀନ, ଦଳିତ, ଆଦିବାସୀ, ବିସ୍ଥାପିତ ଓ ଗରିବ ସମ୍ପ୍ରଦାୟ ନିଜ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇ ସାମାଜିକ ଅସନ୍ତୋଷ, ଆକ୍ରୋଶ ଓ ହତାଶାର ବାରୁଦଗଦା ଉପରେ ବସିଛନ୍ତି। ଏହି ବୈଷମ୍ୟ ଭବିଷ୍ୟତରେ ବିରାଟ ଜନବିଦ୍ରୋହ, ସାମାଜିକ ଅସ୍ଥିର ପରିସ୍ଥିତିର କାରଣ ହୋଇପାରେ।
ଏହି ବ୍ୟାଧିର ଉପଶମ ପାଇଁ କେବଳ ଆଇନର ଶୁଷ୍କ ଧାରା, ସରକାରୀ ନିର୍ଦ୍ଦେଶନାମା ବା ଅସ୍ଥାୟୀ ଉଚ୍ଛେଦ ଅଭିଯାନ ଯଥେଷ୍ଟ ନୁହେଁ, ଦରକାର ରାଜନୈତିକ ସଦିଚ୍ଛା, ପ୍ରଶାସନିକ ଦୃଢ଼ତା, ନ୍ୟାୟିକ ସକ୍ରିୟତା ଓ ନାଗରିକ ଚେତନାର ତ୍ରିବେଣୀ ସଙ୍ଗମ। ସମସ୍ତ ସରକାରୀ ଜମିର ସାଟେଲାଇଟ ଚିତ୍ର ସହ ଜିଓ-ଟ୍ୟାଗିଂ, ଡ୍ରୋନ ସର୍ଭେ ଓ ସ୍ବଚ୍ଛ ଡିଜିଟାଲ ରେକର୍ଡ ପ୍ରସ୍ତୁତ କରି ତାହାକୁ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ କରିବା ଆଶୁ ଆବଶ୍ୟକ, ଯେପରି ଗୋଟିଏ ଡିସିମିଲ ଜମି ବି କାହାର ଗୋପନ ଅଧିକାରରେ ନ ରହେ। ଜବରଦଖଲ ଚିହ୍ନଟ ହେବା ମାତ୍ରେ ନିରପେକ୍ଷ ଉଚ୍ଛେଦ ଓ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେବା ଉଚିତ, ଯାହା ଅନ୍ୟମାନଙ୍କ ପାଇଁ ଚେତାବନୀ ହେବ। ଜବରଦଖଲକାରୀଙ୍କଠାରୁ ବଜାର ଦରରେ ଜରିମାନା ଆଦାୟ କରିବା ସହ ସେମାନଙ୍କୁ ସରକାରୀ ସୁବିଧା ଓ ନିର୍ବାଚନ ଲଢ଼ିବାରୁ ବଞ୍ଚିତ କରାଯାଉ। ଏହାସହିତ ସ୍ବତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ ଗଠନ କରି ଜବରଦଖଲ ମାମଲାର ତ୍ୱରିତ୍‌ ଫଇସଲା କରିବାକୁ ପଡ଼ିବ। ଜବରଦଖଲ ଏକ ରାଷ୍ଟ୍ରବିରୋଧୀ, ସାମାଜିକ ଅପରାଧ-ଏହି ବୋଧ ଜନମାନସରେ ସୃଷ୍ଟି କରିବାକୁ ପଡ଼ିବ। ବିଦ୍ୟାଳୟ ପାଠ୍ୟକ୍ରମରେ ଏହାକୁ ସାମିଲ କରି ଆଗାମୀ ପିଢ଼ିକୁ ସଚେତନ କରିବାକୁ ହେବ।
ଜବରଦଖଲ ସମସ୍ୟା ଆଜି ଓଡ଼ିଶାର ବିକାଶ ପଥରେ ଏକ ଦୁର୍ଲଂଘ୍ୟ ପ୍ରାଚୀର ସୃଷ୍ଟି କରିଛି, ଏକ ଅଭିଶାପ ପାଲଟିଛି। ଯଦି ଏବେ ମଧ୍ୟ ଆମେ ନିଦ୍ରାଭଙ୍ଗ ନ କରୁ, ଶାସକ-ପ୍ରଶାସକ-ନାଗରିକ ସମସ୍ତେ ନିଜ ଦାୟିତ୍ୱ ନ ବୁଝୁ, ତେବେ ଆଗାମୀ ପିଢ଼ି ଆମକୁ ଇତିହାସର କାଠଗଡ଼ାରେ ଛିଡ଼ା କରିବ, କ୍ଷମା କରିବ ନାହିଁ। ରାଜ୍ୟର ଭୂ-ସମ୍ପଦ କୌଣସି ବ୍ୟକ୍ତିବିଶେଷର ପୈତୃକ ସମ୍ପତ୍ତି ନୁହେଁ, ଏହା ସମଗ୍ର ଜନସାଧାରଣଙ୍କର ଅମୂଲ୍ୟ ଧରୋହର, ଏକ ପବିତ୍ର ଅମାନତ, ଯାହାକୁ ଆମେ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିବାକୁ ବାଧ୍ୟ। ଏହାର ସୁରକ୍ଷା ପାଇଁ ଶାସକ ଓ ଶାସିତଙ୍କ ମିଳିତ ସଂକଳ୍ପ, ନିରନ୍ତର ସଂଗ୍ରାମ, ଅବିଚଳିତ ନିଷ୍ଠା ଓ ସାମୂହିକ ଜାଗରଣ ହିଁ ଏକମାତ୍ର ପନ୍ଥା। ନଚେତ ଯେଉଁ ମାଟିରେ ଆମେ ଜନ୍ମ ନେଲୁ, ଯେଉଁ ମାଟି ଆମକୁ ଅନ୍ନ ଦେଲା, ଆଶ୍ରୟ ଦେଲା, ସେହି ମାଟି ଆମ ପାଦ ତଳୁ ଖସିଯିବାକୁ ଅଧିକ ସମୟ ଲାଗିବ ନାହିଁ ଏବଂ ଆମେ ଏକ ଭୂମିହୀନ, ପରିଚୟହୀନ, ଇତିହାସହୀନ ଜାତିରେ ପରିଣତ ହୋଇଯିବା।
ଗୌରାଙ୍ଗପାଟଣା, ରମ୍ଭା, ଗଞ୍ଜାମ
ମୋ:୯୩୯୧୫୯୪୭୯୭

Odisha’s No.1 Odia Daily