ଆଜିଠାରୁ ଶିକ୍ଷାନୁଷ୍ଠାନରେ ଦସ୍ତଖତ ଅଭିଯାନ

ଭୁବନେଶ୍ୱର,୧୫।୭(ବ୍ୟୁରୋ): ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ନ୍ୟାୟ ପ୍ରଦାନ ସହ ଶିକ୍ଷାନୁଷ୍ଠାନ କ୍ୟାମ୍ପସକୁ ରାଗିଂ ମୁକ୍ତ କରାଇବା ପାଇଁ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍‌ଏଫ୍‌) ପକ୍ଷରୁ ରାଜ୍ୟବ୍ୟାପୀ ଦସ୍ତଖତ ସଂଗ୍ରହ ଅଭିଯାନ ପାଇଁ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାରଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରୁ ଦସ୍ତଖତ ସଂଗ୍ରହ କରାଯିବ। ରୁଚିକା ଆତ୍ମହତ୍ୟା ଘଟଣାର ୧୨ ଦିନ ପରେ ମଧ୍ୟ ପୋଲିସ ଦୋଷୀଙ୍କୁ ଧରିବାରେ ବିଫଳ ହୋଇଛି। ସୁଇସାଇଡ୍‌ ନୋଟ୍‌ରେ ୩ଜଣ ସିନିୟର ମାନସିକ ନିର୍ଯାତନା ଦେଉଥିବା ଉଲ୍ଲେଖ ରହିଛି। ଏହା ସତ୍ତ୍ୱେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଥବା ୫-ଟି ବିଭାଗ ଏ ପର୍ଯ୍ୟନ୍ତ ବିଜେବି କଲେଜ କର୍ତ୍ତୃପକ୍ଷଙ୍କୁ କୈଫିୟତ ତଲବ କରିନାହାନ୍ତି। ଏହା ପୂର୍ବରୁ ଭୀମ ଭୋଇ ମେଡିକାଲ କଲେଜ, ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ, ବାଲେଶ୍ୱର ଓ ଢେଙ୍କାନାଳ ନର୍ସିଂ କଲେଜ ସମେତ ଚଳିତବର୍ଷ ଏପ୍ରିଲ ସୁଦ୍ଧା ୨୧ରୁ ଅଧିକ ରାଗିଂ ଘଟଣା ରାଜ୍ୟରେ ଘଟିସାରିଛି। ଅଳ୍ପ ଦିନ ତଳେ ଦେବଗଡ଼ ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟରର ଛାତ୍ରୀ ସିଡିଏମ୍‌ଓଙ୍କ ନିକଟରେ ରାଗିଂ ଅଭିଯୋଗ ଆଣିଥିଲେ। ଅନ୍ୟପକ୍ଷରେ ରାଗିଂ ରୋକିବା ପାଇଁ ରାଜ୍ୟର ନିଜସ୍ବ ଆଇନ୍‌ ଓ ୨୪ ଘଣ୍ଟିଆ ହେଲ୍ପଲାଇନ୍‌ ନମ୍ବରର ବ୍ୟବସ୍ଥା ନାହିଁ। ତେଣୁ ରାଗିଂ ରୋକିବା ପାଇଁ ବିଧାନସଭାରେ ଆଇନ ପ୍ରଣୟନ, ଶିକ୍ଷାନୁଷ୍ଠାନ ଓ ହଷ୍ଟେଲରେ ସିସିଟିଭି ଲଗାଯିବା, ଛାତ୍ର ସଂସଦ ନିର୍ବାଚନ କରାଯିିବା, ଓଡ଼ିଶା ମାନବାଧିକାର ଆୟୋଗଙ୍କ ତତ୍ତ୍ୱାବଧାନରେ ୨୪ ଘଣ୍ଟିଆ ହେଲ୍ପଲାଇନ୍‌ ନମ୍ବର ଜାରି କରିିବା, ଶିକ୍ଷାବର୍ଷ ପ୍ରାରମ୍ଭରେ ଛାତ୍ରୀଛାତ୍ରଙ୍କୁ କାଉନ୍‌ସେଲିଂ କରାଇବା, ଆଣ୍ଟି ରାଗିଂ ସେଲକୁ କାର୍ଯ୍ୟକ୍ଷମ କରାଇବା ଓ ରୁଚିକାଙ୍କୁ ଅବିଳମ୍ବେ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରୁ ଦସ୍ତଖତ ସଂଗ୍ରହ କରାଯିବ ବୋଲି ଏଏଆଇଏସ୍‌ଏଫ୍‌ ରାଜ୍ୟ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।