ସିଗ୍‌ନାଲ ଜେଇଙ୍କ ପତ୍ତା ମିଳୁନି

ବାହାନଗା/ସୋର, ୨୦ା୬:(ଅରୂପ ଦାସ/ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣାକୁ ୧୯ଦିନ ବିତିଗଲାଣି। ଦୁର୍ଘଟଣାରେ ୨୯୨ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ଏହାର ପ୍ରକୃତ କାରଣ ସମ୍ପର୍କରେ ଖୋଳତାଡ ଚଳାଇଛି ସିବିଆଇ। ରେଲଓ୍ବେ ସୋର ସେକ୍ସନର ସିଗ୍‌ନାଲ ଜେଇ (କନିଷ୍ଠ ଯନ୍ତ୍ରୀ) ଅମିର ଖାନ୍‌ଙ୍କୁ ଧରିବାରେ ସିବିଆଇ ବିଫଳ ହେବା ପରେ ସେ ଭଡ଼ାରେ ରହୁଥିବା ଘରକୁ ସୋମବାର ସିଲ୍‌ କରିଛି। ଦୁର୍ଘଟଣା ପରଠାରୁ ସିଗ୍‌ନାଲ ଜେଇ ଓ ତାଙ୍କ ପରିବାର ଘରେ ଅନୁପସ୍ଥିତ ଅଛନ୍ତି। ଏବେ ଜିଆର୍‌ପି ପୋଲିସ ତାଙ୍କ ଘରକୁ ଜଗି ବସିଛି।
ପ୍ରାଥମିକ ତଦନ୍ତ କରି ସିବିଆଇ ଫେରିଯାଇଥିବା ବେଳେ ସୋମବାର ପୁଣି ଆସି ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ସିଗ୍‌ିନାଲ ଯନ୍ତ୍ରୀ ଖାନ୍‌ ଦୁର୍ଘଟଣା ରାତିରେ ହିଁ ପରିବାର ସହ ଫେରାର ହୋଇଯାଇଛନ୍ତି। ସିବିଆଇ ବାହାନଗା ଷ୍ଟେଶନକୁ ସିଲ୍‌ କରିଦେଇଥିବାବେଳେ ଷ୍ଟେଶନ ମ୍ୟାନେଜରଙ୍କ ସମେତ ଅନ୍ୟ ୨ ଅଧିକାରୀଙ୍କୁ ଉଠାଇ ନେଇଥିଲା। ଆସନ୍ତା ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାହାନଗା ରେଳଷ୍ଟେଶନ ନିକଟକୁ ଆସିବା କାର୍ଯ୍ୟକ୍ରମ ରହିଛି। ଏହାର ପୂର୍ବଦିନ ପୁନର୍ବାର ସିବିଆଇ ତତ୍ପର ହୋଇଉଠିଛି। ସିବିଆଇ ସିଗ୍‌ନାଲ ଯନ୍ତ୍ରୀ ଖାନ୍‌ଙ୍କୁ ନ ପାଇବା ପରେ ଶେଷରେ ସେ ଭଡ଼ାରେ ରହୁଥିବା ସୋରସ୍ଥିତ କମରପୁରର ଭାଗୀରଥି ସନ୍ଦିପଗ୍ରହଙ୍କ ଘରକୁ ସିଲ୍‌ କରିଦେଇଛନ୍ତି। ସିଗ୍‌ନାଲ ଜେଇ ଖାନ୍‌ ସେଠାରେ ଦୀର୍ଘ ୨ ବର୍ଷ ଧରି ରହି ଆସୁଥିଲେ। ଏ ସମ୍ପର୍କରେ ଖାନ୍‌ଙ୍କ ପଡୋଶୀ ମହେଶ୍ୱର ବେହେରା କହିଛନ୍ତି, ସିଗ୍‌ନାଲ୍‌ ଯନ୍ତ୍ରୀ ଖାନ୍‌ ଜଣେ ମେଳାପି ଲୋକ। ଟ୍ରେନ ଦୁର୍ଘଟଣା ପରଠାରୁ ତାଙ୍କ ପରିବାରକୁ କେହି ଦେଖିନାହାନ୍ତି।