ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଭାବବିହ୍ବଳ ହେଲେ ସିଦ୍ଦାରାମାୟା, କହିଲେ ମୁଁ କେବେ ବି…

ବେଙ୍ଗାଲୁରୁ,୨୮ା୫: କର୍ନାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସିଦ୍ଦାରାମାୟା ଭାବବିହ୍ବଳ ହୋଇପଡ଼ିଛନ୍ତି। ସେ ତାଙ୍କ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି, ଦଳର ହାଇକମାଣ୍ଡ ମୋତେ ଯାହା କହିଥିଲେ, ମୁଁ ସେହିପରି କଲି। ଦଳର ହାଇକମାଣ୍ଡ ମୋତେ ଆରମ୍ଭରୁ ଇସ୍ତଫା ଦେବାକୁ କହିଥିଲେ। ମୁଁ ନିଶ୍ଚିତ ଯେ, ରାଜ୍ୟପାଳ ଆସିଲେ, ସେ ଏହାକୁ ଗ୍ରହଣ କରିବେ, କାରଣ ଏହା ସମ୍ବିଧାନ ଅନୁସାରେ ହେବ। କର୍ନାଟକ ରାଜ୍ୟପାଳ ଏବେ ରାଜ୍ୟରେ ନାହାନ୍ତି, ତେଣୁ ସିଦ୍ଦାରାମାୟା ରାଜ୍ୟପାଳଙ୍କ ସଚିବଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।

ସେ କହିଛନ୍ତି, ଆମର ସମ୍ପୂର୍ଣ୍ଣ ବହୁମତ ଅଛି, ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ସରକାର ଗଠନ କରିବାକୁ ଅନୁମତି ଦିଆଯିବା ସାମ୍ବିଧାନିକ। ମୋତେ ଏହି ସୁଯୋଗ ଦେବା ପାଇଁ ମୁଁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖାର୍ଗେଙ୍କ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରୁଛି। ମୁଁ କେବେ ବି ମୁଖ୍ୟମନ୍ତ୍ରୀ ହୋଇପାରି ନ ଥାନ୍ତି। ୨୦୦୬ରେ ଦଳରେ ଯୋଗଦେବା ପରଠାରୁ ସେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ କର୍ମୀ, ବିଧାୟକ ଏବଂ ଏମ୍‌ପିମାନଙ୍କ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା (Lop) ଭାବରେ ତାଙ୍କ କାର୍ଯ୍ୟକାଳକୁ ମନେ ପକାଇ ସିଦ୍ଦାରାମାୟା କହିଛନ୍ତି, ତାଙ୍କୁ କର୍ନାଟକର ୭ କୋଟି ଲୋକଙ୍କ ସେବା କରିବାର ସୁଯୋଗ ମିଳିଛି। ବିରୋଧୀ ଦଳକୁ ଟାର୍ଗେଟ କରି ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକଙ୍କ ଦ୍ୱାରା ଭୁଲ ସୂଚନା ପ୍ରସାରିତ ହୋଇଛି ଯେ, କଂଗ୍ରେସ ଗ୍ୟାରେଣ୍ଟି ରାଜ୍ୟ ରାଜକୋଷ ଖାଲି କରିଦେବ।

ସିଦ୍ଦାରାମାୟା କହିଛନ୍ତି, ମୁଁ ପୂର୍ବରୁ କହିସାରିଛି, ହାଇକମାଣ୍ଡ ମୋତେ ଯେତେବେଳେ ନିର୍ଦ୍ଦେଶ ଦେବେ ମୁଁ ଇସ୍ତଫା ଦେବି, ତେଣୁ ମୁଁ ଆଜି ମୋର ଇସ୍ତଫା ପ୍ରଦାନ କରୁଛି। ଏହା ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାସ୍ତା ପରିଷ୍କାର ହେଉଛି।  ଏଥିରେ କୌଣସି ଦ୍ୱିମତ ନାହିଁ। ଆମ ଦଳ ୧୩୫+୧ ଆସନରେ ବିଜୟୀ ହୋଇଛି। ଏହା ସହିତ ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଆମ ସରକାରଙ୍କୁ ସମର୍ଥନ କରିଥିଲେ।

Dharitri – Odisha’s No.1 Odia Daily

Share