ବେଙ୍ଗାଲୁରୁ,୨୮ା୫: କର୍ନାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଦାରାମାୟା। ବେଙ୍ଗାଲୁରୁ ରାଜଭବନ ଯାଇ ସେ ଇସ୍ତଫା ଦେଇଛନ୍ତି। ଏନେଇ ସିଦ୍ଦାରାମାୟା ଏକ ପ୍ରେସ୍ମିଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟପାଳଙ୍କ ଅନୁପସ୍ଥିତିରେ ତାଙ୍କ ସଚିବଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛି। ରାଜ୍ୟପାଳ ଫେରିଲେ ମୋର ଇସ୍ତଫାପତ୍ର ଗ୍ରହଣ କରିବେ। କଂଗ୍ରେସ ହାଇକମାଣ୍ଡ ମୋତେ ଇସ୍ତଫା ପାଇଁ କହିଥିଲେ।
ସିଦ୍ଦାରାମାୟା ଗୁରୁବାର ମନ୍ତ୍ରୀମାନଙ୍କ ସହିତ ଏକ ବୈଠକରେ ଇସ୍ତଫା ଘୋଷଣା କରିଥିଲେ। ସେ କହିଥିଲେ, ମୋତେ ଏକ ନୂଆ ମୁହଁ ପାଇଁ ରାସ୍ତା ଛାଡ଼ିବାକୁ କୁହାଯାଇଛି। ମୁଁ ଦଳର ହାଇକମାଣ୍ଡଙ୍କ ଅନୁରୋଧରେ ସହମତ ହେଉଛି ଏବଂ ଇସ୍ତଫା ଦେଉଛି। ଯାହାକି ଡିକେ ଶିବକୁମାରଙ୍କ ମୁଖ୍ୟମନ୍ତ୍ରୀ ହେବା ପାଇଁ ରାସ୍ତା ଫିଟିଛି।
ଉଲ୍ଲେଖନୀୟ ଯେ, ମୁଖ୍ୟମନ୍ତ୍ରୀ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଉପରେ ଆଲୋଚନା ସମୟରେ ଯେତେବେଳେ ରୋଟେସନ ଚୁକ୍ତିନାମା ଅନୁଯାୟୀ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରାଯିବ କି ଅନ୍ୟ କାହାକୁ ବିଚାର କରାଯିବ ତାହା ସ୍ଥିର କରାଯାଇଥିଲା, ପ୍ରିୟଙ୍କା ଗାନ୍ଧୀ ତାଙ୍କର ମତ ସ୍ପଷ୍ଟ କରିଥିଲେ ଏବଂ ନେତୃତ୍ୱକୁ କେବଳ ଡିକେ ଶିବକୁମାରଙ୍କୁ ବାଛିବାକୁ ପରାମର୍ଶ ଦେଇଥିଲେ, ଅନ୍ୟ କାହାକୁ ନୁହେଁ। ପ୍ରିୟଙ୍କା ସ୍ପଷ୍ଟ ଭାବରେ କହିଛନ୍ତି, ଯେଉଁମାନେ ସବୁଠାରୁ କଷ୍ଟକର ସମୟରେ ମଧ୍ୟ ଦଳ ସହିତ ଠିଆ ହୋଇଛନ୍ତି ସେମାନଙ୍କୁ ସମର୍ଥନ କରିବା ଉଚିତ୍।