ଭଞ୍ଜନଗର,୧୩।୭ (ବାବୁଲା ପ୍ରଧାନ): ଆର୍ଥିକ ଅନାଟନରେ ପଡ଼ି ମଣିଷ ଅନେକ ସମୟରେ ଭୁଲ ପଦକ୍ଷେପ ନେଇଥାଏ। ପରବର୍ତ୍ତୀ ସମୟରେ ତାହାର ପରିଣାମ ଭୟାବହ ହୋଇଥାଏ। ଏଭଳି ଏକ ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଛେଦାଭୂମି ଗ୍ରାମରେ ଘଟିଛି। ଗ୍ରାମର ଅକ୍ଷୟ ମଳିକ (୩୫) ଋଣ ବୋଝ ଓ ପରିବାରର ଦୁଃଚିନ୍ତାରେ ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ରବିବାର ସନ୍ଧ୍ୟାରେ ପୋଲିସ ଅକ୍ଷୟଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା। ମେଡିକାଲରେ କର୍ମଚାରୀ ଅଭାବ ଯୋଗୁଁ ସୋମବାର ଅପରାହ୍ନରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ, ଅକ୍ଷୟ ଘରର ଏକମାତ୍ର ମୁରବୀ ଥିଲେ। କିଛି ବର୍ଷ ପୂର୍ବେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିବା ବେଳେ ବର୍ତ୍ତମାନ ପରିବାରରେ ଅସୁସ୍ଥ ମା’, ସ୍ତ୍ରୀ ଓ ତିନିଜଣ ସନ୍ତାନ ଅଛନ୍ତି। ଅକ୍ଷୟ ଦିନମଜୁରି କରି ପରିବାର ଚଳାଉଥିଲେ। କିନ୍ତୁ ସୀମିତ ରୋଜଗାରରେ ପରିବାରର ଖର୍ଚ୍ଚ ବହନ କରିବା କଷ୍ଟକର ହୋଇପଡ଼ିଥିଲା।
ଅସୁସ୍ଥ ମା’ଙ୍କ ଚିକିତ୍ସା, ପରିବାରର ଖର୍ଚ୍ଚ ଏବଂ ତିନି ସନ୍ତାନଙ୍କ ଭରଣପୋଷଣ ପାଇଁ ସେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ (ଗ୍ରୁପ୍) ମାଧ୍ୟମରେ ଋଣ ନେଇଥିଲେ। ମାତ୍ର ଆର୍ଥିକ ବୋଝ ବଢ଼ିବା ସହ ଋଣ ପରିଶୋଧ କରିବା ତାଙ୍କ ପକ୍ଷରେ ଅସମ୍ଭବ ହୋଇପଡ଼ିଥିଲା। ଏହାକୁ ନେଇ ସେ ଦୀର୍ଘଦିନ ଧରି ମାନସିକ ଚାପରେ ରହୁଥିଲେ।
ଗତ ୧୧ ତାରିଖରେ ଋଣ ଦେଇଥିବା ସଂସ୍ଥାର କର୍ମଚାରୀମାନେ ବକେୟା ଟଙ୍କା ଆଦାୟ ପାଇଁ ଅକ୍ଷୟଙ୍କ ଘରକୁ ଯାଇଥିଲେ। ସେମାନେ ଅକ୍ଷୟଙ୍କୁ ନପାଇ ଘର ଓ ବାରିପଟେ ଖୋଜାଖୋଜି କରିଥିଲେ। ପରେ ତାଙ୍କ ସ୍ତ୍ରୀଙ୍କ ସହ କିଛି କଡ଼ା କଥାବାର୍ତ୍ତା କହି ସେଠାରୁ ଚାଲିଯାଇଥିଲେ।
ଋଣ ବୋଝ, ଅସୁସ୍ଥ ମା’ଙ୍କ ଚିକିତ୍ସା ଚିନ୍ତା ଓ ପରିବାରର ଆର୍ଥିକ ଦାୟିତ୍ୱ ଯୋଗୁ ଅକ୍ଷୟ ମାନସିକ ଭାବେ ଭାଙ୍ଗିପଡ଼ିଥିଲେ। ସେହିଦିନ ସେ ଘରୁ ବାହାରିବା ବେଳେ “ମୂଲ ଟଙ୍କା ମାଗିବାକୁ ଯାଉଛି” ବୋଲି କହିଥିଲେ। କିନ୍ତୁ ସେ ଆଉ ଘରକୁ ଫେରି ନ ଥିଲେ।
ପରିବାର ଲୋକେ ବହୁ ଖୋଜାଖୋଜି କରିବା ସହ ପୋଲିସକୁ ମଧ୍ୟ ସୂଚନା ଦେଇଥିଲେ। ରବିବାର ସନ୍ଧ୍ୟାରେ ଗ୍ରାମ ନିକଟସ୍ଥ ଏକ କାଜୁ ତୋଟାରୁ ଅକ୍ଷୟଙ୍କ ମୃତଦେହ ଠାବ କରାଯାଇଥିଲା। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲା।ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଆର୍ଥିକ ଅନାଟନ ଓ ଋଣ ବୋଝ ଯୋଗୁ ଅକ୍ଷୟ ଆତ୍ମହତ୍ୟା କରିଛନ୍ତି କିମ୍ବା ଘଟଣା ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି।