କର୍ଲାମୁଣ୍ଡା,୧୨ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଡୁକେରମାଲ ଗ୍ରାମର ଶ୍ୟାମଘନ ସାହୁ(୩୩) ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇ ବରଗଡ଼ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି। ତେବେ ସରକାରୀ ସ୍ବାସ୍ଥ୍ୟକାର୍ଡ ମାଧ୍ୟମରେ ମିଳୁଥିବା ଚିକିତ୍ସା ସୁବିଧାର ଅର୍ଥ ସୀମା ଶେଷ ହେବାକୁ ବସିଥିବାରୁ ପରିବାରକୁ ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି।
ଅନ୍ୟପଟେ ଶ୍ୟାମଙ୍କ ଚିକିତ୍ସା ପାଇଁ ବନ୍ଧୁ ବାନ୍ଧବଙ୍କ ଠାରୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଧାର କରଜ ହୋଇ ସାରିଥିବା ବେଳେ ସୀମିତ ଆୟ ତଥା ଶିଶୁମନ୍ଦିର ଗୁରୁଜୀ ଭାବେ ପାଉଥିବା ପାରିଶ୍ରମିକ ଉପରେ ନିର୍ଭରଶୀଳ ପରିବାର ପାଇଁ ଏତେ ବଡ଼ ଚିକିତ୍ସା ଖର୍ଚ୍ଚ ବହନ କରିବା କଷ୍ଟକର ହୋଇପଡ଼ିଛି। ତେଣୁ ଶ୍ୟାମଘନଙ୍କ ଚିକିତ୍ସା ଜାରି ରଖିବା ପାଇଁ ସରକାରୀ ସହାୟତା ସହିତ ଦାତା ଓ ସହୃଦୟ ବ୍ୟକ୍ତିମାନେ ସହଯୋଗର ହାତ ବଢ଼ାଇବାକୁ ପରିବାର ପକ୍ଷରୁ ନିବେଦନ କରିଛନ୍ତି।