ବ୍ରହ୍ମପୁର ୪ ଦିନ ପାଇଁ ଶଟ୍‌ଡାଉନ୍‌

ଛତ୍ରପୁର,୨୫ା୬(ଡି.ଏନ୍‌.ଏ.)- ବ୍ରହ୍ମପୁର ମହାନଗରରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ସହରରେ କରୋନା ସଂକ୍ରମଣ ଚେନ୍‌ ଭାଙ୍ଗିବା ପାଇଁ ଆସନ୍ତା ୨୭ରୁ ୩୦ ତାରିଖ (୪ଦିନ) ପର୍ଯ୍ୟନ୍ତ ବ୍ରହ୍ମପୁର ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌ ରହିବ। ଏହି ସମୟରେ କେବଳ ସ୍ବାସ୍ଥ୍ୟସେବା ଓ କ୍ଷୀର ଯୋଗାଣ ଚାଲୁ ରହିବ । ଅନ୍ୟସବୁ ଅତ୍ୟାବଶ୍ୟକ ଓ ଅଣଆବଶ୍ୟକ ସାମଗ୍ରୀ ଦୋକାନ ବନ୍ଦ ରହିବ ବୋଲି ଗୁରୁବାର ରାତିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି। ସହରରେ ଆକ୍ଟିଭ କଣ୍ଟାକ୍ଟ ଟ୍ରେସିଂ, ଲକ୍ଷଣ ଯାଞ୍ଚ, ଆଇସୋଲେଶନ ଓ ହୋମ୍‌ କ୍ୱାରାଣ୍ଟାଇନରେ ଥିବା ଲୋକଙ୍କ ଯାଞ୍ଚ ପାଇଁ ଏପରି କଡ଼ା ପଦକ୍ଷେପ ନିଆଯାଇଥିବା ଜିଲାପାଳ କହିଛନ୍ତି। ଏଥିପାଇଁ ୭୦ଟି ସ୍ବାସ୍ଥ୍ୟ ଟିମ୍‌ ଗଠନ କରାଯାଇଛି। ବ୍ରହ୍ମପୁର ସହରର ସମସ୍ତ ଘରକୁ ଯାଇ ଜ୍ୱର, କାଶ, ମଧୁମେହ, ଡାଇରିଆ ଆଦି ଯାଞ୍ଚ ହେବ। ଏପରି ଲକ୍ଷଣ ଥିଲେ ନ ଲୁଚାଇବାକୁ ଜିଲାପାଳ ଅନୁରୋଧ କରିଛନ୍ତି।