ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ ପଣ୍ଡାଙ୍କ ଜରିଆରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମୁଖ୍ୟତଃ ସ୍ଥାନୀୟ ବଂଶଧାରା ବିଜୁ ସେତୁ ଠାରୁ ଶିରିଗୁଡ଼ା ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ଗୁଡାରିରୁ ରାଜଧାନୀ ଭୁବନେଶ୍ୱର ଓ କଟକ ପର୍ଯ୍ୟନ୍ତ ଓଏସ୍ଆର୍ଟିସି ବସ୍ସେବା ପ୍ରଦାନ, ଗୁଡାରିରୁ ବିଷମକଟକ (ଭାୟା କରଲାଘାଟି) ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ପକ୍ଷରୁ ୨ ଥାକିଆ ରାସ୍ତା ମିର୍ମାଣ, ଗୁଡାରିକୁ ବ୍ରହ୍ମପୁର-ଜୟପୁର ଏକ୍ସପ୍ରେସ ଓ୍ବେ ଓ ପାରଳାଖେମୁଣ୍ଡି-ଆମ୍ବାଭୋନା ଓ୍ବେ ସଂଯୋଗ ଏବଂ ପଦ୍ମପୁର-ଗୁଡ଼ାରି-ରାଇବିଜି ରାସ୍ତାକୁ କନ୍ଧମାଳ ଜିଲାର କୋଟଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ସହ ରାଜ୍ୟ ରାଜପଥର ମାନ୍ୟତା ଦାବି ରହିଛି। ତେବେ ଆସନ୍ତା ୨୧ ତାରିଖ ମଧ୍ୟରେ ଯଦି ପ୍ରଶାସନ ପକ୍ଷରୁ କିଛି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ନ ମିଳେ ତେବେ ୨୨ ତାରିଖରେ ଗୁଡାରି ସମ୍ପୂର୍ଣ ବନ୍ଦ ରହିବା ନେଇ ସୂଚନା ମିଳିଛି। ଏହି ବନ୍ଦରେ ସହରର ସମସ୍ତ ଦୋକାନ ବଜାର ସହ ଶିକ୍ଷାନୁଷ୍ଠାନ ଏବଂ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ଓ ଯାନବାହନ ଚଳାଚଳ ବନ୍ଦ ରହିବ। ଜରୁରୀକାଳିନ ସେବା ଏହି ବନ୍ଦ ଡାକରାରେ କୌଣସି ପ୍ରକାର ପ୍ରଭାବିତ ହେବ ନାହିଁ ବୋଲି ପେଦିନା ରମେଶ ସୂଚନା ଦେଇଛନ୍ତି। ଯଦି ଜିଲା ପ୍ରଶାସନ ପକ୍ଷରୁ କିଛି ପ୍ରତିଶ୍ରୁତି ନ ମିଳେ ତେବେ ସହର ବାସିନ୍ଦାଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଏହି ବନ୍ଦ ପାଳନ ହେବ ବୋଲି କେଦାର ସାହୁ ଓ ଏମ୍ ପ୍ରସାଦ କହିଛନ୍ତି।

