Categories: Home Leftଖେଳ

ଚତୁର୍ଥ ODI ପୂର୍ବରୁ BCCIର ବଡ଼ ଘୋଷଣା: ଦଳରୁ ବାଦ୍‌ ପଡ଼ିଲେ ଶୁଭମନ ଗିଲ, ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ, ଦେଖନ୍ତୁ ଚୂଡାନ୍ତ ଏକାଦଶ ତାଲିକା

ନୂଆଦିଲ୍ଲୀ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ‘ବେ ଓଭାଲ’ (ତୌରଙ୍ଗା)ରେ ଖେଳାଯିବ। ଘରୋଇ ଦଳ ପାଇଁ ଏହି ମ୍ୟାଚ ‘କର ବା ମର’ ସଦୃଶ ହେବ। କାରଣ ଭାରତୀୟ ଦଳ ସିରିଜରେ ୨-୦ରେ ଆଗୁଆ ରହିଛି। ହାମିଲଟନରେ ଖେଳାଯିବାକୁ ଥିବା ସିରିଜର ତୃତୀୟ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା। ଶୁଭମନ ଗିଲ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ବର୍ଷା ଯୋଗୁ ନ୍ୟୁଜିଲାଣ୍ଡର ଇନିଂସ ଆରମ୍ଭ ହୋଇପାରି ନଥିଲା। ଗିଲ ଚତୁର୍ଥ ଓ ପଞ୍ଚମ ମ୍ୟାଚ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ଶ୍ରେୟସ ଆୟର ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ।

ତେବେ ଶୁଭମନ ଗିଲ ଆହତ ହୋଇଛନ୍ତି କିମ୍ବା ହଠାତ୍‌ କୌଣସି କାରଣରୁ ତାଙ୍କୁ ସିରିଜରୁ ବାଦ ଦିଆଯାଇଛି, ସେଭଳି କିଛି ନୁହେଁ। ପ୍ରକୃତରେ ଏହି ଗସ୍ତ ପାଇଁ ଦଳ ଘୋଷଣା ସମୟରେ ହିଁ ବିସିସିଆଇ ସ୍ପଷ୍ଟ କରିଥିଲା ଯେ, ଗିଲ କେବଳ ତୃତୀୟ ମ୍ୟାଚ ପର୍ଯ୍ୟନ୍ତ ଦଳରେ ରହିବେ। ଚତୁର୍ଥ ଓ ପଞ୍ଚମ ମ୍ୟାଚରେ ଶ୍ରେୟସ ଆୟର ଅଧିନାୟକ ହେବେ।

ଭାରତୀୟ କ୍ରିକେଟ ଦଳ ପ୍ରଥମ ଓ ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ କରିଥିଲା। ଆଜିର ମ୍ୟାଚ ଜିତି ସିରିଜରେ ଅଜେୟ ଅଗ୍ରଣୀ ହାସଲ କରିବା ଲକ୍ଷ୍ୟରେ ଭାରତ ପଡ଼ିଆକୁ ଓହ୍ଲାଇଥାନ୍ତା। ହେଲେ ବର୍ଷା ଯୋଗୁ ମ୍ୟାଚ ଧୋଇ ହୋଇଯାଇଥିଲା। ଦ୍ୱିତୀୟ ଦିନିକିଆରେ ମଧ୍ୟ ବର୍ଷା ବାଧା ସୃଷ୍ଟି କରିଥିଲା। ସେତେବେଳେ ଭାରତ ଡକ୍ୱର୍ଥ-ଲୁଇସ ନିୟମ ଅନୁସାରେ ମ୍ୟାଚ ଜିତିଥିଲା। ଏହି ଗସ୍ତରେ ଭାରତ ଟି-୨୦ ସିରିଜକୁ ୩-୨ରେ ଜିତିଥିବା ବେଳେ ଏବେ ଦିନିକିଆ ସିରିଜ ଜିତିବାର ନିକଟତର ହୋଇଛି। ଏହାପରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୨ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ।

ପ୍ରକୃତରେ ଶୁଭମନ ଗିଲ ଆଗାମୀ ଟେଷ୍ଟ ସିରିଜରେ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ। ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଦୃଷ୍ଟିରୁ ଏହି ସିରିଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କାରଣରୁ ସେ ଦିନିକିଆ ସିରିଜର ଶେଷ ଦୁଇଟି ମ୍ୟାଚ ଖେଳୁନାହାନ୍ତି। ଏହି ନିଷ୍ପତ୍ତି ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ ହେବା ପୂର୍ବରୁ ହିଁ ନିଆଯାଇଥିଲା।

ଚତୁର୍ଥ ଦିନିକିଆ ପାଇଁ ଭାରତୀୟ ଦଳ

ଶ୍ରେୟସ ଆୟର (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଈଶାନ କିଶନ (ଉଇକେଟ୍‌ କିପର), ତିଲକ ବର୍ମା, କୁମାର କୁଶାଗ୍ର (ଉଇକେଟ୍‌ କିପର), ନୀତିଶ କୁମାର ରେଡ୍ଡୀ, ନମନ ଧୀର, ମହମ୍ମଦ ସିରାଜ, ଋତୁରାଜ ଗାଏକ୍ୱାଡ, ଯଶ ଠାକୁର, ଅକ୍ଷର ପଟେଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଆକିବ ନବୀ ଓ ଗୁରନୂର ବରାଡ।

 

Dharitri – Odisha’s No.1 Odia Daily

Share