ଶୁଭଶ୍ରୀ ‘ଫେମିନା ମିସ୍‌ ଇଣ୍ଡିଆ ଓଡ଼ିଶା’

ଭୁବନେଶ୍ୱର, ୨ା୧୨(ବ୍ୟୁରୋ): ୨୦୨୦ ବର୍ଷ ପାଇଁ ‘ଫେମିନା ମିସ୍‌ ଇଣ୍ଡିଆ ଓଡ଼ିଶା’ ଟାଇଟଲ୍‌ ଜିତିଛନ୍ତି ବଲାଙ୍ଗୀରର ଶୁଭଶ୍ରୀ ରାୟଗୁରୁ। କୋଭିଡ୍‌ ସଂକ୍ରମଣ ଲାଗି ଚଳିତବର୍ଷ ଭିଡିିଓ କନ୍‌ଫରେନ୍ସ ମାଧ୍ୟମରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶର ଶ୍ରେଷ୍ଠ ୩୧ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଶୁଭଶ୍ରୀ ଓଡ଼ିଶାରୁ ଶ୍ରେଷ୍ଠ ବିବେଚିତ ହୋଇ ଏହି ଟାଇଟଲ ଜିତିଛନ୍ତି। ସୌନ୍ଦର୍ଯ୍ୟ ସହ ନିଜର ଦୃଢ ଆତ୍ମବିଶ୍ୱାସ ବଳରେ ଏହି ସଫଳତା ହାସଲ କରିଥିବା ଶୁଭଶ୍ରୀ ୫୭ତମ ଫେମିନା ମିସ୍‌ ଇଣ୍ଡିଆ ଫାଇନାଲ ରାଉଣ୍ଡରେ ଓଡ଼ିଶାରୁ ପ୍ରତିନିଧିତ୍ବ କରିବେ। ୨୦୧୮ରେ ଶ୍ରୁତିକ୍ଷା ନାୟକ ଏବଂ ୨୦୧୯ରେ ଶୀତଲ ସାହୁଙ୍କ ପରେ ୨୦୨୦ ପାଇଁ ଶୁଭଶ୍ରୀ ଫେମିନା ମିସ୍‌ ଇଣ୍ଡିଆ ଓଡ଼ିଶା ଟାଇଟଲ ହାସଲ କରିଛନ୍ତି। ବଲାଙ୍ଗୀର ଜିଲାରେ ଜନ୍ମିତ ଶୁଭଶ୍ରୀ ପେସାରେ ଜଣେ ଆଇନଜୀବୀ ଏବଂ ଆଙ୍କର। ସେ ୩ ହଜାରରୁ ଊର୍ଦ୍ଧ୍ୱ ଲାଇଭ୍‌ ଶୋ’ରେ ଆଙ୍କରିଂ କରିବା ସହ ଏକାଧିକ ଟେଲିଭିଜନ ବିଜ୍ଞାପନରେ ନଜର ଆସିଛନ୍ତି। ସେହିପରି ବଲିଉଡ୍‌ ଫିଲ୍ମ ‘ମସ୍ତିଜାଦେ’ରେ ସେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରିଥିବା ବେଳେ ଇ-କମର୍ସ ଓ୍ବେବ୍‌ସାଇଟ୍‌ ଆମାଜନ୍‌ର ଅଫିସିଆଲ ଆଙ୍କର୍‌ ଭାବେ କାର୍ଯ୍ୟ କରୁଛନ୍ତି। ନୃତ୍ୟ, ସଙ୍ଗୀତ ବ୍ୟତୀତ ନିଜକୁ ଫିଟ୍‌ ରଖିବା ସହ ଥିଏଟର ଜଗତ ପ୍ରତି ତାଙ୍କର ବିଶେଷ ଆଗ୍ରହ ରହିଛି। ଶୁଭଶ୍ରୀ ବଲାଙ୍ଗୀରର ସ୍ପେଶାଲ ଜୁଡିିସିଆଲ ମାଜିଷ୍ଟ୍ରେଟ୍‌ (ଏସ୍‌ଜେଏମ୍‌) ରମେଶ ଚନ୍ଦ୍ର ରାୟଗୁରୁଙ୍କ ଝିଅ। ବଲାଙ୍ଗୀରର କେନ୍ଦ୍ରୀୟ ବିଦ୍ୟାଳୟ-୨ରୁ ଶିକ୍ଷାଲାଭ କରିଥିବା ଶୁଭଶ୍ରୀ ସ୍କୁଲ୍‌ ସମୟରୁ ମଡେଲିଂ ଓ ଅଭିନୟରେ କ୍ୟାରିୟର କରିବାକୁ ଆଗ୍ରହ ରଖିଥିଲେ। କଠୋର ପ୍ରରିଶ୍ରମ ମାଧ୍ୟମରେ ମିସ୍‌ ଇଣ୍ଡିଆ ଟାଇଟଲ୍‌ ଜିତି ଆଗାମୀ ଦିନରେ ସେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡିଶାକୁ ଗୌରବାନ୍ବିତ କରିବାକୁ ଲକ୍ଷ୍ୟ
ରଖିଛନ୍ତି। ଏଥିସହ ସେ ମହିଳା ସଶକ୍ତୀକରଣ କ୍ଷେତ୍ରରେ କିଛି କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଶୁଭଶ୍ରୀ କହିଛନ୍ତି। କିଛିଦିନ ତଳେ ଅନୁଷ୍ଠିତ ଫେମିନା ମିସ୍‌ ଇଣ୍ଡିଆର ଓଡ଼ିଶା ଅଡିଶନ୍‌ରେ ଶୁଭଶ୍ରୀ ଅନ୍ୟ ୪ ପ୍ରତିଯୋଗୀଙ୍କ ସହ ଶ୍ରେଷ୍ଠ ବିବେଚିତ ହୋଇ ଇଷ୍ଟ ଜୋନ୍‌ରେ ଭାଗନେବାକୁ ମନୋନୀତ ହୋଇଥିଲେ। ଓଡ଼ିଶାରୁ ଶ୍ରେଷ୍ଠ ବିବେଚିତ ଅନ୍ୟ ୪ ପ୍ରତିିଯୋଗୀଙ୍କ ମଧ୍ୟରେ ପ୍ରଣତି ଓଝା, ମେଘା ସାହୁ, ଶ୍ରୀୟା ରାଉତ ଏବଂ ଦୀକ୍ଷା ସିଂ ରହିଥିଲେ। ତେବେ ଶୁଭଶ୍ରୀ ୩୧ଟି ରାଜ୍ୟରୁ ଶ୍ରେଷ୍ଠ ବିବେଚିତ ଟପ୍‌-୩୧ ମଧ୍ୟରେ ରହିଥିବାବେଳେ ଏମାନଙ୍କୁ ନେଇ ଟପ୍‌-୧୫ ପାଇଁ ପ୍ରତିଯୋଗିତା ହେବ। ଏହାପରେ ମୁମ୍ବାଇରେ ପାରମ୍ପରିକ ଶୈଳୀରେ ଭିଏଲ୍‌ସିସି ଫେମିନା ମିସ୍‌ ଇଣ୍ଡିଆର ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହେବ।