ପୁରୀରେ ଉଦ୍‌ଘାଟିତ ହେଲା ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ,ହସ୍ପିଟାଲ

ପୁରୀ ଅଫିସ,୧୧।୪: ପୁରୀରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ହସ୍ପିଟାଲ ସୋମବାର ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଡିକାଲ କଲେଜକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଭର୍ଚୁଆଲରେ କେନ୍ଦ୍ର ସାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଉପସ୍ଥିତ ଥିଲେ। ଲୋକାର୍ପଣ କାର୍ଯ୍ୟକ୍ରମ ପରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରୀଛାତ୍ରଙ୍କ ସହ କଥା ହେଲେ ମାଣ୍ଡଭିୟ। ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ କରି ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ ପାଇଁ ମାଣ୍ଡଭିୟ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି।

ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରବିବାର ନାମ ଲେଖା ଶେଷ ହୋଇଥିବା ବେଳେ ପ୍ରଥମ ବ୍ୟାଚରେ ୭୦ ଜଣ ଛାତ୍ର ଓ ୩୦ ଜଣ ଛାତ୍ରୀ ରହିଛନ୍ତି। ସେହିପରି ମେଡିକାଲ କଲେଜର କ୍ୟାମ୍ପସ ପାଖରେ ମେଡିକାଲର ନିଜସ୍ବ ଡାକ୍ତରଖାନା ନିର୍ମାଣ ଚାଲିଥିବା ବେଳେ ଖୁବଶିଘ୍ର ଏହି କାର୍ଯ୍ୟ ଶେଷ ହେବ ବୋଲି ପୁରୀ ଜିଲାପାଳ କହିଛନ୍ତି।