Categories: ଖେଳ

ଶର୍ଟ ବଲ୍‌ ବିପକ୍ଷରେ ଶ୍ରେୟସଙ୍କ ଅଭ୍ୟାସ

ମୁମ୍ବାଇ,୧ା୧୧(ପି.ଟି.): ମଙ୍ଗଳବାର ଭାରତର ୪ ନମ୍ବର ବ୍ୟାଟର ଶ୍ରେୟସ୍‌ ଆୟର ଶର୍ଟ ବଲ୍‌ ଖେଳିବାର ଅଭ୍ୟାସ କରିଥିଲେ। ଶର୍ଟ ବଲ ଖେଳିବାରେ ଆୟରଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବିପକ୍ଷ ଦଳ ସର୍ବଦା ଏହାର ଫାଇଦା ଉଠାଉଛନ୍ତି। ଆସନ୍ତା ଗୁରବାର ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଭାରତ ଏହାର ପରବର୍ତ୍ତୀ ମ୍ୟାଚ୍‌ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଏହି ମ୍ୟାଚ୍‌ ପୂର୍ବରୁ ଆୟରଙ୍କୁ ଶର୍ଟ ବଲ୍‌ ବିପକ୍ଷରେ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଥିଲା। ମଙ୍ଗଳବାରର ଏହି ଅଭ୍ୟାସ ସେସନ୍‌ ଇଚ୍ଛାଧୀନ ରହିଥିବା ବେଳେ ବିରାଟ କୋହଲି, ଶୁବମାନ ଗିଲ୍‌ ଓ ରୋହିତ ଶର୍ମାଙ୍କ ପରି ଖେଳାଳି ଏହାକୁ ସ୍କିପ୍‌ କରିଥିଲେ। ତେବେ ଆୟର ଏହି ସେସନରେ ଅଂଶଗ୍ରହଣ କରିବା ସହିତ ଶର୍ଟ ବଲ ବିପକ୍ଷରେ ଦୀର୍ଘ ସମୟ ଧରି ଅଭ୍ୟାସ କରିଥିଲେ। ଭାରତ ଏହାର ଅନ୍ତିମ ମ୍ୟାଚରେ ଇଂଲଣ୍ଡକୁ ୧୦୦ ରନ୍‌ରେ ପରାସ୍ତ କରିଥିବା ବେଳେ ଏହି ମ୍ୟାଚରେ ମଧ୍ୟ ଆୟର ଚିରାଚରିତ ଢଙ୍ଗରେ ଆଉଟ ହୋଇଥିଲେ। ଭାରତର ଥ୍ରୋ ଡାଉନ୍‌ ସ୍ପେସିଆଲିଷ୍ଟ ମାନେ ଆୟରଙ୍କୁ ପ୍ରାୟ ୨ ଘଣ୍ଟା ଧରି ବୋଲିଂ କରିଥିଲେ। ଏହା ସହିତ କିଛି ସ୍ଥାନୀୟ ବୋଲର ମଧ୍ୟ ସାମିଲ ହୋଇ ବୋଲିଂ କରିଥିଲେ। ଭାରତୀୟ ଥ୍ରୋ ଡାଉନ୍‌ ସ୍ପେସିଆଲିଷ୍ଟ ଡି. ରାଘବେନ୍ଦ୍ର, ନୁଆନ୍‌ ସେନେଭିରତ୍ନେ ଓ ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋଡ ଏହି ସେସନ୍‌ରେ ଅଂଶଗ୍ରହଣ କରିଥିଲେ। ସମସ୍ତଙ୍କ ବିପକ୍ଷରେ ଆୟର କିଛି ସମୟ ପୁଲ୍‌ ଓ ହୁକ୍‌ ଶଟ୍‌ର ଅଭ୍ୟାସ କରିଥିଲେ। ସେସନ୍‌ରେ ଶେଷ ଆଡକୁ ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ ଓ ବୋଲିଂ କୋଚ୍‌ ପାରସ୍‌ ମାହାମ୍ବ୍ରେ ମଧ୍ୟ କିଛି ବଲ୍‌ ବୋଲିଂ କରିଥିଲେ।

Share