ଦିଗପହଣ୍ଡି,୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜବାଟୀ ସିଂହଦାର ସମ୍ମୁଖରେ ଗତ ୨ ଦିନ ଧରି ଚାଲିଥିବା ଶ୍ରୀ ଜଗନ୍ନାଥ କଥାମୃତ ପ୍ରବଚନ କାର୍ଯ୍ୟକ୍ରମ ଗୁରୁବାର ରାତିରେ ଉଦ୍ଯାପିତ ହୋଇଯାଇଛି। ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନଜୀବୀ ହରପ୍ରସାଦ ରଥ ମଞ୍ଚ ଉପସ୍ଥାପକ ଭାବେ ଯୋଗଦେଇ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ପୁରୀର ପଣ୍ଡିତ ମାନସ ରଞ୍ଜନ ମହାରାଜ, କଟକ ଆଠଗଡ଼ର ମାନସ ମନ୍ଦାକିନି ପ୍ରେମଲତା ଦାଶ ଏବଂ ସୁଶ୍ରୀ ସୁଭଦ୍ରା ଶୁଭଦର୍ଶିନୀ ପ୍ରବକ୍ତା ଭାବେ ଯୋଗ ଦେଇ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ମନ୍ଦିର ନିର୍ମାଣ ପୃଷ୍ଠଭୂମିରେ ରହିଥିବା ପୌରାଣିକ କିମ୍ବଦନ୍ତୀ ସମେତ ଜଗନ୍ନାଥଙ୍କ ମାନବୀୟ ଲୀଳା ଗୁଡିକ ସମ୍ପର୍କରେ ଦିବ୍ୟ କଥାମୃତ ଶ୍ରବଣ କରାଇଥିଲେ। ଦିଗପହଣ୍ଡି ସ୍ଥିତ ଶ୍ରୀ ରାମଦୟା ପରିଷଦ ଶାଖାର ସମସ୍ତ କାର୍ଯ୍ୟଯକର୍ତ୍ତା ଓ ଅନ୍ୟ ସଦସ୍ୟ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


