ରୋଜଗାର ଦେଇଛି ଶ୍ରାବଣ ଛତୁ: କିଲୋ ପିଛା ୫ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି, ବଢୁଛି ଚାହିଦା

ଦାରିଙ୍ଗବାଡ଼ି, ୯।୮ (ଅରୁଣ ସାହୁ): ଏବେ ଚାଲିଛି ଶ୍ରାବଣ ମାସ। ଶ୍ରାବଣ ବର୍ଷା ମଧ୍ୟ ଛାଡ଼ିବାର ନାଁ ଧରୁନାହିଁ। ଏଭଳି ପରିସ୍ଥିତିରେ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ଘରୁ ପଦାକୁ ଗୋଡ଼ କାଢ଼ିବା ମୁସ୍କିଲ ହୋଇପଡ଼ିଥିବା ବେଳେ ରୋଜଗାର କରି ଘର ଚଳାଇବା ମଧ୍ୟ କଷ୍ଟକର ହୋଇପଡ଼ିଛି। ତେବେ ଗତ ୪ରୁ ୫ ଦିନ ହେଲା ଦାରିଙ୍ଗବାଡ଼ି ଅଞ୍ଚଳର ଲୋକଙ୍କ ପାଇଁ ରୋଜଗାରର ମାଧ୍ୟମ ପାଲଟିଛି ଶ୍ରାବଣ ଛତୁ। ଲୋକଙ୍କ ଭରସା ସାଜିଛି ଏହି ଛତୁ।

ପ୍ରକାଶ ଥାଉକି, ପ୍ରତିବର୍ଷ ଶ୍ରାବଣ ମାସଠାରୁ ଆଶ୍ୱିନ ମାସ ପର୍ଯ୍ୟନ୍ତ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶ୍ରାବଣ ଛତୁ ଫୁଟିଥାଏ। ବିଶେଷକରି ଜଙ୍ଗଲର ରଙ୍ଗା ମାଟି ଥିବା ସ୍ଥାନ ସମେତ ସନ୍ତସନ୍ତିଆ ଜମିରେ ଏହି ଛତୁ ଦେଖିବାକୁ ମିଳିଥାଏ। ଲଗାଣ ବର୍ଷା ଓ ଘଡ଼ଘଡ଼ି ହେଲେ ଜଙ୍ଗଲରେ ଅଧିକ ପରିମାଣରେ ଛତୁ ଫୁଟୁଥିବା ବିଶ୍ୱାସ ରହିଛି। ଏବେ ଶ୍ରାବଣ ଛତୁ ଖୋଜିବା ପାଇଁ ଲୋକଙ୍କ ଜଙ୍ଗଲକୁ ଯିବା ଏବଂ ଭିଡ଼ ଜମିବା ଦେଖିବାକୁ ମିଳୁଛି।

ଏହି ଛତୁ ଫୁଟିବା ପାଇଁ ଯେଉଁଭଳି ପାଣିପାଗ ଓ ପରିବେଶର ଆବଶ୍ୟକତା ରହିଥାଏ, ବର୍ତ୍ତମାନ ସେଭଳି ପାଗ ଅନୁକୂଳ ରହିଥିବା ଅଞ୍ଚଳବାସୀ କହିଛନ୍ତି। ବର୍ତ୍ତମାନ ଏହି ଛତୁ ବଜାରରେ ଖୁଚୁରା ଦରରେ କିଲୋ ପିଛା ୫ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଅନ୍ୟପକ୍ଷରେ ଛତୁ ସଂଗ୍ରହକାରୀଙ୍କଠାରୁ ବ୍ୟବସାୟୀମାନେ କିଲୋ ପିଛା ୩୫୦ରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ଦରରେ କିଣୁଥିବା ଜଣାପଡ଼ିଛି।

ଏନେଇ ବ୍ୟବସାୟୀ ଅମରେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଚଳିତବର୍ଷ ଯେଉଁ ପରିମାଣର ଛତୁ ବଜାରକୁ ଆସୁଛି, ସେହି ପରିମାଣର ଛତୁ ସ୍ଥାନୀୟ ଅଞ୍ଚଳରେ ବିକ୍ରି ହୋଇପାରୁନାହିଁ। ଫଳରେ ସେମାନେ ସଂଗ୍ରହକାରୀଙ୍କଠାରୁ ଛତୁ କିଣି ବାଲିଗୁଡ଼ା ଓ ଫୁଲବାଣୀ ସହରକୁ ପଠାଉଥିବା କହିଛନ୍ତି।

ସେହିପରି ବାଲିଗୁଡ଼ାର ଛତୁ ବ୍ୟବସାୟୀ ବାପି ନାୟକ କହିଛନ୍ତି ଯେ, ଗତ ୨ ଦିନ ହେଲା ବଜାରକୁ ଆବଶ୍ୟକତାଠାରୁ ଅଧିକ ଛତୁ ଆସୁଥିବାରୁ ଏହାର ଦର ହ୍ରାସ ପାଇଛି। ପୂର୍ବରୁ କିଲୋ ପିଛା ସାଢ଼େ ୩ ଶହ ଟଙ୍କା ଦରରେ କିଣୁଥିବା ବେଳେ ବର୍ତ୍ତମାନ ସଂଗ୍ରହକାରୀଙ୍କଠାରୁ କିଲୋ ପିଛା ୨ ଶହ ଟଙ୍କା ଦରରେ ଛତୁ କିଣୁଥିବା ସେ କହିଛନ୍ତି।

Dharitri – Odisha’s No.1 Odia Daily