ଆଜିଠୁ ଶ୍ରୀଜଗନ୍ନାଥ ବସ୍‌ରେ ପୁରୀ ଆସିବେ ଶ୍ରଦ୍ଧାଳୁ

ପୁରୀ,୨୯ା୧(ଅଜିତ୍‌ ମହାନ୍ତି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିଥିଲେ। ଏହାପରେ ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପକୁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଦେଖି ଖୁସି ବ୍ୟକ୍ତ କରୁଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଯେପରି ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ପ୍ରଦକ୍ଷିଣ କରିପାରିବେ ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତମାନେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ରେ ପୁରୀ ଆସିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବସ୍‌ ସୁବିଧା କରାଯାଇଛି। ସେହିପରି ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଶ୍ରୀଜଗନ୍ନାଥ ଚେତନା ଓ ଭାବଧାରା ଆଧାରରେ ସମଗ୍ର ରାଜ୍ୟରେ ପରିଭ୍ରମଣ କରିଥିଲା ଅର୍ପଣ ରଥ। ଲୋକେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ ଅକ୍ଷତ, ଗୁଆ। ସେତେବେଳେ ସରକାର ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲାର ଶ୍ରଦ୍ଧାଳୁମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ଓ ଏହି ପ୍ରକଳ୍ପ ପରିକ୍ରମଣ କରାଯିବ ବୋଲି ସୂଚନା ଦେଇଥିଲେ। ସେହି ଆଧାରରେ ସୋମବାର ଅର୍ଥାତ ଜାନୁଆରୀ ୨୯ ତାରିଖଠାରୁ ପର୍ଯ୍ୟାୟ କ୍ରମେ ଶ୍ରଦ୍ଧାଳୁଙ୍କ ଆଗମନ ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରଥମ ଦିନ ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, କଟକ ଓ କେନ୍ଦ୍ରାପଡ଼ା ଜିଲାର କିଛି ଅଞ୍ଚଳରୁ ଜନସାଧାରଣ ଆସିବାର କାର୍ଯ୍ୟକ୍ରମ ରହିଛି। ସମସ୍ତ ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ବସ୍‌ଗୁଡିକ ବୀରହରେକୃଷ୍ଣପୁର ଡାହାଣ ପାଶର୍‌ବରେ ଯାଇ ସମଙ୍ଗ ପାର୍କିଂ ସ୍ଥଳରେ ପହଞ୍ଚତ୍ବେ। ସେଠାରୁ ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଫିଡ଼ର ବସ୍‌ ମାଧ୍ୟମରେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପିଲଗ୍ରୀମ୍‌ ସେଣ୍ଟରକୁ ନିଆଯିବ। ସେଠାରୁ ଶ୍ରୀମାର୍ଗ ଦେଇ ମହାପ୍ରଭୁଙ୍କ ଦର୍ଶନ ଓ ପରିକ୍ରମା ପ୍ରକଳ୍ପ ପରିକ୍ରମଣ କରାଯିବ। ଏହି କାର୍ଯ୍ୟରେ ବିଭିନ୍ନ ଅଧିକାରୀ, କର୍ମଚାରୀ,ସୁରକ୍ଷା କର୍ମଚାରୀ ଓ ସ୍ବେଚ୍ଛାସେବୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଶ୍ରଦ୍ଧାଳୁମାନଙ୍କ ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଇଛି। ପ୍ରଥମ ଦିନର କାର୍ଯ୍ୟସୂଚୀ ଅନୁସାରେ ସକାଳ ୯ଟାରେ କଟକ ମହାନଗର ନିଗମ ଓ ୧୦ଟାରେ କଟକ ଜିଲାର ଅନ୍ୟ ବ୍ଲକ ଅଞ୍ଚଳର ଶ୍ରଦ୍ଧାଳୁ ପହଞ୍ଚତ୍ବେ। ସେହିପରି ମୟୂରଭଞ୍ଜ, ବାଲେଶ୍ୱର ସକାଳ ୧୦ଟା, ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲାର କିଛି ଅଞ୍ଚଳର ଶ୍ରଦ୍ଧାଳୁମାନେ ମଧ୍ୟାହ୍ନ ୧୨ଟାରେ ପହଞ୍ଚତ୍ବାର କାର୍ଯ୍ୟକ୍ରମ ରହିଛି।