ମାଟ୍ରିକ୍‌ ମାର୍କଶିଟ୍‌ ପାଇଁ ଟଙ୍କା ଆଦାୟ ଘଟଣା: ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଗୋପ,୨୨।୮(ଡି.ଏନ୍‌.ଏ.): ଗୋପ ବ୍ଲକ ଦିହୁଡା ନୀଳକଣ୍ଠେଶ୍ୱର ନୋଡାଲ ସ୍କୁଲରେ ଶନିବାର ମାଟ୍ରିକ୍‌ ମାର୍କଶିଟ୍‌ ପାଇଁ ଟଙ୍କା ନିଆଯାଇଥିଲା। ଏଥିସହ ୯ମ ଶ୍ରେଣୀ ପିଲାଙ୍କଠାରୁ ନାମ ରେଜିଷ୍ଟ୍ରେଶନ ଫି ଆଦାୟ ହୋଇଥିଲା। ସରକାରୀ ନିୟମ ଉଲ୍ଲଂଘନ ହୋଇଥିବା ନେଇ ଅଭିଭାବକ ଅଭିଯୋଗ କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ଘଟଣା ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ ବ୍ଲକ ଶିକ୍ଷା ଅଧିକାରୀ ସୁଶିଲ ବ୍ରହ୍ମା ଏବଂ ପୁରୀ ଜିଲା ଶିକ୍ଷା ଅଧିକାରୀ ବିଶ୍ୱଜିତ୍‌ ଘୋଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରବିବାର ଜିଲା ଶିକ୍ଷା ଅଧିକାରୀ ଘୋଷ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ୨ ଦିନ ମଧ୍ୟରେ ଏହାର ଉତ୍ତର ଦେବାକୁ ଚିଠି ନଂ. ୯୩୩୬(୨)ରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ସୂଚନା ମୁତାବକ, ଗୋପ ବ୍ଲକ ଅଧୀନ ୯ ପଞ୍ଚାୟତରେ କୁଶଭଦ୍ରା ଓ ଧନୁଆଁ ନଦୀ ବନ୍ୟାରେ ୫୦ ଗ୍ରାମବାସୀ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଶନିବାର ସ୍କୁଲର ପ୍ରଧାନ ଶିକ୍ଷକ ବାସୁଦେବ ସାହୁ ମାଟ୍ରିକ୍‌ ପାସ୍‌ କରିଥିବା ୩୦ଜଣ ଛାତ୍ରୀଛାତ୍ରଙ୍କୁ ଡାକିଥିଲେ। ଏଥିସହ ୯ମ ଶ୍ରେଣୀର ୨୨ଜଣ ପିଲାଙ୍କୁ ନାମ ରେଜିଷ୍ଟ୍ରେଶନ ପାଇଁ ଡାକିଥିଲେ। ପିଲାମାନେ ବନ୍ୟା ସମୟରେ ଡଙ୍ଗା ଯୋଗେ ଆସି ସ୍କୁଲରେ ପହଞ୍ଚିଥିଲେ। ପିଲାଙ୍କଠାରୁ ମାଟ୍ରିକ୍‌ ମାକ୍ରଶିଟ୍‌ ବାବଦକୁ ୧୦୦ ଟଙ୍କା ଏବଂ ନାମ ରେଜିଷ୍ଟ୍ରେଶନ ଫି ବାବଦକୁ ୧୬୦ ଟଙ୍କା ପରିବର୍ତ୍ତେ ୨୮୦ ଟଙ୍କା ନିଆଯାଇଥିଲା। ଖବର ପାଇ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିଥିଲେ। ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତିରେ ସ୍କୁଲର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ପିଲାଙ୍କୁ ସାର୍ଟିଫିକେଟ୍‌ ବାଣ୍ଟୁଥିବା ଦେଖିବାକୁ ପାଇଥିଲେ।