ଭବିଷ୍ୟତ ବଂଶଧର କଥା ଭାବିବା ଉଚିତ

ଡ. ସନ୍ତୋଷ କୁମାର ମହାପାତ୍ର

 

ମେକ୍‌ ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣ ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୨୨’ ଭୁବନେଶ୍ୱର ଜନତା ମଇଦାନରେ ନଭେମ୍ବର ୩୦ରୁ ଆରମ୍ଭ ହୋଇ ଡିସେମ୍ବର ୪ରେ ଶେଷ ହୋଇଛି। ଏହାର ପୂର୍ବ ଦୁଇଟି ସମ୍ମିଳନୀ ୨୦୧୬ ଏବଂ ୨୦୧୮ରେ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀ ପୂର୍ବରୁ ଓଡ଼ିଶା ସରକାର ଅହମଦାବାଦ, ବେଙ୍ଗାଲୁରୁ, କୋଏମ୍ବାଟୁର, ଦିଲ୍ଲୀ, ହାଇଦ୍ରାବାଦ, ଜାମସେଦପୁର, ଲକ୍ଷ୍ନୌ ଏବଂ ମୁମ୍ବାଇ ତଥା ଦୁବାଇରେ ନିବେଶକମାନଙ୍କ ସମ୍ମିଳନୀ କରିଛନ୍ତି ଏବଂ ନିବେଶ କରିବାର ବିଭିନ୍ନ ପ୍ରତିଶ୍ରୁତି ହାସଲ କରିଛନ୍ତି। ରାଜ୍ୟ ସରକାରଙ୍କ କହିବା ଅନୁଯାୟୀ ଏହି କନ୍‌କ୍ଲେଭର ୨୨ଟି ଭିନ୍ନ ଭିନ୍ନ କ୍ଷେତ୍ରର ୭୪୧ଟି ପ୍ରକଳ୍ପ ମାଧ୍ୟମରେ ମୋଟ ୧୦,୪୮,୮୦୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି, ଯେଉଁଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୦,୩୭,୭୦୧ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି।
କିନ୍ତୁ ବିରୋଧୀ ଦଳମାନଙ୍କ ତରଫରୁ କୁହାଯାଉଛି ଯେ, ଏହି ଶିଳ୍ପ ମହାକୁମ୍ଭ କେବଳ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କାର୍ଯ୍ୟ ଏବଂ ବଡ଼ ବଡ଼ ଶିଳ୍ପପତିଙ୍କୁ ଆଣି ରାଜ୍ୟ ସରକାର ନିଜର ପ୍ରଶଂସା ସାଉଁଟୁଛନ୍ତି। ଏଯାଏ ରାଜ୍ୟକୁ ପୂର୍ବ ପ୍ରସ୍ତାବିତ ନିବେଶରୁ ବହୁତ କମ୍‌ ଟଙ୍କାର ପୁଞ୍ଜି ଆସିଛି ଓ କମ୍‌ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। କିନ୍ତୁ ଓଡ଼ିଶା ସରକରଙ୍କ ତରଫରୁ କୁହାଯାଇଛି ଯେ ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୧୬ ସଂସ୍କରଣରେ ୮୪ଟି ପ୍ରକଳ୍ପରେ ୨ ଲକ୍ଷ ୨୦ ହଜାର କୋଟି ଟଙ୍କାର ଏବଂ ୨୦୧୮ରେ ୨୦୨ଟି ପ୍ରକଳ୍ପରେ ୪ ଲକ୍ଷ ୨ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ଏଥିମଧ୍ୟରୁ ଯଥାକ୍ରମେ ୫୮ ଏବଂ ୧୦୮ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା। ଏହି ୨ଟି ସଂସ୍କରଣରେ ଘୋଷଣା ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରୁ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ହାର ଯଥାକ୍ରମେ ୪୨% ଏବଂ ୩୩% ରହିଛି। ଜାତୀୟସ୍ତରରେ କାର୍ଯ୍ୟକାରୀ କରିବାର ହାର ୧୮%ରୁ ୨୦% ରହିଥିବାବେଳେ ଓଡ଼ିଶାରେ ଏହା ଦୁଇଗୁଣରୁ ଅଧିକ ରହିଛି। ଆମ ମତରେ ଶିଳ୍ପପତି, ପୁଞ୍ଜିପତି ଏବଂ ବ୍ୟବସାୟୀମାନେ ପୂର୍ବ ନିବେଶକମାନଙ୍କ ସମ୍ମିଳନୀରେ ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ତାହା କେତେ ପୂରଣ କରିଛନ୍ତି, କେତେ ନିଯୁକ୍ତି ସୃଷ୍ଟି କରିଛନ୍ତି, ବିଶେଷକରି ସ୍ଥାନୀୟ ଓଡ଼ିଆ ଲୋକ କେତେ ନିଯୁକ୍ତି ପାଇଛନ୍ତି, ସେ ବିଷୟରେ ଏକ ଶ୍ବେତପତ୍ର ସରକାର ପ୍ରକାଶ କଲେ ସମସ୍ତଙ୍କ ସନ୍ଦେହ ଦୂର ହୁଅନ୍ତା।
ଯଦିଓ ଅନ୍ୟ କ୍ଷେତ୍ରରେ ନିବେଶ ଆସୁଛି, ମୋଟ ନିବେଶ ପ୍ରସ୍ତାବ ମଧ୍ୟରୁ କେବଳ ଖଣି, ଧାତବ ଓ ଆନୁଷଙ୍ଗିକ କ୍ଷେତ୍ରରେ ୧୪୫ଟି ପ୍ରସ୍ତାବ ମାଧ୍ୟମରେ ୫,୪୯,୭୭୪ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି। କିନ୍ତୁ ଶିଳ୍ପ କହିଲେ କେବଳ ଖଣିଜଭିତ୍ତିକ ଶିଳ୍ପକୁ ବୁଝାଏନି। ଖଣିଜ ସମ୍ପଦ ଅସରନ୍ତି ନୁହେଁ। ଯେପରି ଭାବେ ଖଣିଜଭିତ୍ତିକ ଶିଳ୍ପ ଗଢ଼ିଉଠୁଛି ଏବଂ ନିବେଶ ପାଇଁ ତତ୍ପରତା ପ୍ରକାଶ ପାଇଛି, ତାହା କାର୍ଯ୍ୟକାରୀ ହେଲେ ଖଣିଜ ସମ୍ପଦ ୨୦ ରୁ ୨୫ ବର୍ଷରେ ସବୁ ସରିଯିବ। ତାହା ପରେ ଭବିଷ୍ୟତ ବଂଶଧର କରିବେ କ’ଣ? ଆମକୁ କ୍ଷମା ଦେବେ ତ? ଏଣୁ ପ୍ରାକୃତିକ ଏବଂ ଖଣିଜ ସମ୍ପଦର ଉପଯୁକ୍ତ, ସର୍ବୋତ୍ତମ ବ୍ୟବହାର ହେବା ଉଚିତ। କେବଳ ବୃହତ୍‌ ଶିଳ୍ପକୁ ପ୍ରାଧାନ୍ୟ ନ ଦେଇ ଛୋଟ ଛୋଟ ଶିଳ୍ପକୁ ଗୁରୁତ୍ୱ ଦେବା ଉଚିତ। ଅଣ-ଖଣିଜ ଶିଳ୍ପ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବା ଉଚିତ। ଯଦିଓ ଖଣିଜଭିତ୍ତିକ ଶିଳ୍ପକୁ ଛାଡି ମଧ୍ୟ ଅନ୍ୟ କ୍ଷେତ୍ରରେ ନିବେଶ ଆସୁଛି, ତଥାପି କ୍ଷୁଦ୍ରଶିଳ୍ପ, କୁଟୀରଶିଳ୍ପ, ହସ୍ତଶିଳ୍ପ, କୃଷି ଉତ୍ପାଦ ଭିତ୍ତିକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ବୟନ ଶିଳ୍ପ, ଦୁଗ୍ଧର ଶିଳ୍ପ ,ଚିନି ଶିଳ୍ପ, ତେଲର ଶିଳ୍ପ, କଫିର ଶିଳ୍ପ, ଚମଡ଼ାଦ୍ରବ୍ୟର ଶିଳ୍ପ, ଇଲେକ୍ଟ୍ରୋନିକ୍ସ, ସାମୁଦ୍ରିକ ଉତ୍ପାଦଭିତ୍ତିକ ଶିଳ୍ପକୁ ବେଶି ପ୍ରାଧାନ୍ୟ ଦେବା ଉଚିତ। ପୁନଶ୍ଚ ଘରୋଇ ସଂସ୍ଥାମାନେ ତାଙ୍କ ସ୍ବାର୍ଥ ସାଧନ ହେଲାପରି ନିବେଶ କରୁଛନ୍ତି। ନିଯୁକ୍ତି ଆଶାନୁରୂପ ଭାବେ ସୃଷ୍ଟି ହେଉନାହିଁ। ଏଣୁ ନିଯୁକ୍ତିକୁ ପ୍ରାଧାନ୍ୟ ଦେବା ଆବଶ୍ୟକ। ବିଶେଷକରି ସ୍ଥାନୀୟ ଲୋକଙ୍କୁ ଅଧିକ ନିଯୁକ୍ତି ଦେବା ଆବଶ୍ୟକ। ଏପରି ବିନିଯୋଗ କରାଯିବା ଉଚିତ ଯାହା କୃଷିକୁ ଉତ୍ସାହିତ କରିବ ଏବଂ ଆମର କୃଷି ଅର୍ଥନୀତିର ବିକାଶ କରିବ।
ବାସ୍ତବରେ କୌଣସି ଦେଶର ବା ରାଜ୍ୟର ଆର୍ଥିକ ଅଭିବୃଦ୍ଧି କହିଲେ କୃଷି, ଶିଳ୍ପ ଏବଂ ସେବା କ୍ଷେତ୍ରର ଅଭିବୃଦ୍ଧି ଉପରେ ନିର୍ଭର କରେ। କିଛି ଦେଶ ଅତ୍ୟନ୍ତ ଉନ୍ନତ ଓ ସମୃଦ୍ଧିଶାଳୀ ହେବାର ପ୍ରମୁଖ କାରଣ ହେଲା ଶିଳ୍ପ କ୍ଷେତ୍ରରେ ଦ୍ରୁତ ବିକାଶ ଘଟିବା। କିନ୍ତୁ ଶିଳ୍ପାୟନ ବା ଶିଳ୍ପ କ୍ଷେତ୍ରର ବିକାଶ ପାଇଁ ପୁଞ୍ଜିନିବେଶ ବା ଇନ୍‌ଭେଷ୍ଟମେଣ୍ଟ ଆବଶ୍ୟକ। କିନ୍ତୁ ଆମର ନବ୍ୟ-ଉଦାରୀକରଣ ପ୍ରକ୍ରିୟା କାର୍ଯ୍ୟକାରୀ ହେବା ପରେ କେନ୍ଦ୍ର ସରକାର ଘରୋଇକରଣ ପ୍ରକ୍ରିୟାକୁ ପ୍ରାଧାନ୍ୟ ଦେଉଛନ୍ତି ଓ କର୍ପୋରେଟ ଟିକସ ହ୍ରାସ କରୁଛନ୍ତି। କମ୍ପାନୀଗୁଡ଼ିକୁ ସୁହାଇଲା ପରି ନୀତି ଅବଲମ୍ବନ କରୁଛନ୍ତି। କମ୍ପାନୀଗୁଡ଼ିକ ତାଙ୍କ ସାର୍ଥ ପାଇଁ ସରକାରଙ୍କ ନୀତି ପ୍ରଣୟନରେ ହସ୍ତକ୍ଷେପ କରୁଛନ୍ତି, ତାହା ଦ୍ୱାରା ସମ୍ବଳର ଉତ୍ସ, ମାଲିକାନା ବୃହତ ଘରୋଇ ସଂସ୍ଥା ହାତକୁ ଚାଲି ଯାଉଛି। ସରକାରଙ୍କ ନିକଟରେ ନିବେଶ ପାଇଁ ସମ୍ବଳର ଅଭାବ ଦେଖାଦେଉଛି। ଅପରପକ୍ଷରେ ଘରୋଇ ସଂସ୍ଥାଗୁଡ଼ିକ ବହୁତ କମ୍‌ ଟିକସ ଦେବା, ଶ୍ରମ ଶକ୍ତିର କମ୍‌ ବ୍ୟବହାର ସାଙ୍ଗକୁ ବୈଷୟିକ ଜ୍ଞାନକୌଶଳର ବହୁଳ ବ୍ୟବହାର କରିବା, ବହୁତ କମ୍‌ ସୁଧରେ ବ୍ୟାଙ୍କରୁ ଋଣ ପ୍ରାପ୍ତ ହେବା ଏବଂ ନିଜ କମ୍ପାନୀର ଅଂଶଧନ ଷ୍ଟକ୍‌ ବଜାରରେ ବିକ୍ରି କରି ପୁଞ୍ଜି ଉଠାଇବା ଯୋଗୁ ତାଙ୍କ ନିକଟରେ ପୁଞ୍ଜି ନିବେଶ ପାଇଁ ଅଧିକ ସମ୍ବଳ ଉପଲବ୍ଧ ହେଉଛି।
ଏଣୁ ବର୍ତ୍ତମାନ ସରକାରଙ୍କ ନିକଟରେ ଆବଶ୍ୟକ ସମ୍ବଳ ନ ଥିବାରୁ ଘରୋଇ ନିବେଶ ତଥା ଘରୋଇ ଉଦ୍ୟୋଗର ଗୁରୁତ୍ୱ ବୃଦ୍ଧି ପାଇଛି। ଏହି ପରିବେଶରେ ରାଜ୍ୟ ସରକାରଙ୍କ ଘରୋଇ ନିବେଶକଙ୍କୁ ନିମନ୍ତ୍ରଣ କରିବାର ଉଦ୍ୟମ ପ୍ରଶଂସନୀୟ। କିନ୍ତୁ ବିଭିନ୍ନ ଉପାୟରେ ଘରୋଇ ସଂସ୍ଥା ବା କମ୍ପାନୀଗୁଡ଼ିକୁ ଆକର୍ଷିତ କରିବାକୁ ରିହାତି ଦେବାର ଯେଉଁ ପ୍ରତିଯୋଗିତା ଦେଖାଦେଇଛି ତାହା ଠିକ୍‌ ନୁହେଁ। ଟିକସ ହ୍ରାସ, କମ୍‌ ମୂଲ୍ୟରେ ବିୁଦ୍ୟତ୍‌, ଖଣିଜ ସମ୍ପଦ ଯୋଗାଇ ଦେବା ଅନୁଚିତ। ସବୁ ରାଜ୍ୟରେ ଏକ ନିର୍ଦ୍ଦିଷ୍ଟ ନୀତି ରହିବା ଉଚିତ। ନଚେତ ରାଜ୍ୟଗୁଡ଼ିକ ମଧ୍ୟରେ ନିବେଶ ପାଇଁ ଅନୈତିକ ପ୍ରତିଯୋଗିତା ବୃଦ୍ଧି ପାଇବ। ପୁନଶ୍ଚ ଅଧିକ ନିବେଶ ଦ୍ୱାରା ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଘଟିବ, ମାନବିକ ବିକାଶ ଘଟିବ ବା ବହୁମାତ୍ରାରେ ନିଯୁକ୍ତି ବୃଦ୍ଧି ହେବ ବୋଲି ଭାବିବା ଭୁଲ। ଏଥିପାଇଁ ସ୍ବତନ୍ତ୍ର ନୀତି ପ୍ରଚଳନ ଆବଶ୍ୟକ ଏବଂ ସରକାର ସଜାଗ ରହିବା ଉଚିତ। ଦରଦାମ ନିୟନ୍ତ୍ରଣ, ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି, ଶିକ୍ଷା, ସ୍ବାସ୍ଥ୍ୟ ତଥା ଅତ୍ୟାବଶ୍ୟକ ସେବା ସହଜରେ ଲୋକଙ୍କୁ ଯୋଗାଇ ଦେବା ଅପରିହାର୍ଯ୍ୟ। ରାଷ୍ଟ୍ରାୟତ୍ତ ଶିଳ୍ପକୁ ଅଧିକ ଶକ୍ତିଶାଳୀ କରିବା ଉଚିତ। ଧନୀ ଓ କମ୍ପାନୀମାନଙ୍କଠାରୁ ଅଧିକ ଟିକସ ଆଦାୟ କରି ଜନହିତକର କାର୍ଯ୍ୟରେ ବେଶି ବ୍ୟୟ କରିବା ଆବଶ୍ୟକ।
skmohapatra67@gmail.com
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri