‘ଦୁର୍ନୀତିଗ୍ରସ୍ତଙ୍କୁ ସମର୍ଥନ କରିବା ଉଚିତ ନୁହେଁ’

ଜଗତ୍‌ସିଂହପୁର ଅଫିସ, ୨ା୧୧: ଦୁର୍ନୀତି ଓ ବିକାଶ ଏକ ସଙ୍ଗରେ ଯାଇପାରିବେ ନାହିଁ। ଦୁର୍ନୀତି ମଣିଷର ସହଜାତ ପ୍ରବୃତ୍ତିରେ ପରିଣତ ହୋଇଛି। ସମାଜ ଓ ପରିବାର ପରୋକ୍ଷରେ ଏଥିପାଇଁ ଦାୟୀ। ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ପରିବାର ଓ ସମାଜ ସମର୍ଥନ ବା ପ୍ରୋତ୍ସାହନ ଦେବା କଥା ନୁହେଁ। ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ ଏହା କହିଛନ୍ତି। ଉତ୍ସବରେ ଜିଲାପାଳ ପାରୁଲ ପଟୱାରୀ ସରକାରୀ କର୍ମଚାରୀଙ୍କୁ ଆତ୍ମ ସମୀକ୍ଷା କରିବା ନେଇ ପରାମର୍ଶ ଦେଇଥିଲେ। ସେ କହିଥିଲେ, ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିଛି । ଏହାର ମୂଳୋତ୍ପାଟନ ପାଇଁ ସରକାରୀ କର୍ମଚାରୀ, ନାଗରିକ ଓ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନେ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ଦୁର୍ନୀତି କାରଣରୁ ରାଜ୍ୟ ସରକାର ଏଥିମଧ୍ୟରେ ୧୬୦ରୁ ଅଧିକ ସରକାରୀ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିସାରିଲେଣି। କର୍ମକ୍ଷେତ୍ରରେ ସ୍ବଚ୍ଛତା ରଖି ୫-ଟି ନିୟମ ଆଧାରରେ କାର୍ଯ୍ୟ କରିବା ଜରୁରୀ। ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲା ପରିଷଦ ସଭାପତି ମନୋଜ ଭୋଇ ଯୋଗଦେଇ କହିଥିଲେ, ଯେଉଁମାନେ ଦୁର୍ନୀତିରେ ଲିପ୍ତ ରହୁଛନ୍ତି ସେମାନଙ୍କ ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ ହେବା ଉଚିତ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉମେଶ କୁମାର ପଣ୍ଡା ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ଉପରେ ବର୍ଣ୍ଣନା କରିଥିଲେ। ପ୍ରାରମ୍ଭରେ ଜଗତ୍‌ସିଂହପୁର ଦୁର୍ନୀତି ନିବାରଣ ବିଭାଗ ଉପଆରକ୍ଷୀ ଅଧୀକ୍ଷକ ହେମନ୍ତ କୁମାର ମହାନ୍ତି ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ସ୍ବଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ବିୟୋଗରେ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ଏବଂ ପ୍ରବନ୍ଧ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା। ପୂର୍ବାହ୍ନରେ ସ୍ଥାନୀୟ ଏସ୍‌କେ ଏକାଡେମୀ ନିକଟରୁ ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ।