ସପ୍ତାହେ ପାଇଁ ଶଟ୍‌ଡାଉନ

ଭଣ୍ଡାରିପୋଖରୀ,୨୨।୫: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ୪ ନଂ. ୱାର୍ଡକୁ ଶୁକ୍ରବାରଠାରୁ ସପ୍ତାହେ ପାଇଁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଉକ୍ତ ୱାର୍ଡର ପୋଖରୀ ଆଡ଼ି ସଂଲଗ୍ନ କିଛି ସ୍ଥାନରେ ମହିଳା, ପୁରୁଷ ଏବଂ ଛୋଟ ପିଲାଙ୍କୁ ମିଶାଇ ୨୭ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ରହଣିଆ ସରପଞ୍ଚ ଅଲିଭା ନାୟକ ପ୍ରଶାସନକୁ ଲିଖିତ ଭାବେ ଜଣାଇବା ପରେ ଶଟ୍‌ଡାଉନ ଘୋଷଣା କରାଯାଇଛି। ସରପଞ୍ଚଙ୍କ ପ୍ରତିନିଧି ବିରେନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ପ୍ରତ୍ୟେକ ଆକ୍ରାନ୍ତଙ୍କୁ ଔଷଧ ବଣ୍ଟନ କରାଯାଇଥିବା ବେଳେ ସମସ୍ତଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ରହଣିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡା. ଦେବଦତ୍ତ ପାଣିଗ୍ରାହୀଙ୍କ ସମେତ ଆଶା ଓ ଅଙ୍ଗନଓ୍ବାଡି କର୍ମୀ, ସ୍ବାସ୍ଥ୍ୟକର୍ମୀ ଘରକୁ ଘର ବୁଲି ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ସେହିପରି ଶନିବାର ଡାକ୍ତର ଜ୍ୟୋତି ପ୍ରକାଶ ସ୍ବାଇଁ, ମଧୁସ୍ମିତା ବିଶ୍ୱାଳ, ଅଙ୍ଗନଓ୍ବାଡି କର୍ମୀ, ଆଶାକର୍ମୀ ରଞ୍ଜିତା ରାଉତ, ଅହଲ୍ୟା ରାଉତ, ରେଣୁବାଳା ଜେନା ପ୍ରମୁଖ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।