କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ନବକିଶୋର ପାଇଲେଣି ୧୦୬ ପୁରସ୍କାର

କଟକ,୨୫ା୧୨ (କାର୍ତ୍ତିକ ସାହୁ): ପୋଲିସ ଚାକିରିରୁ ୨୦୧୯ରେ ଅବସର ନେବା ପରେ ନବକିଶୋର ଦାସଙ୍କୁ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣର ନିଶା ଜୋର ଘାରିଥିଲା। ଚାକିରିରେ ଥାଇ ୨୦୧୮ରେ ନିର୍ମାଣ କରିଥିବା ଆଉ ଏକ ସତ୍ୟ କ୍ଷୁଦ୍ର ଚଳଚ୍ଚିତ୍ର ତାଙ୍କୁ ଜଣେ ସଫଳ ନାଟ୍ୟକାର ହେବାର ଆକାଂକ୍ଷାକୁ ବଢ଼ାଇ ଦେଇଥିଲା। ବିଭିନ୍ନ ଫିଲ୍ମ ଫେଷ୍ଟିଭାଲରେ ଏହି କ୍ଷୁଦ୍ର ଚଳଚ୍ଚିତ୍ର ୭ଟି ପୁରସ୍କାର ଲାଭ କରିବା ପରେ ନବକିଶୋର ଆଗକୁ ମାଡ଼ି ଚାଲିଥିଲେ। ୬ ବର୍ଷ ମଧ୍ୟରେ ସେ ମୋଟ ୨୨ଟି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରୀୟ କ୍ଷୁଦ୍ର ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ କରିଛନ୍ତି। ସେଥିମଧ୍ୟରୁ ୧୩ଟି କ୍ଷୁଦ୍ର ଚଳଚ୍ଚିତ୍ର ତାଙ୍କୁ ସଫଳତା ଆଣିଦେଇଛି। ୨୦୨୧ରେ ନିର୍ମିତ ଫ୍ଲାଗ ଚଳଚ୍ଚିତ୍ର ସର୍ବାଧିକ ପୁରସ୍କାର ଲାଭ କରିଥିଲା। ପଶ୍ଚିମବଙ୍ଗର ଡାଇମଣ୍ଡ ଫିଲ୍ମ ଫେଷ୍ଟିଭାଲରେ ଫ୍ଲାଗ୍‌ ଚଳଚ୍ଚିତ୍ରକୁ ଶନିବାର ଆଉ ଏକ ପୁରସ୍କାର ମିଳିବା ପରେ ଏହି ସଂଖ୍ୟା ୬୮ରେ ପହଞ୍ଚତ୍ଛି। ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣାଧୀନ ରହିଛି। ତେବେ ତାଙ୍କ ଦ୍ୱାରା ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ରଗୁଡ଼ିକ ମୋଟ ୧୦୬ଟି ପୁରସ୍କାର ଲାଭ କରିବା ପରେ ସେ ବହୁ ଭାବେ ଗୌରବାନ୍ବିତ ହୋଇଛନ୍ତି। ଏଥିନିମନ୍ତେ ନାଟ୍ୟକାର ନବକିଶୋର ଦାସଙ୍କ ପାଖକୁ ଦେଶବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି।
କଟକ ମଲ୍ଲାସାହି ଅଞ୍ଚଳର ଅବସରପ୍ରାପ୍ତ ପୋଲିସ ଅଧିକାରୀ ନବକିଶୋର ଏକାଧାରରେ ଅଭିନେତା, ନାଟ୍ୟକାର, ଚଳଚ୍ଚିତ୍ର ନିର୍ମାତା ଏବଂ ସଂଳାପକାର ଭାବେ ବେଶ ସୁନାମ ଅର୍ଜନ କରିଛନ୍ତି। ତାଙ୍କ ଦ୍ୱାରା ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ରଗୁଡ଼ିକ ବିଶ୍ବର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ ହୋଇ ଓଡ଼ିଆ ଭାଷା, କଳା, ସାହିତ୍ୟକୁ ପ୍ରଚାର, ପ୍ରସାର କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି। ପୁରସ୍କାର ପାଇଥିବା କ୍ଷୁଦ୍ର ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ଫ୍ଲାଗ-୬୮, ଘୁଙ୍ଗା- ୬, ମୁଁ ଟିକେ ଖେଳିବି- ୧, ଭୋକ- ୪, ମୁଁ ଭୂତ କହୁଛି- ୫, ଆଉ ଏକ ସତ୍ୟ- ୭, ଟି’- ୫, ଫାୟାର ଫେଷ୍ଟିଭାଲ- ୩, ଗିଫ୍ଟ- ୨, ଜୟହିନ୍ଦ୍‌-୨, ଦୀପାଳି-୧, ସ୍ବାଭିମାନ-୧, ବେଲୁନ ଅଜା-୧। ସୂଚନାଯୋଗ୍ୟ, ୨୦୨୩ରେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ନିମନ୍ତେ ନବକିଶୋରଙ୍କ ନାମ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ଏବଂ ଇଣ୍ଡିଆନ୍‌ ବୁକ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛି।