ଭୋଟ ଗଣତିବେଳେ ୨୦୦ ମିଟର ପର୍ଯ୍ୟନ୍ତ ବନ୍ଦ ରହିବ ଦୋକାନ

କଣାସ, ୨୧।୨(ସ୍ବ.ପ୍ର): କଣାସ ବ୍ଲକରେ ଭୋଟ ଗଣତିବେଳେ ୨୦୦ ମିଟର ଭିତରେ ଥିବା ଦୋକାନଗୁଡିକ ସବୁ ବନ୍ଦ ରହିବ। ଏଥିସହ ପ୍ରାର୍ଥୀମାନଙ୍କର ସମର୍ଥକ ସେଠାରେ ନ ରହି ଦୋକନ୍ଦା ମେଳଣ ପଡିଆରେ ରହିବା ପାଇଁ ବିଡିଓ ଲୋଚନ ଦାସ ଓ ତହସିଲଦାର ଲକ୍ଷ୍ମୀଧର ମହାରଣା ନିର୍ଦ୍ଦେଶ ଦେଇଛନ୍ତି। କଣାସ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ୨୬ ତାରିଖରୁ ଗଣତି ଆରମ୍ଭ ହେବ। ପ୍ରଥମ ଦିନ ୩ନଂ. ଜୋନ୍‌, ୨୭ ତାରିଖରେ ୪ନଂ. ଜୋନ୍‌ ଏବଂ ୨୮ ତାରିଖରେ ୫ନଂ. ଜୋନ୍‌ର ଭୋଟ ଗଣତି କରାଯିବ। ଭୋଟ ଗଣତିବେଳେ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେତେକ ନିୟମ କଡାକଡି କରାଯାଇଛି। ଦୋକନ୍ଦାରୁ କଣାସକୁ ସଂଯୋଗ କରୁଥିବା ରାସ୍ତା ଓ କଣାସରୁ ଜଙ୍କିଆ ଦୟାନଦୀ ବନ୍ଧରେ ଯାଇଥିବା ରାସ୍ତାକୁ ଉକ୍ତ ୩ଦିନ ବନ୍ଧ ରଖାଯାଇଛି। ସେହି ରାସ୍ତାରେ କୌଣସି ଭାରିଯାନ ଓ ୪ ଚକିଆ ଯାନ ଯାତାୟାତ ନ କରିବା ପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତି।