Categories: ରାଜ୍ୟ

କୋଭିଡ୍‌ ନିୟମ ମାନୁ ନ ଥିବା ଦୋକାନ ସିଲ୍‌ ହେବ

ଭୁବନେଶ୍ୱର,୨୪ା୧୦(ବ୍ୟୁରୋ): କରୋନା କଟକଣା ଓ ପାର୍ବଣ ସତର୍କତା ସତ୍ତ୍ୱେ ଭୁବନେଶ୍ୱର ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ଗହଳି ବଢ଼ୁଛି। ସାମାଜିକ ଦୂରତ୍ୱ ରହୁ ନ ଥିବାବେଳେ ବ୍ୟବସାୟୀ ଓ ଗ୍ରାହକ କଟକଣା ମାନୁ ନାହାନ୍ତି। ଶୁକ୍ରବାର ମାକେର୍ଟ ବିଲ୍ଡିଂର ଏପରି ସ୍ଥିତିକୁ ଦେଖିବା ପରେ ପଦକ୍ଷେପ ନେବାକୁ ସ୍ଥିର କରିଛି କମିଶନରେଟ ପୋଲିସ। ଆଗକୁ ଭିଡ଼ ସମ୍ଭାବନା ଅଧିକ ଥିବାରୁ ପୋଲିସ ପକ୍ଷରୁ ଚଢ଼ାଉକୁ ଆହୁରି ଜୋର୍‌ଦାର କରାଯିବ। ନିୟମ ମାନୁ ନ ଥିବା ଦୋକାନ ଓ ମଲ୍‌କୁ ସାମୁହିକ ଭାବେ ସିଲ୍‌ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି। ମାର୍କେଟ ବିଲ୍ଡିଂରେ ପ୍ରବଳ ଭିଡ଼ ହେଉଥିବା ନେଇ ଖବର ପାଇ ଅତିରିକ୍ତ ପୋଲିସ କମିଶନର ରେଖା ଲୋହାନୀ ସନ୍ଧ୍ୟାରେ ଅତର୍କିତ ଚଢାଉ କରିଥିଲେ। ସେ ବିଭିନ୍ନ ମଲ୍‌ ଓ ଦୋକାନକୁ ଯାଇ କୋଭିଡ଼ ନିୟମ ଠିକ୍‌ ଭାବେ ପାଳନ ହେଉଛି କି ନାହିଁ ଯାଞ୍ଚ କରିଥିଲେ। ଯେଉଁମାନେ କୋଭିଡ଼ ନିୟମ ମାନୁ ନ ଥିଲେ ସେମାନଙ୍କୁ ତାଗିଦ କରିଥିଲେ। ଏହାସହ ସେଠାରେ କୋଭିଡ଼ ନିୟମ କଡାକଡି କରିବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ସ୍ଥିତି ସଂକ୍ରାନ୍ତରେ ପୋଲିସ କମିଶନରଙ୍କୁ ଅବଗତ କରିଥିଲେ।