ସମ୍ବଲପୁରରେ ଏନ୍ କାଉଣ୍ଟର: କୁଖ୍ୟାତ ଅପରାଧୀ ଇରଫାନ ଆହତ, ଦୁଇ ସହଯୋଗୀ …

ସମ୍ବଲପୁର, ୧୩।୯ (ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁନାପାଲି ଅଞ୍ଚଳର କୁଖ୍ୟାତ ଅପରାଧୀ ମହମ୍ମଦ ଇରଫାନ (୩୮)ଙ୍କ ବାମ ଗୋଡ଼ରେ ଗୁଳି ବାଜି ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଦୁଇ ସହଯୋଗୀ ମହମ୍ମଦ ଇମ୍ରାନ ଓ ଦୀପକ କୁମାରଙ୍କୁ ପୋଲିସ କାବୁ କରିଛି।

ରବିବାର ଭୋର ପ୍ରାୟ ୫ଟା ୪୫ ମିନିଟ୍‌ ସମୟରେ ସଦର ଥାନା ପୋଲିସ ଟିମ୍‌ ରାସନପୁର କେନାଲ ରୋଡ୍‌ସ୍ଥିତ ସୁଦୁଙ୍ଗା ଜଙ୍ଗଲ ନିକଟରେ ଯାଞ୍ଚ କରୁଥିଲା। ଏହି ସମୟରେ ଏକ କଳା ରଙ୍ଗର ବଜାଜ ପଲସର ମୋଟରସାଇକେଲ (ଓଡି-୧୫ ଏବି-୩୬୭୪)ରେ ଇରଫାନ ତାଙ୍କ ଦୁଇ ସହଯୋଗୀଙ୍କ ସହ ଆସୁଥିଲେ। ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରି ଦୁଇ ସହଯୋଗୀଙ୍କୁ କାବୁ କରିଥିଲା। ତେବେ ଇରଫାନ ପୋଲିସ ଉପରକୁ ୩ ରାଉଣ୍ଡ ଅତର୍କିତ ଗୁଳିଚାଳନା କରି ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ।

ପରେ ପୋଲିସ ଆତ୍ମରକ୍ଷା ପାଇଁ ପାଲଟା ୨ ରାଉଣ୍ଡ ନିୟନ୍ତ୍ରିତ ଗୁଳି ଚଳାଇଥିଲା। ଏଥିରେ ଇରଫାନଙ୍କ ବାମ ଗୋଡ଼ରେ ଗୁଳି ବାଜିଥିଲା। ଗୁଳିବିଦ୍ଧ ଇରଫାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବୁର୍ଲାସ୍ଥିତ ଭିମସାରରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରୁ ପୋଲିସ ଏକ ପିସ୍ତଲ, ଗୁଳିଗୋଳା, ୩ଟି ଖାଲି ଖୋକା ସହ ବ୍ୟବହୃତ ବାଇକ୍‌କୁ ଜବତ କରିଛି। ଡକାୟତି, ଛିନତାଇ, ଆଲୁମିନିୟମ ତାର ଚୋରି ଓ ଚୋରା ନିଶାଦ୍ରବ୍ୟ କାରବାର ଭଳି ୨୪ରୁ ଅଧିକ ସଙ୍ଗିନ ଅପରାଧିକ ମାମଲାରେ ଇରଫାନ ସମ୍ପୃକ୍ତ ଥିବା ଜଣାପଡ଼ିଛି।

ଘଟଣାକୁ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Dharitri – Odisha’s No.1 Odia Daily

Share